ନୂଆଦିଲ୍ଲୀ, ୧୮/୦୨: ବିବିସି ଭାରତୀୟ ମହିଳା କ୍ରୀଡ଼ା  ପୁରସ୍କାର ପ୍ରଦାନ ଉତ୍ସବ-୨୦୨୪ ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି। ଅଲିମ୍ପିଆନ ସୁଟର ମନୁ ଭାକର ବର୍ଷର  ଶ୍ରେଷ୍ଠ ମହିଳା କ୍ରୀଡ଼ାବିତ ଭାବେ ପୁରସ୍କୃତ  ହୋଇଛନ୍ତି । ସେମିତି ପାରା କ୍ରୀଡ଼ାରେ ଅବନୀ ଲେଖରା ଶ୍ରେଷ୍ଠ କ୍ରୀଡ଼ାବିତ  ହେବାର ଗୌରବ ଲାଭ କରିଛନ୍ତି । 

ମନୁ ପ୍ୟାରିସ ଅଲିମ୍ପିକ୍ସରେ ଡବଲ  ପଦକ ଜିତି ଦେଶ ପାଇଁ ଇତିହାସ  ରଚିଥିଲେ । ଭାରତର ପ୍ରଥମ ମହିଳା  ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ  ଜିତିଥିଲେ । ସେ ୨୦୨୧ରେ ଉଦୀୟମାନ  କ୍ରୀଡ଼ାବିତ ପୁରସ୍କାର ଜିତିଥିଲେ । ଅବନୀ ୨୦୨୦ ପାରା ଅଲିମ୍ପିକ୍ସରେ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ଏବଂ  ୨୦୨୪ରେ ସ୍ୱର୍ଣ୍ଣ ଜିତିଥିଲେ । ପ୍ରଥମ  ଭାରତୀୟ ପାରା ମହିଳା ସୁଟର ଭାବେ ସେ  ଅଲିମ୍ପିକ୍ସରେ ୩ଟି ପଦକ ଜିତିଛନ୍ତି । ପାରା ତୀରନ୍ଦାଜ ଶୀତଲ ଦେବୀ  ଉଦୀୟମାନ କ୍ରୀଡ଼ାବିତ ଏବଂ ମହିଳା  କ୍ରିକେଟର ମିଥାଲୀ ରାଜ ଲାଇଫ୍‌ ଟାଇମ ପୁରସ୍କାର ପାଇଛନ୍ତି ।