ଭୁବନେଶ୍ୱର, ୦୫/୦୧ : ମଧୁ ବର୍ଣ୍ଣବୋଧରେ ପଢୁଥିଲୁ ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନକର ଆଉ’... ଏହା କେବଳ ଏକ ପଙ୍କ୍ତି ନଥିଲା । ମଣିଷ ସହ କାଉର ସମ୍ପର୍କର ବାସ୍ତବ ପ୍ରତିଛବିକୁ କବି ମଧୁସୂଦନ ରାଓ ପିଢ଼ି ପରେ ପିଢ଼ିଙ୍କ ପାଖରେ ପହଞ୍ଚାଇବା ପାଇଁ କବିତାର ରୂପ ଦେଇଥିଲେ । ପ୍ରକୃତରେ ସକାଳ ହେଲେ କାଉଙ୍କ କା’ କା’ ରାବ ଶୁଣି ନିଦ ଚଟ୍କିନା ଭାଙ୍ଗିଯାଉଥିଲା । ଗାଁ ଠୁ ନେଇ ସହର ପର୍ଯ୍ୟନ୍ତ ସବୁଠି କାଉଙ୍କ ରାବ ଶୁଣିବାକୁ ମିଳୁଥିଲା । ହେଲେ ସମୟ ବଦଳିଯାଇଛି । ଆଉ କାଉ ରାବୁନି, କା’କା’ କାନକୁ ବାଜୁନି । କାଉର କଳରବ ବଦଳରେ ଏବେ ଆଲାରାମ୍ ସେ ସ୍ଥାନ ନେଇଛି । କେବଳ କାଉ ନୁହନ୍ତି, ଘରଚଟିଆ, ଚିଲ, ଶାଗୁଣା, ବଣି, କୁଣ୍ଡାଖିଆ, ହଳଦିବସନ୍ତ, ଗେଣ୍ଡାଳିଆ, ଶୁଆ, ଶାରୀ, ଟିଆ, କଜଳପାତି ଭଳି ପକ୍ଷୀ ଏବେ ଜନମାନସରୁ ହଜିଗଲେଣି ।
ଦ୍ରୁତ ସହରୀକରଣ ପାଇଁ ପକ୍ଷୀଙ୍କ ବାସ ଉଜୁଡ଼ିଗଲାଣି
ମହାବାତ୍ୟା ପରେ ପରେ ପ୍ରକୃତିର ସାଥୀ ଶାଗୁଣା ବଂଶ ଲୋପ ପାଇଯାଇଥିଲେ । ଏବେ କେବଳ ପାରାକୁ ଛାଡିଦେଲେ ଭୁବନେଶ୍ୱରରେ ଅନ୍ୟ ଚଢେଇଙ୍କୁ ଖୋଜିଲେ ବି ମିଳୁନି । ୭/୮ବର୍ଷ ତଳେ ଭୁବନେଶ୍ୱରର ଗଳିକନ୍ଦିରେ ବହୁ ସଂଖ୍ୟାରେ କାଉଙ୍କୁ ଦେଖିବାକୁ ମିଳୁଥିଲା । ହୋଟେଲ, ମନ୍ଦିର, ବଜାର, ଆମିଷ ମାର୍କେଟ୍, ଡମ୍ପିୟାର୍ଡ ଆଦି ସ୍ଥାନରେ ଦଳଦଳ କାଉ ଉଡୁଥିଲେ । ମାତ୍ର କରୋନା ପରେ କାଉଙ୍କୁ ଦେଖିବା ଏକ ବିସ୍ମୟ ପାଲଟିଛି । କାଁଭାଁ କେଉଁଠି ଆମିଷ ବଜାରରେ ଉଡୁଛନ୍ତି । କାଉ ଭଳି ୯୦ ଦଶକରେ ଭୁବନେଶ୍ୱରରେ ବହୁଳ ଭାବେ ଘର ଚଟିଆ ଦେଖିବାକୁ ମିଳୁଥିଲା । ଖଣ୍ଡଗିରି, ଉଦୟଗିରି, ପୁରୁଣା ଭୁବନେଶ୍ୱର, ଚନ୍ଦକା, ଏକାମ୍ରକାନନ, ଧଉଳିରେ ଥିବା ଜଙ୍ଗଲିଆ ଅଞ୍ଚଳରେ ଦେଶୀ ପକ୍ଷୀଙ୍କ ଗଡ଼ ଥିଲା । ସେମାନେ ଦିନତମାମ ଭୁବନେଶ୍ୱର ସହରରେ ବୁଲିବୁଲି ଖାଦ୍ୟ ସଂଗ୍ରହ କରି ପୁଣି ନିଜନିଜ ଘରକୁ ଫେରିଯାଉଥିଲେ । ହେଲେ ରାଜଧାନୀରେ ଏବେ ବୃକ୍ଷରାଜି କମ୍ କଂକ୍ରିଟ୍ ଓ ସୁଉଚ୍ଚ ଅଟ୍ଟାଳିକା ଛିଡ଼ା ହୋଇଛି । ରାସ୍ତା ଓ ଘର ତିଆରି ପାଇଁ ଗଛ କଟା ଚାଲିଛି । ଫଳରେ ଚଟିଆଙ୍କ ସମେତ କାଉ, ବଣି, ଚିଲମାନେ ଆଉ ରହିବାକୁ ସ୍ଥାନ ପାଉନାହାନ୍ତି । ମାଟି ଉପରେ ପେଭର ବ୍ଲକ ବିଛାଇବାରୁ ମାଟିରୁ ଉତ୍ପନ୍ନ ଛୋଟଛୋଟ ପୋକ ଓ ଜିଆମାନେ ଲୋପ ପାଇଗଲେ । ଖାଦ୍ୟ ନମିଳିବା ଓ ଥଣ୍ଡା ପରିବେଶର ଅଭାବରୁ ଦେଶୀପକ୍ଷୀ ଜନମାନସରୁ ଦୂରେଇଯିବା ଅନ୍ୟ ଏକ କାରଣ ।
ଦେଖାଯାଉ ନାହାଁନ୍ତି ଘର ଚଟିଆ, ଚିଲ, ବଣି, ଶୁଆ
ସେହିପରି କ୍ଷେତରେ କୀଟନାଶକର ପ୍ରୟୋଗ ହେବାରୁ କୀଟଙ୍କ ସଂଖ୍ୟା କମିଗଲା । ଡ୍ରେନ ମଧ୍ୟରୁ ଚଢେଇ ଖାଦ୍ୟ ସଂଗ୍ରହ କରି ଶାବକଙ୍କୁ ଖୁଆଉଥିଲେ । ଡ୍ରେନ ଉପରେ ଢାଙ୍କୁଣି ଘୋଡ଼ାଇ ଦିଆଯାଉଥିବାରୁ ଖାଦ୍ୟ ସଂଗ୍ରହ କରିବା ପକ୍ଷୀଙ୍କ ପକ୍ଷେ କଷ୍ଟ । ଖାଦ୍ୟ ନପାଇବାରୁ ପକ୍ଷୀମାନେ ସହର ଛାଡି ଗାଁ କିମ୍ବା ଜଙ୍ଗଲକୁ ପଳାଉଛନ୍ତି ବୋଲି ପକ୍ଷୀ ବିଶେଷଜ୍ଞ କହିଛନ୍ତି । ଓଲ୍ଡଟାଉନ୍ କପିଳପ୍ରସାଦ ଗାଁର ଶରତ ମଲ୍ଲିଆ କହିଛନ୍ତି, ପିଲାବେଳେ ଆମେ ଯେଉଁ ଚଢେଇ ଦେଖୁଥିଲୁ ଏବେ ତାହା ଆଉ ନାହାନ୍ତି । ଘର ଉପରେ ଚାଉଳ, ଚୁଡ଼ା, ନଡିଆ ପାତି କି ସୋରିଷ ଶୁଖୁଥିଲେ ଶୁଆ, ଟିଆ, ବଣି, କାଉ ଆଦି ଆସି ଖାଉଥିଲେ । ସେମାନଙ୍କୁ ଦେଖି ମଜା ଲାଗୁଥିଲା । ଘରେ ଶ୍ରାଦ୍ଧ ହେଲେ କାଉକୁ ଖାଇବାକୁ ଦିଆଯାଉଥିଲା । ହେଲେ ଏବେ କାଉକୁ ଖୋଜୁଛୁ । ଶିକାରୀମାନେ ବହୁଳଭାବେ ବଗ, ଗେଣ୍ଡାଳିଆ ଆଦି ଶିକାର କରୁଛନ୍ତି ।
ପକ୍ଷୀ ଲୋପ ପାଇଁ ରାସାୟନିକ ସାର ଦାୟୀ
ବିଶେଷଜ୍ଞ ବରିଷ୍ଠ ପକ୍ଷୀ ବିଶେଷଜ୍ଞ ପ୍ରମୋଦ ଧଳ କହିଛନ୍ତି, ପକ୍ଷୀ ବିଲୁପ୍ତ ହେବାର ଅନେକ କାରଣ ରହିଛି । କ୍ଷେତରେ ଗୋବରଖତ ପଡ଼ୁଥିଲା । ସେଥିରୁ ଉତ୍ପନ୍ନ ପୋକକୁ ଖାଉଥିଲେ ଚଢେଇ । ହେଲେ ରାସାୟନିକ ସାର ପ୍ରୟୋଗ ହେତୁ ମାଟି ବିଷାକ୍ତ ହେଲା । ଚଞ୍ଚୁରେ ତାକୁ ଖୋଳି ପୋକ ଖାଇବାରୁ ପକ୍ଷୀଙ୍କ ଶରୀରରୁ ବିଷ ଯାଉଛି । ତେଣୁ ଏଦିଗରେ ସଚେତନ ହେବାକୁ ପଡ଼ିବ । ଖୁସିର କଥା, ଆଜିକାଲିର ଛୋଟ ପିଲାଙ୍କୁ ସ୍କୁଲରେ ପକ୍ଷୀଙ୍କ ବିଷୟରେ ସଚେତନ କରାଯାଉଛି । କେବଳ ସେତିକିନୁହେଁ, କାଉ, ବଣି, ଶୁଆଙ୍କ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯାଉ । ବ୍ୟାପକ ଜଙ୍ଗଲ ସହ ସେଠାରେ ପାଣି, ଖାଦ୍ୟ ବ୍ୟବସ୍ଥା ହେଲେ ପକ୍ଷୀମାନେ ସେଠାରେ ରହିବେ ।
କାଉକୁ ଆଉ ଖାଦ୍ୟ ମିଳୁନି
ଶିକ୍ଷା ଓ ଅନୁସନ୍ଧାନ ପରିଚାଳିତ ଆଇଟିଇଆର ପରିବେଶ ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡ. ବିଭୁପ୍ରସାଦ ପଣ୍ଡା କହିଛନ୍ତି, କାଉ, ଚିଲ ଭଳି ଅନେକ ଚଢେଇ ଅଛନ୍ତି, ଆମେ ଭାବୁଛୁ ସେସବୁ କମିଗଲେଣି । ମାତ୍ର ସେମାନେ ଅଛନ୍ତି । ଏବେ ଯେଉଁ ସହରୀକରଣ (ଅର୍ବାନାଇଜେସନ୍) ହେଉଛି, ସେଥିପାଇଁ ଅଳିଆ ଆବର୍ଜନାକୁ ପୌରସଂସ୍ଥା ଟ୍ରିଟମେଣ୍ଟ କରୁଛି । ତେଣୁ କାଉକୁ ଆଉ ଖାଦ୍ୟ ମିଳୁନି । ଯେଉଁଠି ଖାଦ୍ୟ ମିଳୁଛି, ସେମାନେ ସେଠାକୁ ଯାଉଛନ୍ତି । ତେଣୁ ଆଖି ଆଗରେ ଦେଖାଯାଉନାହାନ୍ତି । ୱାଇଲ୍ଡଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ-୧୯୭୨ ଅନୁସାରେ ପକ୍ଷୀଙ୍କୁ ସୁରକ୍ଷା ଦିଆଯାଉଥିଲା । ହେଲେ ସଂଶୋଧନ ଆକ୍ଟରେ କାଉ ଓ ପାରାକୁ ବାଦ୍ ଦିଆଯାଇଛି । ସେମାନଙ୍କୁ ଆଉ ସୁରକ୍ଷା ଦିଆଯାଉନି । ହାଇଦ୍ରାବାଦ୍, ମୁମ୍ବାଇ ଭଳି ସହରରେ ଏବେ କାଉ ଅଛନ୍ତି ।