ଜଗଦଲପୁର,୨୯/୧୧: ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି  (ଏମ୍‌ଏମ୍‌ସି) ନକ୍ସଲ ସଙ୍ଗଠନର ଶତାଧିକ  ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ  କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏମ୍‌ଏମ୍‌ସି  ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ  ଏହି ମର୍ମରେ ଏକ ଚିଠି ମଧ୍ୟ ଜାରି କରାଯାଇଛି ।  ସେଥିରେ ସେ ଲେଖିଛନ୍ତି ସଙ୍ଗଠନର  ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ  ଆତ୍ମସମର୍ପଣ କରିବେ । ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ଼ ସରକାରଙ୍କ ନିକଟରେ ଅପିଲ କରିଛନ୍ତି ।

ମାଓନେତା ଅନନ୍ତଙ୍କ ପକ୍ଷରୁ ଜାରି  କରାଯାଇଥିବା ଏହି ଚିଠି ଏକ ସପ୍ତାହ ଭିତରେ  ଦ୍ୱିତୀୟ । ଏହା ପୂର୍ବରୁ ଗତ ସପ୍ତାହରେ ସେ  ଜାରି କରିଥିବା ଚିଠିରେ ଫେବ୍ରୁଆରୀ ୧୫ ସୁଦ୍ଧା  ଆତ୍ମସମର୍ପଣ କରିବା କଥା ଉଲ୍ଲେଖ କରିଥିଲେ ।  କିନ୍ତୁ ବର୍ତ୍ତମାନ ଜାରି କରିଥିବା ନୂଆ ଚିଠିରେ  ଜାନୁଆରୀ ୧ ତାରିଖରେ ଆତ୍ମସମର୍ପଣ କରିବାକୁ  କହିଛନ୍ତି । ଯେଭଳି ଛତିଶଗଡରେ ସତୀଶ ଓ  ମହାରାଷ୍ଟ୍ରରେ ସୋନୁ ଆତ୍ମସମର୍ପଣ କରିଛନ୍ତି ଠିକ୍‌  ସେହିଭଳି ସେମାନେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର  ଓ ଛତିଶଗଡର ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀଙ୍କ ନିକଟରେ ଆତ୍ମସମର୍ପଣ କରିବା କଥା ଲେଖିଛନ୍ତି ।  କେବଳ ଏତିକି ନୁହେଁ ସେ ନିଜ ସାଥୀମାନଙ୍କ  ସହିତ କଥାବାର୍ତ୍ତା କରିବା ଲାଗି ଏକ ବାଉଫେଙ୍ଗ୍‌ର  ଖୋଲା ଫ୍ରିକ୍ୱେନ୍ସି ନମ୍ବର ୪୩୫.୭୧୫ ମଧ୍ୟ ଜାରି  କରିଛନ୍ତି । ଯେଉଁଥିରେ ଜାନୁଆରୀ ୧ ତାରିଖ  ପର୍ଯ୍ୟନ୍ତ ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ୧୧ଟା ୧୫  ମଧ୍ୟରେ ସେ ସାଥୀମାନଙ୍କ ସହ କଥାବାର୍ତ୍ତା କରିବେ । ପ୍ରଥମଥର ଲାଗି ନକ୍ସଲମାନେ ଏକ  ଖୋଲା ଫ୍ରିକ୍ସେନ୍ସି ଜାରି କରିଛନ୍ତି । ବାଉଫେଙ୍ଗ  ହେଉଛି ହାତରେ ଧରିପାରିବା ଭଳି ଏକ  ୱାକିଟକି ବା ଛୋଟ ରେଡିଓ। ଯାହାରି ମାଧ୍ୟମରେ ଜଙ୍ଗଲ, ପାହାଡ କିମ୍ବା ସହରର ଭିଡ ଭିତରେ  ବିନା ମୋବାଇଲ ନେଟୱାର୍କରେ ଦୁଇଜଣ ବ୍ୟକ୍ତି  କଥାବାର୍ତ୍ତା କରିପାରିବେ ।

ଅନ୍ୟପକ୍ଷରେ ବସ୍ତର ଦଣ୍ଡକାରଣ୍ୟ ସ୍ପେଶାଲ  ଜୋନାଲ କମିଟି ପକ୍ଷରୁ ଆଜି ଏକ ଚିଠି ଜାରି  କରାଯାଇଛି । ସେଥିରେ କୁହାଯାଇଛି ଯେ  ମାଓନେତା ଦେବଜୀଙ୍କୁ ଆନ୍ଧ୍ର ପୁଲିସ ଗିରଫ  କରିଛି । ତାଙ୍କ ସହ ଅନ୍ୟ ୫୦ ଜଣ ମାଓବାଦୀଙ୍କୁ  ମଧ୍ୟ ଧରାଯାଇଛି । ସେହିଭଳି ଏହି ଚିଠିରେ  ଗତ ୧୮ ଓ ୧୯ ତାରିଖରେ ଆନ୍ଧପ୍ରଦେଶର  ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ହୋଇଥିବା  ଏନ୍‌କାଉଣ୍ଟରକୁ ମିଥ୍ୟା ବୋଲି ଦର୍ଶାଯାଇଛି ।  ନକ୍ସଲମାନେ ଅଭିଯୋଗ କରିଛନ୍ତି କି ପୁଲିସ ମିଛ  ଏନ୍‌କାଉଣ୍ଟର କାହାଣୀ କହୁଛି । ମାଣ୍ଡଭି ହିଡ୍‌ମା ଓ  ଅନ୍ୟ ୧୩ ଜଣ ନକ୍ସଲଙ୍କୁ ପୁଲିସ ଧରିବା ପରେ  ସେମାନଙ୍କୁ ଗୁଳିକରି ହତ୍ୟା କରିଛି । ଏହି ମିଥ୍ୟା  ଏନ୍‌କାଉଣ୍ଟର ପ୍ରତିବାଦରେ ମାଓବାଦୀ ଆସନ୍ତା  ୩୦ ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ।