ଓଟାୱା,୧୪/୦୩: ଆଜି ମାର୍କ କାର୍ଣ୍ଣି କାନାଡାର ୨୪ତମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ଜଷ୍ଟିନ ଟ୍ରୁଡୋଙ୍କ ସ୍ଥାନରେ  ସେ ଦେଶର ନୂଆ ପ୍ରଧାନମନ୍ତ୍ରୀ ହେବେ । ଭାରତୀୟ  ସମୟ ରାତି ୮ଟା ୩୦ରେ ରାଜଧାନୀ ଓଟାୱାସ୍ଥିତ ରିଡ୍ୟୁ ହଲ୍‌ର ବଲ୍‌ରୁମ୍‌ରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । କାର୍ଣ୍ଣିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶପଥ  ନେବେ । 

ଗତ ୯ ତାରିଖରେ କାର୍ଣ୍ଣିଙ୍କୁ ଲିବେରାଲ ପାର୍ଟିର ନେତା ନିର୍ବାଚିତ କରାଯାଇଥିଲା । ତାଙ୍କୁ ଦଳର  ମୋଟ ଭୋଟରୁ ୮୫.୯ ପ୍ରତିଶତ ଭୋଟ ମିଳିଥିଲା । କାର୍ଣ୍ଣି ଦଳର ନେତା ନିର୍ବାଚିତ ହେବା ପରେ ବିଦାୟୀ  ପ୍ରଧାନମନ୍ତ୍ରୀ ଟ୍ରୁଡୋଙ୍କୁ ସାକ୍ଷାତ କରିଥିଲେ । ଉଭୟ  ନେତାଙ୍କ ମଧ୍ୟରେ କ୍ଷମତା ହସ୍ତାନ୍ତର ନେଇ ଆଲୋଚନା  ହୋଇଥିଲା । ଗତ ଜାନୁଆରୀରେ ଟ୍ରୁଡୋ ପ୍ରଧାନମନ୍ତ୍ରୀ  ପଦ ଛାଡିବାକୁ ଘୋଷଣା କରିଥିଲେ । ଶୁକ୍ରବାର ଟ୍ରୁଡୋ ଗଭର୍ଣ୍ଣର ଜେନରାଲଙ୍କୁ ଭେଟି  ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ।