ଭୁବନେଶ୍ୱର,୨୮/୧୨ : ଖୋର୍ଦ୍ଧା ଜିଲ୍ଲାରେ ମିଶନ ଶକ୍ତି ଏମବିକେ ଲାପଟପ୍‌ କିଣାରେ ଭୟଙ୍କର ଦୁର୍ନୀତି ସାମନାକୁ ଆସିଛି । ଲାପଟପ୍‌ କିଣିବା ଆଗରୁ ଦିଆଯାଇଛି ୟୁଟିଲାଇଜେସନ ସାର୍ଟିଫିକେଟ୍‌ (ୟୁସି) ବା ବିନିଯୋଗ ପ୍ରମାଣପତ୍ର । ଫେବ୍ରୁଆରୀରୁ ଟଙ୍କା ନେଇଗଲେ । ଜୁଲାଇରେ ଦିଆଯାଇଛି ୟୁସି କପି । କିନ୍ତୁ ଆରଟିଆଇରେ ତଥ୍ୟ ମାଗିବା ପରେ କିଣାଯାଇଛି ଲାପଟପ୍‌ । ବାଉଳା ହୋଇ ବିଲ୍‌ ବଦଳରେ ଦେଇଛନ୍ତି କୋଟେସନ । ଏପରିକି ପୁଅ ପାଇଁ ଲାପଟପ୍‌ କିଣି ଦେଇଛନ୍ତି ଅଣ୍ଡରଟେକିଂ । ସରକାର ଦେଇଛନ୍ତି ମୁଣ୍ଡପିଛା ୫୦ ହଜାର ଟଙ୍କା । କିନ୍ତୁ କେଉଁଠି ବିଲ୍‌ ହୋଇଛି ୬୦ ହଜାର ତ କେଉଁଠି ୯୦ ହଜାର । ସୂଚନା ଅଧିକାର ବଳରେ ମିଳିଛି ଏଭଳି ସାଂଘାତିକ ତଥ୍ୟ । 

ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ମିଶନ ଶକ୍ତି ବିଭାଗ ଦ୍ୱାରା ପଞ୍ଚାୟତ ତଥା ବ୍ଲକ ସ୍ତରରେ ନିଯୁକ୍ତ ଏମବିକେ(ମାଷ୍ଟର୍‌ ବୁକ୍‌ କିପର)ମାନଙ୍କ ଲାଗି ଲାପଟପ୍‌ କିଣିବାକୁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଦେବାକୁ ବ୍ୟବସ୍ଥା କରିଥିଲେ । ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକରେ ଭୟଙ୍କର ଦୁର୍ନୀତି ହୋଇଥିବା ସନ୍ଦେହ କରି ଗତ ଅକ୍ଟୋବରରେ ଓଡିଶା ସୂଚନା ଅଧିକାର ଅଭିଯାନ ସଦସ୍ୟ ହୃଦାନନ୍ଦ କୋଦମାସିଂହ, ଖୋର୍ଦ୍ଧା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ)ଙ୍କୁ ଆରଟିଆଇରେ ତଥ୍ୟ ମାଗିଥିଲେ । କିନ୍ତୁ ୩୦ ଦିନ ପରେ ବି କୌଣସି ତଥ୍ୟ ନ ମିଳିବାରୁ ପ୍ରଥମ ଅପିଲ ହୋଇଥିଲା । ଗତ ୧୭ ତାରିଖରେ ପ୍ରଥମ ଅପିଲର ଶୁଣାଣି ପରେ ଗତ ୨୪ ତାରିଖରେ ତଥ୍ୟ ପ୍ରଦାନ କରାଯାଇଥିଲା । 

ମିଳିଥିବା ତଥ୍ୟରୁ ଜଣାପଡିଛି, ଲାପଟପ୍‌ ବାବଦକୁ ମୋଟ ୧୫୨ ଏମବିକେ ୭୬,୦୦,୦୦୦ ଟଙ୍କା ଏବଂ ୯୯ ବ୍ୟାଙ୍କମିତ୍ର ୪୯,୫୦,୦୦୦ ଟଙ୍କା ନେଇଛନ୍ତି । ଆରଟିଆଇ ମାଗିବା ସହ ପ୍ରଥମ ଅପିଲ୍‌ ହେବା ପରେ ଲାପଟପ୍‌ କିଣାଯାଇଛି । ବାଣପୁର, ଟାଙ୍ଗି, ବେଗୁନିଆ, ଭୁବନେଶ୍ୱର ବ୍ଲକରେ ସର୍ବାଧିକ ଅନିୟମିତତା ହୋଇଥିବା ଜଣାପଡିଛି । ଏମବିକେ ଲାପଟପ୍‌ ବିଲ୍‌ ପାଇବା ଆଗରୁ ୟୁସି କପି ଦେଇଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ) । ତେବେ ଏମବିକେ ଓ ବ୍ୟାଙ୍କମିତ୍ରମାନଙ୍କ ନିଯୁକ୍ତି ସମ୍ବନ୍ଧରେ ଏପର୍ଯ୍ୟନ୍ତ ତଥ୍ୟ ଦେଉନାହାନ୍ତି । ଲାପଟପ୍‌ ପାଇବା ଲାଗି କମ୍ପ୍ୟୁଟର ଜ୍ଞାନ ଏବଂ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଆବଶ୍ୟକ । କିନ୍ତୁ ଏଥିରେ ମଧ୍ୟ ଘୋଟାଲା ହୋଇଥିବା ଜଣାପଡିଛି । 

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୫ରେ ଆରଟିଆଇ ମାଗିବା ପରେ- ଖୋର୍ଦ୍ଧା ବ୍ଲକ ରାମ ରହିମ ମିଶନ ଶକ୍ତି ମହାସଂଘ ଅଧୀନ ୧୨ ଜଣ ଏମବିକେଙ୍କ ମଧ୍ୟରୁ ୬ ଜଣ ୨୦ ଅକ୍ଟୋବର, ବାକି ୬ ଜଣ ୨୧ ଏବଂ ୨୨ ତାରିଖରେ ଲାପଟପ୍‌ କିଣିଛନ୍ତି । ଟାଙ୍ଗୀ ବ୍ଲକ ଆଦ୍ୟାଶା ଆଦ୍ୟାରୂପା ବ୍ଲକ ଲେବେଲ ମିଶନ ଶକ୍ତି ଫେଡେରେସନ ଅଧୀନ ୧୫ ଏମବିକେଙ୍କ ମଧ୍ୟରୁ ୭ଜଣ ଡିସେମ୍ବର ୨୦୨୪ରେ ଏବଂ ୮ଜଣ ନଭେମ୍ବର ମାସରେ ଲାପଟପ୍‌ କିଣିଛନ୍ତି । ବେଗୁନିଆ ବ୍ଲକ ମହାଲକ୍ଷ୍ମୀ ବ୍ଲକ ସ୍ତରୀୟ ମହାସଂଘ ଅଧୀନ ସମସ୍ତ ୨୧ ଏମବିକେ ଡିସେମ୍ବର ୨୦୨୪ରେ ଲାପଟପ୍‌ କିଣିଛନ୍ତି । ବାଣପୁର ବ୍ଲକ ଜ୍ୟୋତି ମିଶନ ଶକ୍ତି ଫେଡେରେସନ ଅଧୀନ ୧୫ ଏମିବିକେଙ୍କ ମଧ୍ୟରୁ ୮ ଜଣ ଡିସେମ୍ବରରେ ଏବଂ ୭ ଜଣ ନଭେମ୍ବରରେ ଲାପଟପ୍‌ କିଣିଛନ୍ତି ବୋଲି ଜଣାପଡିଛି । 

ସବୁଠାରୁ ବଡ କଥା, ବିଜୟିନୀ ବ୍ଲକ ମିଶନ ଶକ୍ତି ମହାସଂଘ, ଭୁବନେଶ୍ୱର (ଗ୍ରାମୀଣ) ଲାପଟପ୍‌ ବିଲ୍‌ ବଦଳରେ ବାଉଳାରେ କୋଟେସନ ଦେଇଛନ୍ତି । ଯାହାକୁ ଡିଏସଡବ୍ଲୁଓ ଅନୁମୋଦନ ବି କରିଛନ୍ତି । ସେହିପରି ଚିଲିକା ବ୍ଲକ ବିଶ୍ୱଭାରତୀ ବ୍ଲକ ମିଶନ ଶକ୍ତି ମହାସଂଘ ଅଧୀନ ଜଣେ ଏମବିକେ ପୁଅ ପାଇଁ ଅନଲାଇନରେ ଲାପଟପ୍‌ କିଣି ଅଣ୍ଡରଟେକିଂ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ହୃଦାନନ୍ଦ କୋଦମାସିଂହ କହିଛନ୍ତି, ପ୍ରଥମ ଅପିଲର ଶୁଣାଣି ବେଳେ ୟୁସି କପି ପ୍ରସ୍ତୁତ ହୋଇନାହିଁ ବୋଲି କହିଲେ । କିନ୍ତୁ ଆରଟିଆଇ ତଥ୍ୟରୁ ଜଣାପଡ଼ିଲା ଜୁଲାଇରୁ ସେମାନେ ୟୁସି ଦେଇସାରିଛନ୍ତି । ବିନା ବିଲ୍‌ରେ ୟୁସି କପି ଦେଲେ କେମିତି! ଡିଏସଡବ୍ଲୁଓଙ୍କ ସମେତ ସମସ୍ତ ଡିପିସି, ବିପିସି, ବିଏଲଏଫ ଏବଂ ଏମବିକେ ଏହି ଲାପଟପ୍‌ ଦୁର୍ନୀତିରେ ସମ୍ପୃକ୍ତ । ଆଗକୁ ଆମେ ଜିଏସଟି କମିଶନରଙ୍କୁ ବିଲ୍‌ ବାବଦରେ ଆରଟିଆଇ ମାଗିବୁ ବୋଲି ସେ କହିଛନ୍ତି । ଅନ୍ୟପରେ ଖୋର୍ଦ୍ଧା ଡିଏସଡବ୍ଲୁଓ କୁସୁମ ପ୍ରହରାଜ କହିଛନ୍ତି, ବିଏଲଏଫମାନଙ୍କୁ ଟଙ୍କା ଦେବା ପରେ ଆମେ ୟୁସି ଦେଇଛୁ । ୟୁସି ଦେବାରେ କିଛି ଅସୁବିଧା ନାହିଁ । ବିଏଲଏଫ ସ୍ତରରେ କଣ ହେଇଛି ସେ ଅବଗତ ନୁହନ୍ତି ବୋଲି ପ୍ରତିକ୍ରିୟା ଦେଇଛନ୍ତି ।