ମସ୍କୋ,୨୨/୦୨ : ରୁଷର ଉଦମୁର୍ତ୍ତ ରାଜ୍ୟରେ ଥିବା ଏକ ମିସାଇଲ କାରଖାନା ଉପରେ ଗତକାଲି ବିଳମ୍ବିତ ରାତିରେ ୟୁକ୍ରେନ ଡ୍ରୋନ ଆକ୍ରମଣ କରିଛି । ଲଗାତାର ଭାବେ ୩ଟି ଡ୍ରୋନ ଆକ୍ରମଣ ଫଳରେ କାରଖାନାର ବ୍ୟାପକ କ୍ଷୟକ୍ଷତି ଘଟିଛି । ସେଠାରେ କାମ କରୁଥିବା ୧୧ ଜଣ ଆହତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଏହି ଘଟଣା ପରେ ଉଦମୁର୍ତ୍ତ ବିମାନବନ୍ଦର ସମେତ ପାଖ ସହରର ସବୁ ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି ।

ଆହୁରି ପଢନ୍ତୁ - ଆଫଗାନିସ୍ତାନ ବର୍ଡରରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍; ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରିଥିବା ଦାବି, ୧୯ ମୃତ

ଉକ୍ତ ରାଜ୍ୟର ମୁଖ୍ୟ ଆଲେକଜାଣ୍ଡାର ବ୍ରେକାଲୋଭ ଆକ୍ରମଣକୁ ସ୍ୱୀକାର କରିଥିଲେ ମଧ୍ୟ କ୍ଷୟକ୍ଷତି ସମ୍ପର୍କରେ କିଛି କହିନାହାନ୍ତି । ସେପଟେ ବେସରକାରୀ ନ୍ୟୁଜ ଚ୍ୟାନେଲ ଅସ୍ତ୍ର କହିଛି ଯେ ଭୋଟକିନ୍ସଙ୍କ ମେସିନ ବିଲ୍ଡିଂ ପ୍ଲାଣ୍ଟକୁ ଟାର୍ଗେଟ କରି ୟୁକ୍ରେନ ଏହି ଡ୍ରୋନ ଆକ୍ରମଣ କରିଛି । ଏହା ଉଦମୁର୍ତ୍ତ ରାଜ୍ୟର ଏକ ପ୍ରମୁଖ ପ୍ରତିରକ୍ଷା ଉଦ୍ୟୋଗ । ସବୁଠାରୁ ବଡକଥା ହେଉଛି ୟୁକ୍ରେନ ଠାରୁ ଏହି କାରଖାନାର ଦୂରତା ପ୍ରାୟ ୧୪୦୦ କି.ମି । ଏତେ ଦୂରରେ ପହଞ୍ଚି ୟୁକ୍ରେନ ଡ୍ରୋନ ଆକ୍ରମଣ କରିବା ରୁଷ ପାଇଁ ଉଦ୍ବେଗର ବିଷୟ ହୋଇଛି । ଏହି କାରଖାନାରେ ଇସ୍କନ୍ଦର ବାଲିଷ୍ଟିକ ମିସାଇଲ ପ୍ରସ୍ତୁତ କରାଯାଏ । ଏଥିସହ କିଛି ଆଣବିକ ଶକ୍ତି ସମ୍ପନ୍ନ ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିସାଇଲ ମଧ୍ୟ ନିର୍ମାଣ ହେଉଛି ।