ନୂଆଦିଲ୍ଲୀ: ପଶ୍ଚିମ ଜାଭାର ସିରେବନ୍ ଜିଲ୍ଲାର ମାଉଣ୍ଟ କୁଦା ଚୂନାପଥର ଖଣି ଅଞ୍ଚଳରେ ଶୁକ୍ରବାର (୩୦ ମଇ ୨୦୨୫) ସକାଳେ ଘଟିଥିବା ଏକ ଭୟଙ୍କର ଭୂସ୍ଖଳନ ଦୁର୍ଘଟଣାରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ପରେ ରାଜ୍ୟ ସରକାର ଏହି ଖଣିର ଅପରେସନ୍ ଅନୁମତି ରଦ୍ଦ କରିଛନ୍ତି। ପଶ୍ଚିମ ଜାଭାର ଗଭର୍ଣ୍ଣର ଡେଡି ମୁଲ୍ୟାଦି ଘୋଷଣା କରିଛନ୍ତି ଯେ, ଏହି ଖଣି ଯାହା ଆଲ-ଆଜହାରୀୟା ଇସଲାମିକ ବୋର୍ଡିଂ ସ୍କୂଲ ଦ୍ୱାରା ପରିଚାଳିତ ହେଉଥିଲା, ସୁରକ୍ଷା ମାନଦଣ୍ଡ ପୂରଣ କରୁନଥିବା ହେତୁ ବନ୍ଦ କରାଯାଇଛି।
ପଶ୍ଚିମ ଜାଭା ଊର୍ଜା ଓ ଖଣିଜ ସମ୍ପଦ ବିଭାଗର ମୁଖ୍ୟ ବମ୍ବାଙ୍ଗ ତିର୍ତୋ ମୁଲ୍ୟୋନୋ କହିଛନ୍ତି ଯେ, ଅନୁଚିତ ଖଣି ପଦ୍ଧତିରେ ପାହାଡ଼ର ତଳୁ ଉପରକୁ ଖନନ ବଦଳରେ ଉପରୁ ତଳକୁ ଖନନ କରିବା ପାଇଁ ଏହି ଦୁର୍ଘଟଣାର ଘଟିଛି। ବିଭାଗ ପୂର୍ବରୁ ଖଣି ଅପରେଟରଙ୍କୁ ଏହାର ପରିଣାମ ବିଷୟରେ ଏକାଧିକ ଥର ଚେତାବନୀ ମଧ୍ୟ ଦେଇଥିଲା ଏବଂ ସିରେବନ୍ ସହର ପୁଲିସ ଫେବୃଆରୀ ମାସରୁ ଏହି ସ୍ଥାନକୁ ସିଲ୍ କରି ରଖିଥିଲା।
ଇଣ୍ଡୋନେସିଆର ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସି (BNPB) ଅନୁଯାୟୀ, ଶୁକ୍ରବାର ଦିନ ସକାଳ ୧୦ଟା ପାଖାପାଖି ଘଟିଥିବା ଏହି ଭୂସ୍ଖଳନରେ ୧୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯେଉଁମାନଙ୍କ ମଧ୍ୟରୁ ଦୁଇଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ଯାଏଁ ମିଳିପାରି ନାହିଁ। ଏହା ସହିତ, ୧୧ ଜଣ ବ୍ୟକ୍ତି ନିଖୋଜ ଥିବା ବିଷୟରେ ପଶ୍ଚିମ ଜାଭା ଆଞ୍ଚଳିକ ପୁଲିସ ରିପୋର୍ଟ କରିଛି।
ଏକ ମିଳିତ ଉଦ୍ଧାରକାରୀ ଦଳ ଶୁକ୍ରବାର ଅପରାହ୍ନ ସୁଦ୍ଧା ଅନେକ ଲୋକଙ୍କ ମୃତଦେହ ଉଦ୍ଧାର କରିଥିଲା। କିନ୍ତୁ ଅନ୍ଧକାର ଏବଂ ଅଧିକ ଭୂସ୍ଖଳନର ଆଶଙ୍କା ହେତୁ ସନ୍ଧ୍ୟା ୫ଟା ସମୟରେ ଉଦ୍ଧାର କାର୍ଯ୍ୟ ବନ୍ଦ କରାଯାଇଥିଲା। ଆହତ ୬ ଜଣଙ୍କୁ ସମ୍ବର ହୁରିପ ହସ୍ପିଟାଲ ଏବଂ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ତିନୋଟି ଏକ୍ସକାଭେଟର ଏବଂ ୬ଟି ପରିବହନ ଟ୍ରକ ଭୂସ୍ଖଳନରେ ଚାପି ହୋଇଯାଇଛି।
ଗଭର୍ଣ୍ଣର ମୁଲ୍ୟାଦି ଜୋର ଦେଇ କହିଛନ୍ତି ଯେ, ପରିବେଶ କ୍ଷୟ ରୋକିବା ଏବଂ ଖଣି ଶ୍ରମିକଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ଅବୈଧ ଏବଂ ଉଚ୍ଚ ବିପଦପୂର୍ଣ୍ଣ ଖଣି ଖନନ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରଖିବେ। BNPB ପରାମର୍ଶ ଦେଇଛି ଯେ, ଏକ ଘଣ୍ଟାରୁ ଅଧିକ ସମୟ ଧରି ବର୍ଷା ହେଉଥିଲେ ସୁରକ୍ଷିତ ସ୍ଥାନକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଉ।
ଏହି ଘଟଣା ଇଣ୍ଡୋନେସିଆରେ ଅନିୟମିତ ଖଣି କାର୍ଯ୍ୟ ଏବଂ ସୁରକ୍ଷା ମାନଦଣ୍ଡର ଅଭାବ ସମ୍ବନ୍ଧୀୟ ଚିନ୍ତାକୁ ଆହୁରି ବୃଦ୍ଧି କରିଛି। ଗତ ନଭେମ୍ବରରେ ସୁଲାୱେସୀ ଦ୍ୱୀପରେ ଏକ ଅନଧିକୃତ ସୁନା ଖଣିରେ ଘଟିଥିବା ଭୂସ୍ଖଳନରେ ୨୪ ଜଣଙ୍କର ମୃତ୍ୟୁ ଘଟିଥିଲା। ଯାହା ଦେଶରେ ଖଣି ସୁରକ୍ଷା ସମସ୍ୟାର ଗମ୍ଭୀରତାକୁ ସୂଚାଇଛି।