ନୂଆଦିଲ୍ଲୀ - ଗୌତମ ଆଦାନୀଙ୍କୁ ଆମେରିକାରୁ ଏକ ବଡ଼ ଖୁସି ଖବର ମିଳିବାକୁ ଯାଉଛି। ବାସ୍ତବରେ, ଆମେରିକୀୟ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ବିରୋଧରେ ଥିବା ଠକେଇ ଅଭିଯୋଗର ସମାଧାନ ଦିଗରେ ଆଗକୁ ବଢ଼ୁଛନ୍ତି। କହି ରଖୁଛୁ କି , ଏହି ମାମଲା ନଭେମ୍ବର ୨୦୨୪ ରେ ଆରମ୍ଭ ହୋଇ ଥିଲା। ପ୍ରାୟ ଦେଢ଼ ବର୍ଷ ପରେ ଏହି ମାମଲାର ସମାଧାନ ଆଦାନୀ ଗ୍ରୁପ୍ ପାଇଁ ଏକ ବଡ଼ ଆଶ୍ଵସ୍ତି ହେବ। ଏହା ଦ୍ୱାରା ଆଦାନୀ ଗ୍ରୁପ୍ ପାଇଁ ଆନ୍ତର୍ଜାତୀୟ ପୁଞ୍ଜି ବଜାରକୁ ଫେରିବା ଏବଂ ନିଜର ଦ୍ରୁତ ସମ୍ପ୍ରସାରଣ ରଣନୀତିକୁ ପୁନର୍ବାର ଆରମ୍ଭ କରିବା ପାଇଁ ପଥ ପରିଷ୍କାର ହୋଇଯିବ।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଆମେରିକୀୟ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ କମିଶନ (SEC) ଗୌତମ ଆଦାନୀଙ୍କ ବିରୋଧରେ ଥିବା ଅପରାଧିକ ମାମଲାକୁ ଶେଷ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଚଳିତ ସପ୍ତାହ ଶେଷ ସୁଦ୍ଧା ଆଦାନୀଙ୍କ ଉପରୁ ଅଭିଯୋଗ ପ୍ରତ୍ୟାହାର କରାଯାଉଥିବା ନେଇ ଘୋଷଣା କରାଯାଇପାରେ ବୋଲି ସୂତ୍ରରୁ ପ୍ରକାଶ। SEC ଏହି ମାମଲାର ସମାଧାନ ଦିଗରେ ଆଗକୁ ବଢ଼ୁଥିବା ଜଣାପଡ଼ିଛି।

ଏକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଦେଶ ବାହାରେ ଥିବା କାରଣରୁ ନ୍ୟାୟ ବିଭାଗ ଅଭିଯୋଗ ହଟାଇ ପାରନ୍ତି। ଅନ୍ୟପଟେ, SEC ସହିତ ମାମଲାର ସମାଧାନ ବେଳେ ହୁଏତ କିଛି ଆର୍ଥିକ ଜରିମାନା ମଧ୍ୟ ଲଗାଯାଇ ପାରେ। ବ୍ରୁକଲିନର ୟୁଏସ୍ ଆଟର୍ଣ୍ଣି ଅଫିସର ଜଣେ ପ୍ରବକ୍ତା ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ସେହିପରି SEC ଏବଂ ଆଦାନୀ ଗ୍ରୁପ୍‌ର ପ୍ରତିନିଧିମାନେ ମଧ୍ୟ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ଣ ଥିଲା ମାମଲା?

ନଭେମ୍ବର ୨୦୨୪ ରେ ବ୍ରୁକଲିନର ଆମେରିକୀୟ ଆଟର୍ଣ୍ଣି ଅଫିସ୍ ଏକ ଚାର୍ଜସିଟ ଅଭିଯୋଗ କରିଥିଲେ ଯେ, ଆଦାନୀ ଏବଂ ଅନ୍ୟ ଅଭିଯୁକ୍ତମାନେ ଭାରତରେ ସୌର ଶକ୍ତି ଚୁକ୍ତି ହାସଲ କରିବା ପାଇଁ ୨୫୦ ମିଲିୟନ ଡଲାରର ଲାଞ୍ଚ କାରବାରର ଷଡ଼ଯନ୍ତ୍ରରେ ସାହାଯ୍ୟ କରିଛନ୍ତି। ଅଭିଯୋଗ ହୋଇଥିଲା ଯେ, ସୌର ଶକ୍ତି ଚୁକ୍ତି ଜିତିବା ପାଇଁ ଆଦାନୀ ଏବଂ ଅନ୍ୟମାନେ ଭାରତ ସରକାରଙ୍କ ଅଧିକାରୀମାନଙ୍କୁ ଲାଞ୍ଚ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଯେତେବେଳେ ସେମାନେ ୟୁଏସ୍ ନିବେଶକମାନଙ୍କ ଠାରୁ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରୁଥିଲେ, ସେତେବେଳେ ସେମାନେ ଏହି ଯୋଜନାକୁ ଲୁଚାଇ ରଖିଥିଲେ। ଆଦାନୀ ଗ୍ରୁପ୍ କ୍ରମାଗତ ଭାବେ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଆସିଛି। ଗୌତମ ଆଦାନୀ ଏବଂ ତାଙ୍କ ପୁତୁରା ସାଗରଙ୍କ ସମେତ କୌଣସି ଅଭିଯୁକ୍ତ ଏପର୍ଯ୍ୟନ୍ତ ଏହି ଅଭିଯୋଗ ସମ୍ବନ୍ଧରେ କୋର୍ଟରେ ହାଜର ହୋଇ ନାହାନ୍ତି।

ଗ୍ରୁପ୍ ପକ୍ଷରୁ କୁହାଯାଇଛି ଯେ, ତାଙ୍କର କୌଣସି ସଂଗଠନ ବା ଅଧିକାରୀଙ୍କ ବିରୋଧରେ ଆମେରିକୀୟ ବିଦେଶୀ ଦୁର୍ନୀତି ନିବାରଣ ଆଇନ ଅଧୀନରେ କୌଣସି ଅଭିଯୋଗ ହୋଇନାହିଁ। ଏଥିସହିତ, ପାଣ୍ଠି ଯୋଗାଣ କରୁଥିବା ସେମାନଙ୍କର ଅକ୍ଷୟ ଶକ୍ତି ୟୁନିଟ୍ 'ଆଦାନୀ ଗ୍ରୀନ୍ ଏନର୍ଜି' ଏହି ମାମଲା ପ୍ରକ୍ରିୟାରେ ସାମିଲ ନାହିଁ। ସୂଚନାଯୋଗ୍ୟ ଯେ, ଗୌତମ ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ଥିବାବେଳେ ସାଗର ଆଦାନୀ ହେଉଛନ୍ତି ଆଦାନୀ ଗ୍ରୀନ୍ ଏନର୍ଜିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ।