ବାଙ୍ଗିରିପୋଷି,୦୪/୦୬: ବେଆଇନ ବନ୍ଧୁକ ଗୁଳି କାରବାରର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ନିଜ ଲାଇସେନ୍ସ ବନ୍ଧୁକ ପାଇଁ ଗୁଳି କିଣି ଶିକାରୀଙ୍କୁ ବିକୁଥିଲା ଅଭିଯୁକ୍ତ । ଗିରଫ ଅପରାଧୀ ଜଣକ ହେଲେ ମୟୁରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ଅଧିନ ଧୋବଣୀଶୋଳ ଗାଁର ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ଗିରିଙ୍କ ପୁଅ ଚିତ୍ତରଞ୍ଜନ ଗିରି(୬୨ ବର୍ଷ)।
ପୁଲିସ ସୂଚନା ଅନୁସାରେ, ଗତ ମେ ମାସ ୨୫ ତାରିଖ ବେଆଇନ ଗୁଳି କାରବାର ହେଉଥିବା ନେଇ ବାଙ୍ଗିରିପୋଷି ଥାନାରେ ମାମଲା ରୁଜୁ କରାଯାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ବାଙ୍ଗିରିପୋଷି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ତଦନ୍ତ ଜାରି ରଖିଥିଲେ। ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ମାମଲାରେ କିଛି ଦିନ ପୂର୍ବରୁ ୩ ଜଣ ଶିକାରୀଙ୍କୁ ଗରିଫ କରାଯାଇଥିଲା । ସେମାନଙ୍କୁ ପଚରାଉଚରା କରୁଥିବା ବେଳେ ଚିତ୍ତରଞ୍ଜନ ସେମାନଙ୍କୁ ଗୁଳି ଯୋଗାଉଥିବା ଜଣାପଡିଥିଲା। ବନ ବିଭାଗ ତରଫରୁ ଶିକାରୀଙ୍କଠାରୁ ମିଳିଥିବା ଗୁଳି ନେଇ ସନ୍ଦେହ ହେବାରୁ ପୁଲିସର ସହଯୋଗ ନେଇଥିଲେ। ପୁଲିସ ତଦନ୍ତ ବେଳେ ଶିକାରୀଙ୍କ ଠାରୁ ଜବତ ଗୁଳି ଗୁଡିକ ଲାଇସେନ୍ସ ପ୍ରାପ୍ତ ଲୋକଙ୍କ ନିକଟରେ ଥିବା ମୋଜଲ ଲୋଡ଼ିଂ ବନ୍ଧୁକର ବୋଲି ଜାଣିବାକୁ ପାଇଥିଲା। ଏନେଇ ବାଙ୍ଗିରିପୋଷିରେ ଥିବା ୧୬ ଜଣ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଧାରୀଙ୍କ ଉପରେ ନଜର ରଖିଥିଲେ। ତେବେ ସେମାନଙ୍କ ମଧ୍ୟରୁ ଚିତ୍ତରଞ୍ଜନ ଗିରିଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଥିଲା। ବାଙ୍ଗିରିପୋଷି ଆଇଆଇସି ବୀରେନ୍ଦ୍ର ସେନାପତି ସଦଳବଳେ ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲେ। ତାଙ୍କ ଘର ତଲାସୀ ବେଳେ ତାଙ୍କର ଏକ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ(ମେଡ଼ ଇନ ଇଂଲଣ୍ଡ) ସହ ଚାରିଟି ଜୀବନ୍ତ ଗୁଳି ଜବତ କରାଯାଇଛି। ଏହା ସହ ସେ ବାଲେଶ୍ୱର, କଟକ, ଭୁବନେଶ୍ୱର, ମେଦିନାପୁରର ଲାଇସେନ୍ସ ପ୍ରାପ୍ତ ଦୁକାନରୁ ୩୫ ଟି ରସିଦ ଦ୍ୱାରା ୯୫୪ରୁ ଉର୍ଦ୍ଧ୍ୱ ଗୁଳି କିଣିଥିବା ବେଳେ ସେ ସବୁର ରସିଦକୁ ଜବତ କରିଛି ପୁଲିସ। ଅଭିଯୁକ୍ତ ଚିତ୍ତରଞ୍ଜନ ଏତେ ପରିମାଣର ଗୁଳି ସବୁ କିଣି ଶିକାରୀଙ୍କୁ ବିକୁଥିଲା ଏବଂ ସେହି ଗୁଳିରେ ଶିକାରୀ ମାନେ ଶିମିଳିପାଳ ଅଭୟାରଣ୍ୟରେ ବନ୍ୟପ୍ରାଣୀ, ଜୀବଜନ୍ତୁ ଶିକାର କରୁଥିଲେ ।
୨୦୧୫ ମସିହା ଠାରୁ ଚିତ୍ତରଞ୍ଜନ ଏହି ସବୁ ଗୁଳି କାରବାରରେ ଲିପ୍ତ ରହିଥିବା ପୁଲିସ କହିଛି । ପୁଲିସ କିଛି ଦିନ ଧରି ଚିତ୍ତରଞ୍ଜନଙ୍କ ଉପରେ ନଜର ରଖିଥିବା ବେଳେ ମଙ୍ଗଳବାର ତାଙ୍କ ଘରେ ଚଢ଼ାଉ କରି ଗିରଫ କରିଥିଲେ। ଅନ୍ୟପକ୍ଷେ ସେ ଆହୁରି ଅଧିକ ଗୁଳି କିଣି ଏହି କାରବାରରେ ଲିପ୍ତ ରହିଥିବା ବେଳେ ହୁଏତ ବନ୍ଧୁକ କାରବାର ମଧ୍ୟ ଚଲାଉ ଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ଆଗକୁ କୋର୍ଟ ଚାଲାଣ ପରେ ପୁଣି ଥରେ ପୁଲିସ ରିମାଣ୍ଡରେ ଆଣି କାହା କାହାକୁ ଗୁଳି ବିକ୍ରି କରିଛି ଏବଂ ଏହି କାରବାର କେତେ ଯାଏଁ ଲମ୍ବିଛି ତାହା ମଧ୍ୟ ତଦନ୍ତ ଚାଲୁ ରହିବ ବୋଲି ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ପ୍ରକାଶ କରିଛନ୍ତି।