ନୂଆଦିଲ୍ଲୀ,୭।୬: ଲୋକସଭାର ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଶନିବାର ନିର୍ବାଚନରେ ବଡ଼ ଧରଣର ଠକେଇ ଅଭିଯୋଗ କରିଛନ୍ତି। ଏହା ସହ କହିଛନ୍ତି, ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଫଳାଫଳରେ ବଡ଼ ଧରଣର ’ହେରାଫେରି’ ହୋଇଛି। ଏହାଦ୍ବାରା ବିଜେପିକୁ ଲାଭ ମିଳିଛି । ସେ ଏହାକୁ ‘ଲୋକତନ୍ତ୍ରରେ ଚୋରିର ବ୍ଲୁପ୍ରିଣ୍ଟ’ ବୋଲି କହିଛନ୍ତି। ଶନିବାର ରାହୁଲ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, ମହାରାଷ୍ଟ୍ର ନିର୍ବାଚନରେ ବ୍ୟବସ୍ଥିତ ଭାବରେ ଠକେଇ ହୋଇଛି। ଏହାର ମଡେଲ ଏବେ ବିହାର ଭଳି ଅନ୍ୟ ରାଜ୍ୟରେ ଲାଗୁ କରାଯାଇପାରେ। 

ରାହୁଲ ଗାନ୍ଧୀ ଏହି ଅଭିଯୋଗ ଏକ ବିସ୍ତୃତ ଲେଖା ମାଧ୍ୟମରେ କରିଛନ୍ତି। ଯାହାକୁ  ‘ମ୍ୟାଚ୍ ଫିକ୍ସିଂ ମହାରାଷ୍ଟ୍ର’ ଶୀର୍ଷକରେ ଇଣ୍ଡିଆନ୍ ଏକ୍ସପ୍ରେସ୍‌ରେ ପ୍ରକାଶିତ କରାଯାଇଛି। ଏହାପରେ ତାକୁ ସୋସିଆଲ ମିଡିଆ ପ୍ଲାଟଫମ ‘ଏକ୍ସ’ରେ ସେୟାର କରିଛନ୍ତି ରାହୁଲ। ସେ ନିଜର ପୋଷ୍ଟରେ ୫ଟି ପର୍ଯ୍ୟାୟରେ ହୋଇଥିବା ନିର୍ବାଚନରେ ଠକେଇ ପକ୍ରିୟା ନେଇ ଖୁଲାସା କରିଛନ୍ତି। ରାହୁଲ ଲେଖିଛନ୍ତି, ନିର୍ବାଚନରେ କିଭଳି ଚୋରି ହୁଏ ? ୨୦୨୪ ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ  ବିଜେପି ଲୋକତନ୍ତ୍ରରେ ଠକେଇ କରିବାର ଚେଷ୍ଟା ଥିଲା। ସେ କହିଛନ୍ତି ‘ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ଠକେଇ’ ହୋଇଛି।

ରାହୁଲ ଗାନ୍ଧୀ ଲେଖିଛନ୍ତି, କେନ୍ଦ୍ର ସରକାର ୨୦୨୩ ରେ ଯେଉଁ ନୂଆ ଆଇନ ଆଣିଛନ୍ତି, ଏହା ଅନୁସାରେ, ମୁଖ୍ୟ ନିର୍ବାଚନ କମିଶନ୍ ଓ ନିର୍ବାଚନ କମିଶନଙ୍କ ନିଯୁକ୍ତି କରୁଥିବା କମିଟିରେ ନିରପେକ୍ଷତାକୁ ଶେଷ କରି ଦେଇଛି। ପୂର୍ବରୁ ଏହି କମିଟିରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧି ଦଳ ନେତା ଓ ଭାରତର ପ୍ରଧାନ ବିଚାରପତି ଥିଲେ। କିନ୍ତୁ ଏବେ ପ୍ରଧାନବିଚାରପତିଙ୍କ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ ରଖାଯାଇଛି, ଯାହାକି କେନ୍ଦ୍ର ସରକାରଙ୍କ ଆଡକୁ ତାଙ୍କର  ଦୁର୍ବଳତାକୁ ଦର୍ଶାଉଛି। ରାହୁଲ ଲେଖିଛନ୍ତି, ଆପଣ ନିଜକୁ ପଚାରନ୍ତୁ, କ’ଣ କେହି ନିରପେକ୍ଷ ନିଷ୍ପତ୍ତିକୁ ହଟାଇ ନିଜର ଘନିଷ୍ଠଙ୍କୁ ସେହି ସ୍ଥାନରେ ଆଣିବ ? ସେ କହିଛନ୍ତି, ଏହାଦ୍ବାରା ନିର୍ବାଚନ କମିଶନଙ୍କ ସ୍ବତନ୍ତ୍ରତା ଓ ନିରପେକ୍ଷକୁ ଆଘାତ ଲାଗୁଛି। ମତଦାନ ସୂଚୀରେ ନକଲି ଭୋଟରଙ୍କୁ ସ୍ଥାନ ଦିଆଯାଉଛି। ଏହାଛଡା ମତଦାନ ପ୍ରତିଶତକୁ ଅସମାନ୍ୟ ରୂପରେ ବଢାଇ ଦିଆଯାଉଛି। ଯେଉଁ ଅଞ୍ଚଳରେ ବିଜେପି ଦୁର୍ବଳ ସେଠାରେ ଫେକ୍ ଭୋଟିଂ କରାଯାଉଛି। ରାହୁଲ ନିଜର ପୋଷ୍ଟରେ ଲେଖିଛନ୍ତି, ମହାରାଷ୍ଟ୍ରର ୨୦୨୪ ବିଧାନସଭା ନିର୍ବାଚନ କୌଣସି ନିର୍ବାଚନ ନୁହେଁ, ବଂର ଏହା ଏକ ସୁନିୟୋଜିତ ମ୍ୟାଚ୍ ଫିକ୍ସିଂ ଥିଲା। ଏହା ଲୋକତନ୍ତ୍ର ପାଇଁ ବିଷ ଓ ଏହାର ଆଗାମୀ ପର୍ଯ୍ୟାୟ ବିହାର ହୋଇପାରେ।’