କଟକ,୧୭/୦୨ : ଆସନ୍ତା ଗୁରୁବାର ଅର୍ଥାତ୍ ୧୯ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏ ମାଟ୍ରିକ୍‌ ପରୀକ୍ଷା ସହ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଚାଲିବ । ତିନୋଟି ଯାକ ପରୀକ୍ଷା ପାଇଁ କେନ୍ଦ୍ର ଓ ପ୍ରଶ୍ନପତ୍ର ଗଚ୍ଛିତ ଥିବା ନୋଡାଲ୍‌ ସେଣ୍ଟର ମିଶି ୩ ହଜାର ୮୨ଟି ସେଣ୍ଟର କ୍ଲୋଜ୍‌ ସର୍କିଟ୍‌ କ୍ୟାମେରା ଫୋକସ୍‌ରେ ରହିଛି । ସମସ୍ତ ପରୀକ୍ଷା କେନ୍ଦ୍ରରେ କ୍ୟାମେରା ଖଞ୍ଜା ଯାଇଥିବାରୁ ପରୀକ୍ଷା ପରିଚାଳନା ସମୟରେ ସିଧାପ୍ରସାରଣ ହେବ । ଏଥିଲାଗି ବୋର୍ଡରେ ଏକ କମାଣ୍ଡ କଣ୍ଟ୍ରୋଲ୍‌ ରୁମ୍‌ ଖୋଲଯାଇଛି । ଏହି କଣ୍ଟ୍ରୋଲ ରୁମ୍‌ ଆଜିଠାରୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି । 

ପ୍ରଶ୍ନପତ୍ର ଗଚ୍ଛିତ ଥିବା ଅନେକ ନୋଡାଲ୍‌ ସେଣ୍ଟରର ସ୍ଥିତିର ସିଧା ପ୍ରସାରଣ କମାଣ୍ଡ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ ବୋର୍ଡ କର୍ତ୍ତୃପକ୍ଷ ଅନୁଧ୍ୟାନ କରିଛନ୍ତି । ସେହିପରି ଉପାନ୍ତ ଜିଲ୍ଲାର କେତେକ ପରୀକ୍ଷା କେନ୍ଦ୍ରର ପ୍ରସ୍ତୁତି ମଧ୍ୟ ଅନୁଧ୍ୟାନ କରିଛନ୍ତି । ଏହି କମାଣ୍ଡ୍‌ କଣ୍ଟ୍ରୋଲ୍‌ ରୁମ୍‌ ପରୀକ୍ଷା ପରିଚାଳନା ନିୟନ୍ତ୍ରଣ କରିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ସେହିପରି କପି ରୋକିବା ପାଇଁ ବୋର୍ଡ ପକ୍ଷରୁ ୩୭ଟି ସ୍ପେସାଲ୍‌ ସ୍କ୍ୱାଡ୍‌ ଗଠନ କରାଯାଇଛି । ସ୍କ୍ୱାଡ୍‌ରେ ଅଧ୍ୟାପକଙ୍କଠାରୁ ଆରମ୍ଭ କରି ଶିକ୍ଷା ବିଭାଗ ଅଧିକାରୀ, ପ୍ରଧାନଶିକ୍ଷକ ଓ ବରିଷ୍ଠ ଶିକ୍ଷକମାନଙ୍କୁ ସାମିଲ୍‌ କରାଯାଇଛି । ପରୀକ୍ଷା ସମୟରେ ସ୍କ୍ୱାଡ୍‌ର ଭୂମିକା କଣ ରହିବ ସେ ସମ୍ପର୍କରେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସଦସ୍ୟମାନଙ୍କୁ ନେଇ ସମୀକ୍ଷା କରିଛନ୍ତି । 

ଆହୁରି ପଢନ୍ତୁ - ଟ୍ରାଫିକ୍ ଯନ୍ତ୍ରଣାରେ ଜନସାଧାରଣ ଅସ୍ତବ୍ୟସ୍ତ, ପୁଲିସ କିନ୍ତୁ ବେଫିକର୍​​​​​​​

ପରୀକ୍ଷା ସମୟରେ କୌଣସି କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କଠାରୁ କପି ବାହାରିଲେ ହଲ୍‌ରେ ପରୀକ୍ଷା ନିରୀକ୍ଷକ ଓ ଅଧୀକ୍ଷକମାନେ ଦାୟୀ ରହିବେ ବୋଲି ବୋର୍ଡ ସଭାପତି ଚେତାବନୀ ଦେଇଛନ୍ତି । ଯାଞ୍ଚ ସମୟରେ ଯଦି କୌଣସି କେନ୍ଦ୍ରରେ ଅନିୟମିତତା ହେଉଥିବା ନେଇ ମନରେ ସନ୍ଦେହ ଆସେ ତୁରନ୍ତ ବୋର୍ଡ କଣ୍ଟ୍ରୋଲ୍‌ ରୁମ୍‌ ଓ ବୋର୍ଡ ଅଧିକାରୀଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲା ସ୍ତରରେ ଡିଇଓମାନଙ୍କ ଦ୍ୱାରା ୭୨ଟି ସ୍କ୍ୱାଡ୍‌ ଗଠନ କରାଯାଇଥିବାର ସୂଚନା ମିଳିଛି । ଗତବର୍ଷ ୧ ହଜାର ସେଣ୍ଟରରେ ସିଧା ପ୍ରସାରଣ କରାଯାଇଥିବାବେଳେ ଏଥର ସମସ୍ତ ପରୀକ୍ଷା କେନ୍ଦ୍ରରେ ସିଧାପ୍ରସାରଣ ପାଇଁ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଥିବାରୁ କମାଣ୍ଡ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ ଅଧିକ ବୈଷୟିକ ଅଧିକାରୀ, କର୍ମଚାରୀ ନିୟୋଜିତ କରାଯାଇଛି । ଏହି ବ୍ୟବସ୍ଥାରେ ପ୍ରତିଟି କେନ୍ଦ୍ରର ପରୀକ୍ଷା ପରିଚାଳନା ସ୍ଥିତିକୁ ଅଧିକାରୀମାନେ ବୋର୍ଡ କାର୍ଯ୍ୟାଳୟରୁ ଅନୁଧ୍ୟାନ କରିପାରିବେ ବୋଲି ଜଣାଯାଇଛି । ବୋର୍ଡରୁ ମିଳିଥିବା ସୂଚନାନୁସାରେ, ଏଥର ମାଟ୍ରିକ୍‌ ପରୀକ୍ଷା ପାଇଁ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ପରୀକ୍ଷା ପାଇଁ ୧୨ ହଜାର ୪୧୪ ଓ ମଧ୍ୟମା ପାଇଁ ୨ହଜାର ୭୪୮ ପ୍ରାର୍ଥୀ ଫର୍ମ ପୂରଣ କରିଛନ୍ତି ।