ନୂଆଦିଲ୍ଲୀ, ୧୯/୦୩ : ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚି ଆମେରିକୀୟ ଏଜେଣ୍ଟ ମାଥ୍ୟୁ ଭାନଡାଇକ୍ ସହ ୬ ୟୁକ୍ରେନ୍ ନାଗରିକ ଗିରଫ। ମିଜୋରାମ-ମିଆଁମାର ସୀମାରୁ ମାଥ୍ୟୁକୁ ଗିରଫ କରାଯାଇଛି। ଏବେ ଏନଆଇଏ ଏହି ମାମଲାର ତଦନ୍ତ ଚଳାଇଛି। ମାଥ୍ୟୁ ଏହି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ୍ ଏବଂ ସେ ଆତଙ୍କବାଦୀଙ୍କୁ ଟ୍ରେନିଂ ଦେଉଥିଲା ବୋଲି ତଦନ୍ତରୁ ଜଣାପଡ଼ିଛି। ତଦନ୍ତକାରୀ ସଂସ୍ଥା ହାତରେ ବଡ଼ ସୁରାକ ଲାଗିଛି। ତେବେ ଏହି ଏଜେଣ୍ଟମାନେ ମିଆଁମାର ସୀମାରେ କଣ କରୁଥିଲେ ଏବଂ କେଉଁ ମଡ୍ୟୁଲ୍ ତିଆରି କରୁଥିଲେ ସେନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମାଥ୍ୟୁ ଗିରଫ ହେବା ପରେ ତାର ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ମୋବାଇଲ୍ ଫୋନରୁ ଏନଆଇଏକୁ ବଡ଼ ସୁରାକ ମିଳିଛି। ଭାନଡାଇକ୍ ପୂର୍ବରୁ ଅନେକ ଆନ୍ତର୍ଜାତୀୟ ସଂଘର୍ଷ ଏବଂ ସାମରିକ କାର୍ଯ୍ୟକଳାପରେ ସଂପୃକ୍ତ ଅଛି। ସେ ଜଣେ ଆମେରିକୀୟ ଅପରେଟିଭ୍ ଏବଂ ସୈନ୍ୟ ପ୍ରଶିକ୍ଷକ। ବିଶେଷ କରି ସେ ସ୍ପେଶାଲ୍ ଫୋର୍ସେଜ୍ ଷ୍ଟାଇଲ୍ ରେ ଟ୍ରେନିଂ ଦେବା ପାଇଁ ଜଣାଶୁଣା। ସେ ଗରିଲା ଯୁଦ୍ଧ, ସାମରିକ ଅପରେସନ୍, ଡ୍ରୋନ୍ ଏବଂ ଆଧୁନିକ ଯୁଦ୍ଧ କୌଶଳ ଶିଖାଏ। ମାଥ୍ୟୁ ଭାନ୍ ଡାଇକ୍ ନାମ ପ୍ରଥମେ ଲିବିଆ ଗୃହଯୁଦ୍ଧ ସମୟରେ ସାମ୍ନାକୁ ଆସିଥିଲା। ହେଲେ ଏହି ଅନ୍ତରାଷ୍ଟ୍ରୀୟ ହିଟମ୍ୟାନ୍ ଏବେ ଭାରତର ପୂର୍ବୋତ୍ତରରେ କଣ କରୁଛି ତାହାକୁ ନେଇ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଭାନଡାଇକ୍ ର ଅସଲ ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଚାଲିଛି।
ମାଥ୍ୟୁର ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ସମୟରେ କିଛି ରେକର୍ଡିଂ ଯାଞ୍ଚ ଏଜେନ୍ସି ହାତରେ ଲାଗିଛି। ଏଥିରେ ଥିବା ଏକ ରେକଡିଂରେ ସେ କହିଛି ଯେ, ସ୍ଵାଧୀନତା ପ୍ରତ୍ୟେକ ବ୍ୟକ୍ତିର ଅଧିକାର ଏବଂ ଇତିହାସର ଗତିପଥ ବଦଳାଇବାକୁ ପଡ଼ିବ ବୋଲି କହିଛି। ଏଥିରୁ ଜଣା ପଡ଼ୁଛି ଯେ, ସେ ସ୍ଥାନୀୟ ଲୋକଙ୍କୁ ଉସକାଇବା ପାଇଁ ଚେଷ୍ଟା କରୁଥିଲା। ଖାଲି ସେତିକି ନୁହେଁ ଭେନେଜୁଏଲା, ମିଆଁମାର ଏବଂ ଇରାନ ଭଳି ଦେଶର ବିଦ୍ରୋହୀ ସମୂହଙ୍କ ଯାଏଁ ମାଥ୍ୟୁର ନେଟୱାର୍କ ରହିଛି। ସେ ଭାରତ ବିରୋଧୀ ଗତିବିଧିରେ ସାମିଲ ଥାଇପାରେ ବୋଲି ସନ୍ଦେହ ବଢିଛି।
ଏହି ଖବରଟିକୁ ପଢନ୍ତୁ- ଇରାନ ଏହି ଯୁଦ୍ଧ ହାରିବନି, ଭାରତ ସମର୍ଥନ କରିବା ଦରକାର : ପୂର୍ବତନ RAW ମୁଖ୍ୟ ଏଏସ୍ ଦୁଲାଟଙ୍କ ଭବିଷ୍ୟବାଣୀ