ମୁମ୍ବାଇ,୧୭/୩ : ଆଇପିଏଲ୍ ୨୦୨୬ର ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଟୁର୍ଣ୍ଣାମେଣ୍ଟରେ ଖେଳୁଥିବା ସମସ୍ତ ୧୦ଟିମ୍ ଆଗାମୀ ସିଜନ ଲାଗି ନିଜ ନିଜ ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ । ଏହା ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆରମ୍ଭ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ(LSG) ଲାଗି ବଡ଼ ଖୁସି ଖବର ସାମ୍ନାକୁ ଆସିଛି । ପ୍ରକାଶ ଯେ, ୧୫୬କିମି ଗତିରେ ବୋଲିଂ କରୁଥିବା ମୟଙ୍କ ୟାଦବ ସମ୍ପୂର୍ଣ୍ଣ ଭାବେ ଫିଟ୍ ହୋଇସାରିଛନ୍ତି ।
ଲମ୍ବା ସମୟରୁ ଆହତ ଥିବା ମୟଙ୍କ ଲକ୍ଷ୍ନୌ ସୋସିଆଲ ମିଡ଼ିଆ ମାଧ୍ୟମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ସେ ପୂରା ଟିମ୍ ସହ ବୋଲିଂ କରୁଥିବା ନଜର ଆସିଛନ୍ତି । ମୟଙ୍କ ପଡ଼ିଆକୁ ପୁଣି ଫେରିବା ଲକ୍ଷ୍ନୌ ଲାଗି ବଡ଼ ବୁଷ୍ଟ୍ ସାବ୍ୟସ୍ତ ହେବ । ଭିଡ଼ିଓରେ ଦେଖାଯାଇପାରେ କି ମୟଙ୍କ ନିଜ ବୋଲିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି ।
ଭିଡ଼ିଓରେ ମୟଙ୍କ ୟାଦବ ଏବଂ ମୁକୁଲ ଚୌଧୁରୀଙ୍କ ମଧ୍ୟରେ ଯୁଦ୍ଧ ଦେଖିବାକୁ ମିଳିଛି । ମୟଙ୍କଙ୍କୁ ମୁକୁଲଙ୍କ ସାମ୍ନାରେ ଏକ ଓଭରରେ ୧୫ରନ୍ ଡିଫେଣ୍ଡ କରିବାରେ ଥିଲା । ଏହି ସମୟରେ ମୟଙ୍କ ବହୁ ସୁନ୍ଦର ବୋଲିଂ କରି ୩ରନରେ ବିଜୟ ହାସଲ କରିଛନ୍ତି । ମୟଙ୍କ ତରଫରୁ କିଛି ସଠିକ୍ ୟର୍କର ଦେଖିବାକୁ ମିଳିଛି । ମୟଙ୍କଙ୍କ ଗତି ସାମ୍ନା କରିବା ମୁକୁଲ ଲାଗି ଆଦୌ ସହଜ ନ ଥିଲା ।
ପ୍ରକାଶ ଯେ, ମୟଙ୍କ ୨୦୨୬ ଟି-୨୦ ବିଶ୍ବକପଆରମ୍ଭ ପୂର୍ବରୁ ଭାରତ ଲାଗି ଓ୍ବାର୍ମଅପ ମ୍ୟାଚ୍ ଖେଳୁଥିବା ନଜର ଆସିଥିଲେ । ସେ ୟୁଏସଏ ଏବଂ ନାମବିୟା ବିପକ୍ଷ ଦୁଇଟି ଓ୍ବାର୍ମଅପ ମ୍ୟାଚ୍ ଖେଳିଥିଲେ । ପ୍ରଥମ ମ୍ୟାଚରେ ସେ ୩୭ରନ୍ ଦେଇଥିଲେ । ପରେ ଦ୍ବିତୀୟ ମ୍ୟାଚରେ ମୟଙ୍କ ୧୭ରନ୍ ଦେଇ ୨ଓ୍ବିକେଟ ନିଜ ନାଁରେ କରିନେଇଥିଲେ । ଏବେ ଦେଖିବାକୁ ବାକି ରହିଲା ଆଇପିଏଲରେ ତାଙ୍କର ପ୍ରଦର୍ଶନ କିଭଳି ରହିବ ।