ଭୁବନେଶ୍ୱର ୧୪/୦୪: ଛେଳିର ନାଁ ‘ମୟୂରଝର’ ଓ କୁକୁଡ଼ାର ନାଁ  ‘ମୟୂରଝରୀ’ । ଓଡ଼ିଶାର ଆଦିବାସୀ  ଅଧ୍ୟୁଷିତ କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳୁଥିବା ଏହି  ଛେଳି ଓ କୁକୁଡ଼ା ଯେ ବିଶେଷ ଗୁଣର  ଅଧିକାରୀ ତାହା ଓୟୁଏଟି ଗବେଷକ  ଦଳ ଜାଣିବାକୁ ପାଇଛନ୍ତି। ପ୍ରାୟ  ବର୍ଷେ ହେଲାଣି ଏମାନେ ଗବେଷଣା  କରୁଥିବାବେଳେ ଏହି ଦୁଇ ପ୍ରାଣୀଙ୍କୁ  ଯେପରି ଜାତୀୟ ମାନ୍ୟତା ମିଳିପାରିବ  ସେଥିପାଇଁ ଚଳିତ ମାସ ଶେଷରେ  ଓୟୁଏଟି ଗବେଷକ ଦଳ ନ୍ୟାସନାଲ  ବ୍ୟୁରୋ ଅଫ୍‌ ଆନିମଲ ଜେନେଟିକ୍‌  ରିସୋର୍ସେସ୍‌(ଏନବିଏଜିଆର)କୁ ଚିଠି ଲେଖିବେ ବୋଲି ଜଣାପଡିଛି । ଏହି ଛେଳି ଓ  କୁକୁଡ଼ାର ପ୍ରଚାର ପ୍ରସାର କରାଗଲେ ଚାଷୀ  ଏଗୁଡିକୁ କିଣି ଲାଭବାନ ହେବେ ବୋଲି ଗବେଷକ ଦଳ ମତପ୍ରକାଶ କରିଛନ୍ତି ।  

ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଓ  ମୟୁରଭଞ୍ଜ ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ଏହି  ଛେଳି ଓ କୁକୁଡ଼ା ଦେଖିବାକୁ ମିଳିଥାନ୍ତି ।  ଓଡ଼ିଶାରେ ଯେତେ ଛେଳି ଅଛନ୍ତି ତାହାର  ୨୫ ପ୍ରତିଶତ ହେଉଛି ମୟୂରଝର ଛେଳି ।  ସେହିପରି ରାଜ୍ୟର ମୋଟ କୁକୁଡ଼ା ସଂଖ୍ୟାର  ୨୦ ପ୍ରତିଶତ ହେଉଛନ୍ତି ମୟୂରଝରୀ କୁକୁଡ଼ା ।  

ସାଧାରଣ ଛେଳି ଓ କୁକୁଡ଼ାଠାରୁ  ଏହି ପ୍ରଜାତି ସାମାନ୍ୟ ବଡ଼ । ‘ମୟୂରଝର’  ଛେଳିର ରଙ୍ଗ ମୁଖ୍ୟତଃ କଳା ଓ ବାଦାମୀ ।  ଏହି ଛେଳି ବର୍ଷକର ହେଲେ ଗର୍ଭଧାରଣ  କରିପାରନ୍ତି । ଆଉ କେତେକ ଛେଳି ୬ରୁ ୮  ମାସ ହେଲେ ଗର୍ଭଧାରଣ କରିପାରିଥାନ୍ତି ।  ଏହି ଛେଳି ଏକ ସମୟରେ ଯାଆଁଳା  ଶାବକ ଜନ୍ମ କରେ । କେତେକ ଛେଳି ଏକାଥରରେ ୩ଟି ଛୁଆ ବି ଜନ୍ମ କରିଥାନ୍ତି ।  ଗୋଟିଏ ବୟସ୍କ ଛେଳିର ଓଜନ ୩୦ କିଗ୍ରା  ହୋଇଥାଏ । ଖାସିଗୁଡ଼ିକ ବର୍ଷକରେ ୧୫  କିଗ୍ରା ହୋଇଯାନ୍ତି ଯାହାର ଦାମ୍‌ ୭ରୁ ୧୦  ହଜାର ଟଙ୍କା ରହିଥାଏ । ଛେଳି ଚାଷୀଙ୍କ  କହିବାନୁସାରେ, ଏହି ଛେଳିର ମାଂସ  ଭାରି ସୁଆଦିଆ । ସେଥିପାଇଁ ପ୍ରସିଦ୍ଧ  ବାରିପଦା ମୁଢ଼ି ସହ ଏହାକୁ ଖିଆଯାଏ ।  

ସେହିପରି ‘ମୟୂରଝରୀ’ କୁକୁଡ଼ା  ଦେଖିବାକୁ ମୟୂର ଭଳି । ଏହାର ଗୋଡ଼  ମୋଟା ଓ ଶକ୍ତ । ଲାଞ୍ଜ ଲମ୍ବା । ଏମାନେ  ବହୁ ଉଚ୍ଚକୁ ଉଡ଼ିପାରୁଥିବା ବେଳେ  ଲଢ଼େଇ ପ୍ରିୟ । ବିପଦରେ ପଡ଼ିଲେ  ଏମାନେ ଶତ୍ରୁକୁ ଚକ୍‌ମା ଦେଇ ଖସି  ପଳାଇଥାନ୍ତି । ଗଞ୍ଜା ଲଢେଇ ପାଇଁ ଏଗୁଡିକୁ  କିଣାଯାଉଥିବାରୁ ଏହି କୁକୁଡ଼ାର ଚାହିଦା  ବହୁତ । ମାଈ କୁକୁଡ଼ା ବର୍ଷକୁ ୪ ଥରରେ  ୬୦ଟି ଅଣ୍ଡା ଦେଇଥାନ୍ତି । ୬ ମାସରୁ ହିଁ  ଏମାନେ ଅଣ୍ଡା ଦେବା ଆରମ୍ଭ କରନ୍ତି ।  

ଉଭୟ ଛେଳି ଓ କୁକୁଡ଼ାଠାରେ  ରହିଛି ଅଧିକ ରୋଗ ପ୍ରତିରୋଧକ  ଶକ୍ତି । ପ୍ରଥମେ ଏହି ଛେଳି ଓ କୁକୁଡ଼ାକୁ  ସମସ୍ତେ ସାଧାରଣ ଛେଳି ଓ କୁକୁଡ଼ା  ବୋଲି ଭାବୁଥିଲେ । ହେଲେ ଓୟୁଏଟି  ଗବେଷକ ଦଳ ଏହା ଉପରେ ଗବେଷଣା  କଲା ପରେ ଏମାନଙ୍କ ଭିତରେ ସ୍ୱତନ୍ତ୍ର  ଗୁଣ ରହିଥିବା ଜାଣିବାକୁ ପାଇଛନ୍ତି ।  

ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ  ମୟୂରଭଞ୍ଜ ଜିଲ୍ଲାରେ ହାଁସଲି କୁକୁଡ଼ା  ଚିହ୍ନଟ ହୋଇଥିଲା । ହେଲେ ମୟୂରଝରୀ  କୁକୁଡ଼ା ହାଁସଲିଠାରୁ ବୁଦ୍ଧିଆ । ଗବେଷକ  ଦଳର ମୁଖ୍ୟ ଓୟୁଏଟିର ପ୍ରାଣୀ ପ୍ରଜନନ  ଓ ଆନୁବଂଶିକୀ ବିଭାଗର ମୁଖ୍ୟ ସୁଶାନ୍ତ  ଦାସ କହନ୍ତି, ଏହି କୁକୁଡ଼ା ଓ ଛେଳି ଉପରେ ଗବେଷଣା କରିବାକୁ ରାଷ୍ଟ୍ରପତି  ଭବନରୁ ନିର୍ଦ୍ଦେଶ ଆସିଥିଲା । ଓୟୁଏଟି  କୁଳପତି ପ୍ରଫେସର ପ୍ରଭାତ କୁମାର  ରାଉଳଙ୍କ ତତ୍ତ୍ୱାବଧାନରେ ଗବେଷଣା  ଚାଲିଛି । ଯଦି ଏମାନଙ୍କୁ ଜାତୀୟ ମାନ୍ୟତା  ମିଳିବ ତେବେ ଓଡ଼ିଶା ପଶୁସମ୍ପଦ  କ୍ଷେତ୍ରର ବିକାଶରେ ଏମାନେ ମୁଖ୍ୟ  ମାଧ୍ୟମ ପାଲଟିବା ସହ ଚାଷୀଙ୍କ ଆୟ ଯେ  ନିଶ୍ଚୟ ବଢ଼ିବ ସେଥିରେ ସନ୍ଦେହ ନାହିଁ ।