ନୂଆଦିଲ୍ଲୀ ୨୨/୦୪: ହରିୟାଣାର ଫରିଦାବାଦରେ ବିଗତ ୬ ବର୍ଷ ହେଲା ଏକ ଅଭିନବ ବ୍ୟାଙ୍କ୍ କାମ କରୁଛି । ସେଠାରେ ଟଙ୍କା ନୁହେଁ, ଔଷଧ ଜମା କରାଯାଏ । ଆବଶ୍ୟକସ୍ଥଳେ ସେହି ଔଷଧକୁ ମାଗଣାରେ ଗରିବ ଲୋକଙ୍କୁ ବିତରଣ କରାଯାଇଥାଏ । ଜଣେ ସ୍ଥାନୀୟ ଯୁବତୀ ମୀନୁ ଏବଂ ତାଙ୍କର କିଛି ବନ୍ଧୁଙ୍କୁ ନେଇ ଗଠିତ ଟିମ୍ ଏହି ବ୍ୟାଙ୍କ୍‌କୁ ଚଳାଉଛନ୍ତି । ସେମାନଙ୍କ ମଧ୍ୟରୁ କିଛି ଓକିଲ ହୋଇଥିବାବେଳେ କିଛି ଜଣ କର୍ପୋରେଟ୍ ପ୍ରଫେସନାଲ ଭାବେ କାମ କରୁଛନ୍ତି । ନିଜର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତେ୍ୱ ପ୍ରତିଦିନ କିଛି ଘଣ୍ଟା ସମୟ ବାହାର କରି ସେମାନେ ଘର ଘର ବୁଲି ଲୋକଙ୍କଠାରୁ ବଳକା ଔଷଧ ସଂଗ୍ରହ କରିଥାନ୍ତି । ସେଥିରୁ ଏକ୍ସପାଏରୀ ହୋଇଯାଇଥିବା ଔଷଧକୁ ବାଛି ଅଲଗା କରିଥାନ୍ତି । ପରେ ଭଲଥିବା ଔଷଧକୁ ‘ମେଡିସିନ୍ ବ୍ୟାଙ୍କ୍’ରେ ଜମା କରାଯାଏ । ଡାକ୍ତରଙ୍କ ପ୍ରେସ୍‌କ୍ରିପସନ୍ ନେଇ ଆସୁଥିବା ଯେକୌଣସି ବ୍ୟକ୍ତି ମାଗଣାରେ ସେଠୁ ଔଷଧ ନେଇଥାନ୍ତି ।

ମୀନୁ କହିଛନ୍ତି, ଅନେକ ଗରିବ ଲୋକ ଅର୍ଥ ଅଭାବରୁ ଔଷଧ କିଣିବାକୁ ଅସୁବିଧାର ସାମ୍ନା କରିଥାନ୍ତି । ଅନ୍ୟପଟେ କିଛି ଲୋକ ସେମାନଙ୍କର ବଳି ପଡିଥିବା ଔଷଧକୁ ଅଳିଆଗଦାରେ ଫିଙ୍ଗିଥାନ୍ତି । ଏଭଳିସ୍ଥିତିକୁ ଦେଖି ତାଙ୍କ ମନରେ ଲୋକଙ୍କଠାରୁ ବଳି ପଡିଥିବା ଔଷଧକୁ ସଂଗ୍ରହ କରିବାର ଚିନ୍ତାଧାରା ଆସିଥିଲା । ସାଙ୍ଗମାନଙ୍କ ସହ ଏଥିନେଇ ଆଲୋଚନା କରିବାରୁ ସେମାନେ ମଧ୍ୟ ଏହି ମହତ କାର୍ଯ୍ୟ ପାଇଁ ରାଜି ହୋଇଗଲେ । ସେଇଠୁ ଏହି ‘ମେଡିସନ୍ ବ୍ୟାଙ୍କ୍’ ଜନ୍ମ ନେଲା । ଘର ଘର ବୁଲି ବଳକା ଔଷଧ ସଂଗ୍ରହ ସହ ସେମାନେ ଲୋକଙ୍କୁ ସୋସିଆଲ୍ ମିଡିଆ ଜରିଆରେ ମଧ୍ୟ ଔଷଧ ଦାନ ପାଇଁ ନିବେଦନ କରିଥାନ୍ତି । ସେମାନଙ୍କର ଏହି ପଦକ୍ଷେପ ଯୋଗୁ ପ୍ରଭାବିତ ହୋଇ ଅନେକ ଲୋକ ଆଜିକାଲି କୋରିୟର ମାଧ୍ୟମରେ ଔଷଧ ପଠାଉଛନ୍ତି । କିଛି ଔଷଧ ବିଦେଶରୁ ବି ଆସୁଛି । ସେମାନଙ୍କ ଗ୍ରୁପରେ ବିଗତ କିଛି ମାସ ହେଲା ଅନେକ ଡାକ୍ତର ଯୋଗ ଦେଇଛନ୍ତି । ସେହି ଡାକ୍ତରମାନେ ମାଗଣାରେ ଗରିବ ରୋଗୀଙ୍କୁ ଦେଖିବା ସହ ପ୍ରେସ୍‌କ୍ରିପସନ୍ ଲେଖିଥାନ୍ତି । ଅଦ୍ୟାବଧି ହଜାର ହଜାର ଲୋକ ଏହି ‘ମେଡିସନ୍ ବ୍ୟାଙ୍କ୍’ ଯୋଗୁ ଲାଭବାନ୍ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ଆହୁରି ପଢନ୍ତୁ...କଲେଜକୁ ପିତାଙ୍କ ନିବେଦନ, ସାଇକେଲ୍‌ରେ ଶୌଚାଳୟ ନେଇ ଝିଅର ନାମ ଲେଖାଇବାକୁ ଅନୁରୋଧ