ମୁମ୍ୱାଇ : ହିନ୍ଦୀ ଫିଲ୍ମରେ ନିଜର ଅଭିନୟ ଓ ସୌନ୍ଦର୍ଯ୍ୟତାର ଛାପ ଛାଡ଼ି ଥିବା, ମୀନା କୁମାରୀଙ୍କର ଶେଷ ସମୟ ଅତି ଖରାପ ସମୟ ଦେଇ ଗତି କରିଥିଲା। ଅଭିନେତ୍ରୀ ଲିଭର ସିରୋସିସ୍ ରୋଗରେ ପୀଡ଼ିତ ଥିଲେ ଏବଂ ଦୀର୍ଘ ଦିନର ଚିକିତ୍ସା ପରେ ମଧ୍ୟ ସେ ବଞ୍ଚି ପାରି ନଥିଲେ। କିନ୍ତୁ ଯେବେ ସେ ଅସୁସ୍ଥ ଓ ଶଯ୍ୟାଶାୟୀ ଥିଲେ , ଅନେକ ସମୟରେ ଗୋଟିଏ ଗୀତକୁ ବାରମ୍ୱାର ଶୁଣୁ ଥିଲେ। ସେ ଅନୁଭବ କରୁଥିଲେ ଯେ, ଏହି ଗୀତ ତାଙ୍କ ଜୀବନ ସହ ଜଡ଼ିତ। ତାହା ଏକ ଏମିତି ଗୀତ ଥିଲା, ତାହାକୁ ଯନ୍ତ୍ରଣାସିକ୍ତ ଦିନରେ ବି ମୀନାକୁମାରୀକୁ ଆଶ୍ୱସ୍ତି ଓ ଶାନ୍ତି ପ୍ରଦାନ କରୁଥିଲା। ମୀନା ଯେବେ ଏହି ଗୀତକୁ ଗୁଣୁ ଗୁଣାଉ ଥିଲେ , ତାଙ୍କର ଅଧା ଦୁଃଖ ଭୁଲି ଯାଉ ଥିଲେ। ମୀନା କୁମାରୀଙ୍କ ଏହି ଗୀତରେ ଏତେ ଗଭୀର ନିବିଡ଼ତା ଥିଲା ଯେ, ଯେବେ ମହମ୍ମଦ ରଫି ତାଙ୍କୁ ଭେଟିବାକୁ ଆସି ଥିଲେ ତ , ଅଭିନେତ୍ରୀ ତାଙ୍କୁ ଏହି ଗୀତ ଗାଇବାକୁ ଅନୁରୋଧ କରି ଥିଲେ।
୧୯୬୧ ମସିହାରେ ମୀନା କୁମାରୀଙ୍କ ଏକ ଫିଲ୍ମ ରିଲିଜ ହୋଇ ଥିଲା , ଯାହାର ନାଁ ଥିଲା ‘ପ୍ୟାର କା ସାଗର’। ଏହି ଫିଲ୍ମରେ ମୀନାଙ୍କ ସହ ଅଭିନେତା ରାଜେନ୍ଦ୍ର କୁମାର ଲିଡ୍ ରୋଲରେ ଥିଲେ। ଏହି ଫିଲ୍ମରେ ଅନେକ ସୁନ୍ଦର ସୁନ୍ଦର ଗୀତ ଥିଲା , ଯେମିତି କି – ‘ମୁଝେ ପ୍ୟାର କି ଜିନ୍ଦଗୀ ଦେନେ ବାଲେ , କଭି ଗମ୍ ନ ଦେନା ଖୁସି ଦେନେ ୱାଲେ ’। ଏହି ଗୀତକୁ ଉଭୟ ମହମ୍ମଦ ରଫି ଓ ଆଶା ଭୋସଲେ ଗାଇ ଥିଲେ। ଏହି ଗୀତ ମୀନା କୁମାରୀଙ୍କର ଯନ୍ତ୍ରଣାର ମହୋଷଧୀ ପାଲଟି ଯାଇ ଥିଲା। ତାଙ୍କର ଏକୁଟିଆପଣ ,ଯନ୍ତ୍ରଣା ଭୁଲିବା ପାଇଁ ସେ ଏହି ଗୀତକୁ ଗୁଣୁ ଗୁଣାଉ ଥିଲେ। ଏହା ସେହି ସମୟ ଥିଲା , ଯେବେ ମୀନା ରୋଗାଗ୍ରସ୍ତ ହୋଇ ସାରି ଥିଲେ। ମୃତ୍ୟୁ ସହ ଲଢୁ ଥିଲେ। ତାଙ୍କୁ ଫିଲ୍ମ ସେଟ୍ରେ ନୁହେଁ ଘରର ଏକ କୋଣରେ ପଡ଼ି ଶଯ୍ୟାରେ ରୋଗୀଣା ଅବସ୍ଥାରେ ଦେଖିବାକୁ ମିଳୁଥିଲା। ତାଙ୍କର ଶେଷ ସମୟରେ ଫିଲ୍ମ ଜଗତର ଅନେକ କଳାକାର ତାଙ୍କୁ ଭେଟିବାକୁ ପହଞ୍ଚି ଥିଲେ। ଏହି କ୍ରମରେ ଦିନେ ସିଙ୍ଗର ମହମ୍ମଦ ରଫି ମଧ୍ୟ ପହଞ୍ଚିଲେ। ମୃତ୍ୟୁ ଶଯ୍ୟାରେ ମୀନା କୁମାରୀ , ମହମ୍ମଦ ରଫିଙ୍କୁ ସେହି ଗୀତ ଗାଇବାକୁ ଅନୁରୋଧ କରିଥିଲେ , ଯେଉଁଟା ତାଙ୍କ ହୃଦୟର ଖୁବ୍ ନିକଟତର ଥିଲା।
ରୋଗରେ ପୀଡ଼ିତ, ମୃତ୍ୟୁ ସହ ଲଢୁ ଥିବା ମୀନା କୁମାରୀଙ୍କ ଏହି ଇଚ୍ଛାକୁ ମହମ୍ମଦ ରଫି ଟାଳି ଦେଇ ନଥିଲେ। ସେ ତାଙ୍କ ଶଯ୍ୟା ନିକଟରେ ବସି ଥିଲେ। ସେ ସେହି ଯନ୍ତ୍ରଣା ଓ ଫିଲିଂ ସହ ମୀନାଙ୍କ ସାମନାରେ ଗୀତ ଗାଇଲେ ..ମୁଝେ ପ୍ୟାର କି ଜିନ୍ଦଗୀ ଦେନେ ୱାଲେ , କଭି ଗମ ନଦେନା ଖୁସି ଦେନେ ୱାଲେ । ଏହି ଗୀତ ମୀନାଙ୍କ ଆତ୍ମା ସହ ମିଶି ଯାଇ ଥିଲା।
ଉଲ୍ଲେଖନୀୟ ଯେ, ଉକ୍ତ ଫିଲ୍ମ ପ୍ୟାର କା ସାଗରରେ ମୋଟ ୮ଟି ଗୀତ ଥିଲା। ଏହିସବୁ ଗୀତକୁ ରବି ଓ ପ୍ରେମ ଧୱନ କମ୍ପୋଜ କରିଥିଲେ। ଅସଦ ଭୋପାଲି ଗୀତକୁ ଲେଖି ଥିଲେ। ଏହି ଗୀତକୁ ଆଶା ଭୋସଲେ , ଶମଶାଦ ବେଗମ , ମହମ୍ମଦ ରଫି ଓ ମୁକେଶ ଗାଇ ଥିଲେ।
ଆହୁରି ମଧ୍ୟ ପଢନ୍ତୁ : ସମସ୍ୟାରେ ‘ ହେରା ଫେରି-୩ ’ : ପରେଶ ରାୱଲ ଫେରେଇ ଦେଲେ ସାଇନିଂ ଆମାଉଣ୍ଟ