ମୁମ୍ବାଇ ୨୫/୧୧: ଆଉ ଜଣେ କିମ୍ବଦନ୍ତୀ ଅଭିନେତାଙ୍କୁ ହରାଇଛି ବଲିଉଡ୍। ହିନ୍ଦୀ ଫିଲ୍ମ ଜଗତର ହି-ମ୍ୟାନ ବର୍ଷୀୟାନ ଅଭିନେତା ଧର୍ମେନ୍ଦ୍ରଙ୍କ ପରଲୋକ ହୋଇଛି। ତାଙ୍କ ସହ ବଲିଉଡରେ ଗୋଟିଏ ଯୁଗର ଅବସାନ ହୋଇଛି। ଦୀର୍ଘ ୬ ଦଶନ୍ଧି ଧରି ପ୍ରଶଂସକଙ୍କ ହୃଦୟରେ ରାଜ୍ କରୁଥିବା ଧର୍ମେନ୍ଦ୍ର ପ୍ରାୟ ୩୦୦ ସିନେମାରେ ଅଭିନୟ କରିଥିଲେ। ପ୍ରଥମ ଛବି ସଫଳ ହେବା ପରେ ଧର୍ମେନ୍ଦ୍ର ‘ସୁରତ ଔର୍ ସୀରତ’, ‘ଅନପଢ଼’ (୧୯୬୨), ‘ବନ୍ଦିନୀ’ (୧୯୬୩) ଓ ‘ଆଇ ମିଲନ୍ କି ବେଲା’ (୧୯୬୪) ଭଳି ଅନେକ ହିଟ୍ ଫିଲ୍ମ ଭେଟି ଦେଇଥିଲେ ଦର୍ଶକଙ୍କୁ । ବିଭିନ୍ନ ଧାରାର, ଭିନ୍ନ ଭିନ୍ନ ଚରିତ୍ରରେ ଧର୍ମେନ୍ଦ୍ରଙ୍କ ନିଖୁଣ ଅଭିନୟ ବେଶ୍ ପାଇଥିଲା ସିନେପ୍ରେମୀଙ୍କ ମନକୁ । ଧର୍ମେନ୍ଦ୍ରଙ୍କ ଷ୍ଟାରଭାଲ୍ୟୁ ବେଶ୍ ବଢ଼ିଯାଇଥିଲା ହିନ୍ଦୀ ସିନେଶିଳ୍ପରେ । କଥା ହେଉଛି, ଧର୍ମେନ୍ଦ୍ରଙ୍କ ପ୍ରସିଦ୍ଧି, ଷ୍ଟାରଡମ୍ ପଛରେ ଥିଲା ଅଭିନେତ୍ରୀ ମୀନା କୁମାରୀଙ୍କ ଗୋଟିଏ ସର୍ତ୍ତ ।
୧୯୬୪ରେ ମୁକ୍ତିପ୍ରାପ୍ତ ‘ମେ ଭି ଲଡକି ହୁଁ’ରେ ଏକାଠି ଅଭିନୟ କରିଥିଲେ ଧର୍ମେନ୍ଦ୍ର ଓ ମୀନା କୁମାରୀ । ସୁଟିଂ ସମୟରେ ଧର୍ମେନ୍ଦ୍ରଙ୍କ ପ୍ରେମରେ ପଡ଼ିଯାଇଥିଲେ ମୀନା କୁମାରୀ । ଏହି କାରଣରୁ ମୀନା କୁମାରୀ ଓ ତାଙ୍କ ସ୍ୱାମୀ କମଲ ଅମରୋହୀଙ୍କ ମଧ୍ୟରେ ଫାଟ ମଧ୍ୟ ସୃଷ୍ଟି ହୋଇଥିଲା । ମୀନା କୁମାରୀ ଧର୍ମେନ୍ଦ୍ରଙ୍କୁ ଏଭଳି ଭଲପାଇ ବସିଥିଲେ ଯେ, ଯେଉଁ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ନାୟିକା ଭାବେ ନେବାକୁ ଚାହୁଁଥିଲେ, ସେ ଫିଲ୍ମର ନାୟକ ଧର୍ମେନ୍ଦ୍ର ହୁଅନ୍ତୁ ବୋଲି ସର୍ତ୍ତ ରଖୁଥିଲେ ମୀନା କୁମାରୀ । ଏଭଳି ସର୍ତ୍ତ ଯୋଗୁଁ ଧର୍ମେନ୍ଦ୍ରଙ୍କୁ ‘ପୂର୍ଣ୍ଣିମା’, ‘କାଜଲ’ (୧୯୬୫), ‘ମଝଲି ଦିଦି (୧୯୬୭) ଓ ‘ବହାରୋଁ କି ମଞ୍ଜିଲ୍’ (୧୯୬୮) ଓ ‘ମିଲି’ ଭଳି ସିନେମାରେ ମୀନା କୁମାରୀଙ୍କ ସହ ଅଭିନୟ ସୁଯୋଗ ମିଳିଲା ଓ ଏସବୁ ଫିଲ୍ମରେ ଦୁହିଁଙ୍କ ଯୋଡ଼ିକୁ ବେଶ୍ ଦର୍ଶକୀୟ ଆଦୃତି ମିଳିଥିଲା । ତେବେ ସମୟ ଅତିକ୍ରାନ୍ତ ହେବା ସହିତ ଧର୍ମେନ୍ଦ୍ର ଓ ମୀନା କୁମାରୀଙ୍କ ସମ୍ପର୍କର ମଧ୍ୟ ଅନ୍ତ ଘଟିଥିଲା ।