ଭୁବନେଶ୍ଵର, ୧୧/୧୧ : ବିଦା ହେଲେ ମହିଳା କମିଶନ ଅଧ୍ୟକ୍ଷା। ମୀନତି ବେହେରାଙ୍କୁ ମହିଳା କମିଶନ ଅଧ୍ୟକ୍ଷା ପଦରୁ ବହିଷ୍କୃତ କରାଯାଇଛି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ବିଦା କରାଯାଇଛି। ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ପୂର୍ବରୁ ବିଭାଗ ପକ୍ଷରୁ ମୀନତିଙ୍କୁ ସୋ' କଜ୍ ନୋଟିସ୍ କରାଯାଇଥିଲା। ସେ ଏହାର ଜବାବ ରଖିଥିଲେ। ହେଲେ ପ୍ରତିଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ପଦଚ୍ୟୁତ କରାଯାଇଛି।
ପ୍ରକାଶ ଥାଉକି, ଗତ ୨୩ ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ଓ ୪ ସଦସ୍ୟାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିଲେ। ମାମଲାରେ ଶୁଣାଣି କରିବାରେ ଅସଫଳ ହୋଇଥିବା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏହାର ୬ ଦିନ ପରେ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା। ପଦରେ କାହିଁକି ରହିବେ ବୋଲି ଉତ୍ତର ମଗାଯାଇଥିଲା। ମୀନତି ବେହେରା ଏହାର ପ୍ରତ୍ୟୁତ୍ତର ରଖିଥିଲେ। ହେଲେ ଉତ୍ତର ସନ୍ତୋଷଜନକ ନହେବାରୁ ତାଙ୍କୁ ପଦଚ୍ୟୁତ କରାଯାଇଛି।
୨୦୧୯ ମସିହା ଅଗଷ୍ଟ ୨୦ ତାରିଖରୁ ମୀନତି ବେହେରା ମହିଳା କମିଶନ ଅଧ୍ୟକ୍ଷା ପଦରେ କାର୍ଯ୍ୟ କରିଆସୁଥିଲେ। ଏହାପରେ ତାଙ୍କୁ ୨୦୨୨ ଅକ୍ଟୋବରରେ ଦ୍ୱିତୀୟ ଥର ପାଇଁ ଅଧ୍ୟକ୍ଷା ଭାବେ ଥଇଥାନ କରାଯାଇଥିଲା। ଆସନ୍ତା ୨୦୨୫ ଅକ୍ଟୋବର ୧୩ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ଅବଧି ରହିଥିଲା।