ଭୁବନେଶ୍ୱର,୨୪/୦୩: ମାସେ ଭିତରେ ବିଭିନ୍ନ ସହରାଞ୍ଚଳରେ ଅନେକ ଭୟଙ୍କର ଅଗ୍ନିକାଣ୍ଡ ଘଟିସାରିଲାଣି । ସିରିଜ୍ ଅଗ୍ନିକାଣ୍ଡକୁ ରୋକିବାକୁ ସରକାର ପ୍ରସ୍ତୁତି, ପ୍ରତିରୋଧ ଏବଂ ଜନସଚେତନତାକୁ ପ୍ରାଥମିକତା ଦେଉଛନ୍ତି । ଅଗ୍ନି ନିରାପତ୍ତାକୁ ନେଇ ଘନ ଘନ ବୈଠକ କରି ମେଗା ପ୍ରସ୍ତୁତି ଜାରି ରହିଛି । ସୋମବାର ନିଷ୍ପତ୍ତି ନିଆଯାଇଛି, ଆସନ୍ତା ଶନିବାର ଦିନ ରାଜ୍ୟବ୍ୟାପୀ ଏକ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍ କରାଯିବ ।
ସହରଗୁଡ଼ିକୁ ଅଗ୍ନି-ନିରାପଦ ରଖିବା ହିଁ ମକ୍ ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ । ଅଧିକାରୀ ଏବଂ ନାଗରିକମାନଙ୍କୁ କ୍ରମାଗତ ଭାବେ ସଚେତନ କରିବା ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନଗୁଡ଼ିକରେ ବାଧ୍ୟତାମୂଳକ ନିୟମିତ ଅଗ୍ନି ସୁରକ୍ଷା ଯାଞ୍ଚ ଚାଲିବ । ଅଗ୍ନି ପ୍ରତିରୋଧ ଏବଂ ଜରୁରୀକାଳୀନ ପ୍ରତିକ୍ରିୟା ନେଇ ତୃଣମୂଳ ସ୍ତରରେ ସଚେତନତା ଅଭିଯାନକୁ ଜୋର୍ଦାର କରାଯିବ ।
ସହରାଞ୍ଚଳଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଏବଂ ଓଡ଼ିଶା ଅଗ୍ନିଶମ ସେବା ପକ୍ଷରୁ ଆଭାସୀ (ଭର୍ଚୁଆଲ୍) ଜରିଆରେ ସୋମବାର ଏକ ଉଚ୍ଚସ୍ତରୀୟ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ନେତୃତ୍ୱରେ ଆୟୋଜିତ ଏହି କର୍ମଶାଳାରେ ଅଗ୍ନି ନିରାପତ୍ତାକୁ କେବଳ ଏକ ନିୟମ ପାଳନ ଭାବେ ନଦେଖି ସହର ଶାସନ ବ୍ୟବସ୍ଥାର ଏକ ଅଭିନ୍ନ ଅଙ୍ଗ ବୋଲି ଧରିବାକୁ ଗୁରୁତ୍ୱ ଦିଆଯାଇଥିଲା । ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସମସ୍ତ ପୌରାଞ୍ଚଳ ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଶ୍ରୀମତୀ ପାଢୀ ନିର୍ଦ୍ଦେଶ ଦେଇଥିଲେ ।
ଅଧିକ ପଢ଼ନ୍ତୁ :- ନଗଦ କାରବାର ହୋଇନଥିବାରୁ ଆସିପାରୁନି ପେଟ୍ରୋଲ, ଟାଙ୍କି ବନ୍ଦ... ମିଳୁନି ତେଲ
ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଅଧିବେଶନରେ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ସୂଚନା ଦେଇଥିଲେ । ନିରାପତ୍ତାମୂଳକ ପଦକ୍ଷେପ, ଆଧୁନିକ ଅଗ୍ନିଶମ ଉପକରଣର ବ୍ୟବହାର ଏବଂ ସାଂଗଠନିକ ପ୍ରସ୍ତୁତିକୁ ସେ ଗୁରୁତ୍ୱାରୋପ କରିଥିଲେ । ସହରାଞ୍ଚଳରେ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ଏବଂ ବୈଷୟିକ ପ୍ରସ୍ତୁତିକୁ ଅଧିକ ସମନ୍ୱିତ କରିବା ଏହି ଅଧିବେଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବୈଠକରେ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ରାଜ୍ୟର ସମସ୍ତ ମହାନଗର ନିଗମର କମିଶନର, ପୌରପାଳିକା ଏବଂ ବିଜ୍ଞପିତ ଅଞ୍ଚଳ ପରିଷଦର ନିର୍ବାହୀ ଅଧିକାରୀ ସାମିଲ ଥିଲେ । ସେମାନଙ୍କ ଅଞ୍ଚଳରେ ତୁରନ୍ତ ସୁରକ୍ଷା ଅଡିଟ୍ ଏବଂ ସଚେତନତା ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।