ମସ୍କଟ, ୧/୧୨: ପୁରୁଷ  ଜୁନିୟର ଏସିଆ କପ୍‌ ହକିରେ ଶନିବାର ଡିଫେଣ୍ଡିଂ ଚାମ୍ପିଅନ ଭାରତ ଗୋଲ ବର୍ଷା କରିଥିଲା । ପ୍ରତି କ୍ୱାର୍ଟରରେ ଦେଇ ଚାଲିଥିଲା ଗୋଲ୍‌ । ଅଣନିଶ୍ୱାସୀ ହୋଇ  ପଡ଼ିଥିଲା ଚାଇନିଜ ତାଇପେ ଦଳ ।  ଶେଷରେ ଭାରତ ୧୬-୦ ଗୋଲରେ  ମ୍ୟାଚ୍‌ ବିଜୟୀ ହୋଇଥିଲା । ଚଳିତ ଟୁର୍ଣ୍ଣାମେଣ୍ଟରେ ଏହା ଭାରତର ସବୁଠୁ ବଡ଼ ବିଜୟ । ପୂର୍ବରୁ ଥାଇଲାଣ୍ଡ ବିପକ୍ଷରେ ୧୧-୦ରେ ଏବଂ ଜାପାନ ବିପକ୍ଷରେ ୩-୨  ଗୋଲରେ ବିଜୟୀ ହୋଇଥିଲା । 

ତୃତୀୟ ରାଉଣ୍ଡ ଶେଷ ସୁଦ୍ଧା ଭାରତ  ଅପରାଜେୟ ସହ ପୁଲ୍‌ ଏ’ରେ ୯ ପଏଣ୍ଟ ପାଇ ଶୀର୍ଷରେ ରହିଥିବାବେଳେ ଜାପାନ ୬  ପଏଣ୍ଟ ସହ ଦ୍ୱିତୀୟ ଏବଂ ଦକ୍ଷିଣ କୋରିଆ ସମାନ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ପୁଲର ଶ୍ରେଷ୍ଠ ୨ ଦଳ ସେମି ଫାଇନାଲକୁ ଉନ୍ନୀତ ହେବେ ଏବଂ ଏହି  ୨ ଦଳ ୨୦୨୫ ଜୁନିୟର ବିଶ୍ୱକପ୍‌କୁ ମଧ୍ୟ  ଯୋଗ୍ୟତା ଲାଭ କରିବେ । ଆସନ୍ତାକାଲି  ଭାରତ ଶେଷ ପୁଲ ମ୍ୟାଚ୍‌ରେ ଦକ୍ଷିଣ କୋରିଆକୁ ଭେଟିବ । 

ପ୍ରଥମ କ୍ୱାର୍ଟରର ସପ୍ତମ ମିନିଟରେ  ଭାରତ ପ୍ରଥମ ଗୋଲ୍‌ ଦେଇଥିଲା ।  ଯୋଗେମ୍ବର ରାୱତ ଏହି ଗୋଲ୍‌ଟି  ଦେଇଥିଲେ । ପେନାଲ୍ଟି କର୍ଣ୍ଣରକୁ ସେ  ଗୋଲରୂପ ଦେଇଥିଲେ । ଚାଇନିଜ  ତାଇପେ ପ୍ରଥମ ଗୋଲ ଖାଇବା ପରେ  ଅଧିକ ରକ୍ଷଣାତ୍ମକ ପ୍ରଦର୍ଶନ କରିଥିଲା ।  ଫଳରେ ଏହି କ୍ୱାର୍ଟରରେ ଭାରତ ଆଉ  ଗୋଲ୍‌ ଦେଇ ପାରିନଥିଲା । 

ଦ୍ୱିତୀୟ କ୍ୱାର୍ଟରରେ ୪ଟି ଗୋଲ୍‌  ହୋଇଥିଲା । ୧୭ ମିନିଟରେ ଦିଲରାଜ  ସିଂ, ୨୦ ମିନିଟରେ ୨୦ ଓ ୨୮ ମିନିଟରେ  ସୌରଭ ଆନନ୍ଦ ଏବଂ ୨୩ ମିନିଟରେ  ରୋଶନ କୁଜୁର ଗୋଲ୍‌ ଦେଇଥିଲେ ।  ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୫-୦  ଗୋଲରେ ଅଗ୍ରଣୀ ହାସଲ କରିଥିଲା ।

ତୃତୀୟ କ୍ୱାର୍ଟରର ଆରମ୍ଭରୁ  ଭାରତକୁ ମିଳିଥିଲା ପେନାଲ୍ଟି କର୍ଣ୍ଣର  (ପିସି) । ୩୧ ମିନିଟରେ ମିଳିଥିଲା  ଏହି ପିସିକୁ ପ୍ରିୟବ୍ରତ ତାଲେମ  ଗୋଲରୂପ ଦେବାରେ ଆଦୌ ହେଳା  କରିନଥିଲେ । ୩୨ ମିନିଟରେ ରୋଶନ  ଆଉ ଏକ ଗୋଲ ଦେଇଥିଲେ । ୩୭  ମିନିଟରେ ତୀବ୍ର ଆକ୍ରମଣ କରି ଭାରତ  ପୁଣି ପାଇଥିଲା ପିସି । ଅର୍ଶଦୀପ ସିଂ  ଏହାକୁ ଗୋଲରେ ରୂପାନ୍ତରିତ କରି  ଦଳକୁ ୮-୦ରେ ଅଗ୍ରଣୀ କରାଇଥିଲେ।  ୩୯ ମିନିଟରେ ଭାରତ ଆକ୍ରମଣ କରି  ବିପକ୍ଷ ଡି’ସର୍କଲରେ ପ୍ରବେଶ କରିଥିଲା ।  ଚାଇନିଜ ତାଇପେ ଖେଳାଳିଙ୍କ ତ୍ରୁଟି  ଯୋଗୁ ପାଇଥିଲା ପେନାଲ୍ଟି ଷ୍ଟ୍ରୋକ ।  ସାରଦା ନନ୍ଦ ତିୱାରୀ ଏହି ନିଶ୍ଚିତ ଗୋଲ୍‌  ଦେବା ପରେ ଭାରତର ସ୍ଥିତି ଅଧିକ  ଦୃଢ଼ ହୋଇଥିଲା । 

ପରବର୍ତ୍ତୀ ସମୟରେ ୪୦  (ଦିଲରାଜ), ୪୨ (ରୋଶନ), ୪୪  (ଅର୍ଶଦୀପ) ଓ ୪୫ (ଦିଲରାଜ)  ମିନିଟରେ ଗୋଲ୍‌ ହୋଇଥିଲା । ଚାଇନିଜ  ତାଇପେ ଭାରତର ଆକ୍ରମଣକୁ ପ୍ରତିହତ  କରିବାରେ ସଂପୂର୍ଣ୍ଣ ବିଫଳ ରହିଥିଲା । ଶେଷରେ କ୍ୱାର୍ଟରରେ ତାଇପେ ଆଉ  ୩ଟି ଗୋଲ୍‌ ଖାଇଥିଲା । ୫୪ ମିନିଟରେ  ଅରଇଜିତ ସିଂ ହୁଣ୍ଡାଲ, ୫୭ ମିନିଟରେ  ଦିଲରାଜ ଓ ୫୮ ମିନିଟରେ ସୌରଭ  ଗୋଲ୍‌ ଦେଇ ଦଳକୁ ୧୬-୦ ରେ  ଏକତରଫା ବିଜୟୀ କରିଥିଲେ । ଶେଷ  ପର୍ଯ୍ୟନ୍ତ ତାଇପେ ଦଳ ଗୋଲ ଖାତା ଖୋଲି  ପାରିନଥିଲା ।

ଭାରତ ପକ୍ଷରୁ ଦିଲରାଜ ସର୍ବାଧିକ  ୪ଟି ଏବଂ ସୌରଭ ଓ ରୋଶନ ୩ଟି  ଲେଖାଏଁ ଗୋଲ୍‌ ସ୍କୋର କରିଥିଲେ । ଅନ୍ୟ ମ୍ୟାଚ୍‌ରେ ଜାପାନ ୨-୦ରେ କୋରିଆକୁ  ହରାଇଥିବାବେଳେ ବାଂଲାଦେଶ-ମାଲେସିଆ ମ୍ୟାଚ୍‌ ୨-୨ ଗୋଲରେ  ଅମୀମାଂସିତ ରହିଥିଲା ।