ଦୁର୍ଲଭ ଜନମ ମାନବ ଜୀବନ । ସାମାନ୍ୟ କଥାକୁ କେନ୍ଦ୍ରକରି ଜୀବନ ପ୍ରତି ବୀତସ୍ପୃହ ହୋଇ ଆତ୍ମହତ୍ୟାର ପଥ ବାଛିନେବା ଆଦୌ ଗ୍ରହଣୀୟ ନୁହେଁ । ଆଜି ଯେଉଁ ସମସ୍ୟାଚକ୍ରରେ ପଡ଼ି ମଣିଷ ଘାଣ୍ଟିହେଉଛି କାଲି ହୁଏତ ତାହା ଅପସୃତ ହେବ ଓ ନୂତନ ଆଶା ସଞ୍ଚାରିତ ହୋଇ ଜୀବନର ଗତିପଥ ବଦଳିଯିବ । କିନ୍ତୁ କ୍ଷଣିକ ନିରାନନ୍ଦମୟ ପରିସ୍ଥିତିକୁ ଅସହ୍ୟ ମନେକରି ଆତ୍ମହତ୍ୟାର ପଥ ବାଛିନେବା ବିଜ୍ଞତାର ପରିଚାୟକ ନୁହେଁ । ଏ ସମ୍ବନ୍ଧରେ ଇଂଲଣ୍ଡର ଏକ ସତ୍ୟ ଘଟଣା ପ୍ରଣିଧାନଯୋଗ୍ୟ । ଉତ୍କଟ ଦାରିଦ୍ର‌୍ୟ ସତ୍ତ୍ଵେ ପିଲାକୁ ଉଚ୍ଚଶିକ୍ଷିତ କରିବା ମାନସିକତାରେ ବାପା ପୁଅକୁ ବିଦ୍ୟାଳୟରେ ନାମ ଲେଖାଇଦେଲେ । ବିଦ୍ୟାଳୟରେ ଦୁଷ୍ଟ ପିଲାଙ୍କ ସଙ୍ଗେ ମିଶି ପିଲାଟି ପାଠପଢ଼ାରେ ମନ ନଦେଇ କ୍ରମେ ବିପଥଗାମୀ ହେଲା । ପୁଅ ବିରୁଦ୍ଧରେ ପ୍ରତ୍ୟହ ବାପାଙ୍କ ନିକଟରେ ନୂଆ ନୂଆ ଅଭିଯୋଗମାନ ପହଞ୍ଚୁଥିଲା । ବାଧ୍ୟହୋଇ ପୁଅପାଇଁ ବାପାଙ୍କୁ ଏକ କଠୋର ପଦକ୍ଷେପ ନେବାକୁ ପଡ଼ିଲା ।

ପିତା ପୁତ୍ରକୁ ଇଷ୍ଟଇଣ୍ଡିଆ କମ୍ପାନୀରେ ଭର୍ତ୍ତି କରିଦେଲେ । ଉଦ୍ଦେଶ୍ୟ ଥିଲା କମ୍ପାନୀର କଡ଼ା ଅନୁଶାସନ ହୁଏତ ପିଲାର ଚରିତ୍ରରେ ପରିବର୍ତ୍ତନ ଆଣିପାରେ । ସେତେବେଳେ ପିଲାର ବୟସ ମାତ୍ର ୧୭ବର୍ଷ । ଭାରତକୁ ଜଳଯାତ୍ରା ସମୟରେ ପିଲାଟି ଅବସାଦଗ୍ରସ୍ତ ହୋଇ ଗ୍ରାମର ସାଙ୍ଗସାଥୀଙ୍କୁ ଝୁରିହେଲା । ଅତ୍ୟନ୍ତ ନିରବରେ ବସିଥିବା ପିଲାଟି ସମୁଦ୍ରକୁ ଲମ୍ଫ ଦେବାର ଯେଉଁ ଉପକ୍ରମ କଲା ସେଥିରୁ ତାକୁ ବଞ୍ଚାଇ ଦିଆଗଲା । ଭାରତରେ ପହଞ୍ଚି କମ୍ପାନୀର ଏକ କନିଷ୍ଠ କିରାଣି ଚାକିରି କଲା । ମାସିକ ବେତନ ଥିଲା ମାତ୍ର ପାଞ୍ଚ ପାଉଣ୍ଡ । ସୁଦୂର ଇଂଲଣ୍ଡରୁ ଆସି ଭାରତରେ କାମ କରିବା ପିଲାଟି ପକ୍ଷେ ଆଦୌ ସହଜ ବୋଧ ହେଲାନାହିଁ । ମନ ସର୍ବଦା ଅସ୍ଥିର ରହୁଥିଲା । ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟାର ପଥ ସ୍ଥିର କଲା । ନିଜ ମୁଣ୍ଡକୁ ଲକ୍ଷ୍ୟକରି ତିନି ରାଉଣ୍ଡ ଗୁଳି ଚଳାଇଥିଲେ ମଧ୍ୟ ସେ ସେଥିରୁ ରକ୍ଷା ପାଇଯାଇଥିଲା । ସେ ଭାବିନେଲା, ବୋଧହୁଏ ଈଶ୍ୱରଙ୍କର ମୋ ଦ୍ୱାରା ଆଉ କୌଣସି ଉଦ୍ଦେଶ୍ୟ ସାଧିତ ହେବାର ଅଛି । କ୍ରମେ ଅବସାଦରୁ ମୁକ୍ତି ପାଇ ସ୍ୱୀୟ ବୁଦ୍ଧିବଳରେ କମ୍ପାନୀର ରକ୍ଷାକବଚ ସାଜିଲା । ୧୭୫୭ ପଲାସୀ ଯୁଦ୍ଧରେ ବଙ୍ଗର ନବାବ ସିରାଜଉଦୌଲାଙ୍କୁ ପରାସ୍ତ କରି ଭାରତରେ ଇଂରେଜ ଶାସନର ଭିତ୍ତିପ୍ରସ୍ତର ସ୍ଥାପନ କରିବାର ଯୁଗାନ୍ତକାରୀ ବିନ୍ଧାଣିର ଭୂମିକା ନିଭେଇଥିବା ଏଇ ଯୁବକ ଥିଲେ ରବର୍ଟ କ୍ଲାଇଭ୍‌ । ଭାରତରେ ଦୀର୍ଘ ଇଂରେଜ ଶାସନର ମୂଳଦୁଆ ପକାଇଥିଲେ କ୍ଲାଇଭ୍‌ । ଯଦି ସେ ପୂର୍ବରୁ ଆତ୍ମହତ୍ୟା କରିଥାନ୍ତେ ତେବେ ଏ ମହତ୍‌ ଉଦ୍ଦେଶ୍ୟ କିପରି ସାଧିତ ହୋଇଥାନ୍ତା?

ମାନସିକ ଅସ୍ଥିରତା ଆତ୍ମହତ୍ୟାକୁ ଆମନ୍ତ୍ରଣ କରେ । ଏହା ଏକ ମାନସିକ ବ୍ୟାଧି । ଶିକ୍ଷାର ଅଭାବ କିମ୍ବା ଅପପ୍ରୟୋଗ ଏହି ବ୍ୟାଧିକୁ ଉତ୍କଟ କରିବାରେ ସହାୟକ ହୁଏ । ସ୍ୱାମୀ ସୁଖବୋଧାନନ୍ଦଙ୍କ ଭାଷାରେ, ଆବେଗହୀନ ପ୍ରଜ୍ଞା ଓ ପ୍ରଜ୍ଞାବିହୀନ ଆବେଗ ସମ୍ପୂର୍ଣ୍ଣ ଅର୍ଥହୀନ । କିନ୍ତୁ ଏହି ଦୁଇ ବିପରୀତଧର୍ମୀ କ୍ରିୟାର ସଂଯୋଗରେ ଆଜିର ସମାଜ ଜର୍ଜରିତ । ମୃତ୍ୟୁ ଏକ କଠିନ ବାସ୍ତବତା ଜାଣି ମଧ୍ୟ ଆଜିର ଯୁବକ ଯୁବତୀ ସ୍ୱେଚ୍ଛାକୃତ ଭାବେ ମୃତ୍ୟୁକୁ ଆଲିଙ୍ଗନ କରୁଛନ୍ତି । କାରଣ ସେମାନେ ପ୍ରଜ୍ଞାବିହୀନ ଆବେଗରେ ବଶୀଭୂତ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ସର୍ବେକ୍ଷଣ ଅନୁସାରେ ବିଶ୍ୱର ପ୍ରାୟ ୩୦କୋଟିରୁ ଊଦ୍ଧ୍ୱର୍ ବ୍ୟକ୍ତି ମାନସିକ ବିକାରଗ୍ରସ୍ତ । ବିଶେଷକରି ୨୦୦୫ ମସିହା ଠାରୁ ମାନସିକ ଚାପଗ୍ରସ୍ତ ବ୍ୟକ୍ତିଙ୍କ ସଂଖ୍ୟା ୧୮ ପ୍ରତିଶତ ବୃଦ୍ଧିପାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତତ୍କାଳୀନ ମାନସିକ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଶେଖେର ସାକ୍ସେନାଙ୍କ ମତରେ, କୌଣସି ବ୍ୟକ୍ତି ମାନସିକ ଚାପଗ୍ରସ୍ତ ହେଲେ ସେ ତାଙ୍କ ସମସ୍ୟାକୁ ନିଃସଙ୍କୋଚରେ ତାଙ୍କ ପ୍ରିୟଜନଙ୍କୁ ଜଣାଇବା ଦରକାର ।

ଏକ ଅନୁସନ୍ଧାନରୁ ଜଣାଯାଏ ଯେ, ସ୍ୱଳ୍ପ ଆୟକାରୀ ଦେଶଗୁଡ଼ିକରେ ମାନସିକ ବ୍ୟାଧି କ୍ରମେ ସଂକ୍ରାମକ ରୂପ ଧାରଣ କଲାଣି । ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ଓ ଦୀର୍ଘମିଆଦି ଚିକିତ୍ସାର ଅନ୍ତର୍ଭୁକ୍ତ । ବର୍ତ୍ତମାନ ପୃଥିବୀରେ ଚାଇନା ମାନସିକ ରୋଗରେ ପ୍ରଥମ ଓ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ଆଉ ମାତ୍ର ୧୦/୧୫ ବର୍ଷ ଭିତରେ ଭାରତର ସ୍ଥାନ ପ୍ରଥମ ହୋଇପାରେ । କାରଣ ଇତିମଧ୍ୟରେ ଚାଇନା ବ୍ୟାପକ ଯୋଜନା ହାତକୁ ନେଇଥିବାବେଳେ ଭାରତର ସେପରି କୌଣସି ଯୋଜନା ନାହିଁ କହିଲେ ଚଳେ । ମାନସିକ ଅବସାଦ ସହଜରେ ଆତ୍ମହତ୍ୟାପ୍ରବଣତାକୁ ଆମନ୍ତ୍ରଣ କରେ । ବିଶେଷ କରି କିଶୋରାବସ୍ଥାରେ ଏହା ଉଗ୍ରରୂପ ଧାରଣ କରେ । ଭାରତରେ ୧୫ରୁ ୨୯ବର୍ଷ ବୟସର  ଯୁବଗୋଷ୍ଠୀର ଆତ୍ମହତ୍ୟାପ୍ରବଣତା ଅନ୍ତର୍ଜାତୀୟ ହାରର ପ୍ରାୟ ତିନିଗୁଣ । ଏହି ଗୋଷ୍ଠୀର ଯୁବତୀଙ୍କ ସଂଖ୍ୟା ଯୁବକଙ୍କ ତୁଳନାରେ ଉଦ୍‌ବେଗଜନକ । ବୈଶ୍ୱିକ ସ୍ଥିତି କିନ୍ତୁ ଏହାର ବିପରୀତ । ବିଶ୍ୱରେ ପୁରୁଷଙ୍କ ଆତ୍ମହତ୍ୟାପ୍ରବଣତା ମହିଳାଙ୍କ ତୁଳନାରେ ଅଧିକ ।

ଲାନ୍‌ସେଟ୍‌ର ଏକ ସର୍ବେକ୍ଷଣ ଅନୁଯାୟୀ, ଝିଅମାନେ ସମାନ ବୟସର ପୁଅଙ୍କ ତୁଳନାରେ ଅଧିକ ଅବସାଦଗ୍ରସ୍ତ ହୋଇ ଆତ୍ମହତ୍ୟାକୁ ବାଛି ନେଉଛନ୍ତି । ଭାରତ କଥା ଦେଖିଲେ ତାମିଲନାଡୁରେ ଆତ୍ମହତ୍ୟା ସଂଖ୍ୟା ଭାରତରେ ସର୍ବାଧିକ । ଏଠାରେ ପ୍ରତି ଏକଲକ୍ଷ ଝିଅଙ୍କ ମଧ୍ୟରୁ ୧୪୮ଜଣ ଆତ୍ମହତ୍ୟା କରୁଛନ୍ତି । ମହିଳାଙ୍କ ମଧ୍ୟରେ ବିବାହିତାଙ୍କ ସଂଖ୍ୟା କୁମାରୀମାନଙ୍କ ତୁଳନାରେ ଢେର୍‌ ଅଧିକ । ଆଶ୍ଚର୍ଯ୍ୟର କଥା ଯେ, ଭାରତର ଉନ୍ନତ ଦକ୍ଷିଣ ଭାରତୀୟ ରାଜ୍ୟ ସମୂହରେ ଆତ୍ମହତ୍ୟା ଅପେକ୍ଷାକୃତ ଅନୁନ୍ନତ ଉତ୍ତର ଭାରତୀୟ ରାଜ୍ୟ ତୁଳନାରେ ଅଧିକ । ମିଲିୟନ ଡେଥ୍‌ଷ୍ଟଡି ନାମକ ଏକ ଗବେଷଣା ସଂସ୍ଥା ଭାରତରେ ୬୬୭୧ଟି ଅଞ୍ଚଳରେ ୧୧ଲକ୍ଷ ଲୋକଙ୍କୁ ନେଇ କରିଥିବା ଏକ ସର୍ବେକ୍ଷଣ ଅନୁସାରେ, ଭାରତରେ ବିବାହବିଚ୍ଛେଦ ଭୋଗୁଥିବା ମହିଳା ଓ ବିଧବାଙ୍କ ତୁଳନାରେ ସ୍ୱାମୀ ସନ୍ତାନଙ୍କୁ ନେଇ ସଂସାର କରିଥିବା ମହିଳାଙ୍କ ଆତ୍ମହତ୍ୟା ହାର ଯଥେଷ୍ଟ ଅଧିକ । ଆତ୍ମହତ୍ୟାର ୩ଟି ପ୍ରମୁଖ କାରଣ ହେଉଛି ଆର୍ଥିକ, ସାମାଜିକ ଓ ପାରିବେଶିକ । ପୃଥିବୀରେ ଜାପାନ ଆତ୍ମହତ୍ୟାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଏଠାରେ ପ୍ରତି ୧ଲକ୍ଷରେ ୨୦ଜଣ ଆତ୍ମହତ୍ୟା କରୁଥିବାବେଳେ, ସୁଇଜରଲାଣ୍ଡରେ ୧୪ ଓ ଭାରତରେ ପ୍ରତି ଏକଲକ୍ଷରେ ୧୧ଜଣ ଆତ୍ମହତ୍ୟା କରୁଛନ୍ତି ।

ଭାରତ ଆତ୍ମହତ୍ୟା କ୍ଷେତ୍ରରେ ତୃତୀୟ ସ୍ଥାନରେ ଅଛି । ଭାରତର ଦକ୍ଷିଣ ରାଜ୍ୟଗୁଡ଼ିକରେ ଉତ୍ତରାଞ୍ଚଳ ଅପେକ୍ଷା ଆତ୍ମହତ୍ୟା ପ୍ରବଣତା ଯଥେଷ୍ଟ ଅଧିକ । ଏବେ କିଛିବର୍ଷ ହେଲା ଦେଖାଯାଉଛି ଯେ ଯୌତୁକ, ସୌନ୍ଦର୍ଯ୍ୟ ଓ ପରକୀୟା ପ୍ରୀତି ଆତ୍ମହତ୍ୟାକୁ ପ୍ରୋତ୍ସାହିତ କରୁଛି । ଉତ୍ତର ଭାରତରେ ଯୌତୁକ ତଥା ଅନ୍ୟାନ୍ୟ ଆର୍ଥିକ କାରଣକୁ ନେଇ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଥିବା ବେଳେ ଦକ୍ଷିଣ ଭାରତୀୟ ରାଜ୍ୟସମୂହରେ ଶାରୀରିକ ସୌନ୍ଦର୍ଯ୍ୟ ଓ ପରକୀୟା ପ୍ରୀତି ଯୋଗୁଁ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିପାଉଛି । ଏତଦ୍‌ ବ୍ୟତୀତ ପାରିବେଶିକ କାରଣ ମଧ୍ୟ ଆତ୍ମହତ୍ୟା ପ୍ରବଣତା ପାଇଁ ଅନେକାଂଶରେ ଦାୟୀ । ସ୍ୱିଡେନ ୱିମିଆ ବିଶ୍ୱବିଦ୍ୟାଳୟର ଗବଷେକମାନଙ୍କ ମତରେ, ଯାନବାହନରୁ ନିର୍ଗତ କ୍ଷତିକାରକ ନାଇଟ୍ରୋଜେନ୍‌ ଡାଇଅକ୍ସାଇଡ୍‌ ବାଷ୍ପ ମାନସିକ ଅବସାଦ ସୃଷ୍ଟିର ଅନ୍ୟତମ ପ୍ରମୁଖ କାରଣ, ଯାହା ସଂକ୍ରମିତ ବ୍ୟକ୍ତିକୁ ଆତ୍ମହତ୍ୟା ପାଇଁ ଉତ୍‌ପ୍ରେରିତ କରିଥାଏ । ଆଧୁନିକ ବାଦ୍ୟର ଉତ୍କଟ ଶବ୍ଦ ମାନସିକ ରୋଗୀର ଜୀବନକୁ ସଂକଟାପନ୍ନ କରିଥାଏ । କିଛିବର୍ଷ ତଳେ ଓଡ଼ିଶାରେ ଉତ୍କଟ ଫସଲ ହାନିକୁ ସାମ୍‌ନା କରିନପାରି ଅନେକ କୃଷକ ଆତ୍ମହତ୍ୟାର ମାର୍ଗ ବାଛି ନେଇଥିଲେ । ଶିକ୍ଷାକ୍ଷେତ୍ରରେ ଅସଫଳତାର ସନ୍ଦେହ ଅନେକ ଛାତ୍ରଛାତ୍ରୀଙ୍କୁ ଆତ୍ମହତ୍ୟା ପର୍ଯ୍ୟନ୍ତ ଟାଣିନେଉଥିବାର ଖବରମାନ ନିତି ପ୍ରକାଶିତ ହେଉଛି । ସାମୟିକ ଦୁଃଖ, ଦୁର୍ଦ୍ଦିନ, ନୈରାଶ୍ୟ ଓ ଆକସ୍ମିକ ଘଟଣାଚକ୍ରକୁ ଗୁରୁତ୍ୱ ନଦେଇ ଧୀର ମନ ଓ ସ୍ଥିର ଚିତ୍ତରେ ଅବିଚଳିତ ରହିଲେ ଅବସାଦ ଓ ତଜ୍ଜନିତ ଆତ୍ମହତ୍ୟା ପ୍ରବଣତାକୁ ରୋକାଯାଇପାରିବ । ଅସମୟରେ ନିଜ ଜୀବନସୂର୍ଯ୍ୟକୁ ଅସ୍ତଗାମୀ ହେବାକୁ ନଦେଇ ଧୈର୍ଯ୍ୟର ସହ ମୁକାବିଲା କରିବା ଶିଖିଲେ ଆମ ପାଇଁ ହୁଏତ ସୁଦିନ ଅପେକ୍ଷା କରିଥିବ, ଯାହା ରବର୍ଟ କ୍ଲାଇଭ୍‌ଙ୍କ କ୍ଷେତ୍ରରେ ଘଟିଥିଲା ।

​​​​​​​