ଅଭାବ ଯେଉଁଠି, ସେଇଠି ଶୋଷଣ । ଦେଶର ବହୁ ସଂସ୍ଥା ଅଧିକ ସମୟ କାମର ଜୟଗାନ କରୁଛନ୍ତି । ବିକଶିତ ଭାରତ ଗଢ଼ିବାକୁ ପେସାଦାରମାନେ ଅଧିକ ସମୟ କାମ କରିବା ସପକ୍ଷରେ କରୁଛନ୍ତି ଓକିଲାତି । ମାତ୍ର ଏହି କାମର ଚାପ କାର୍ଯ୍ୟ ଦକ୍ଷତା ସହ ଉତ୍ପାଦକତାକୁ ପ୍ରଭାବିତ କରୁଛି । ଅଧିକ ସମୟ ନୁହେଁ ଅଧିକ ଗୁଣାତ୍ମକ କାମ ଜରୁରି । ଏହା ହିଁ ଆମ ଅର୍ଥନୀତିକୁ ଆଗକୁ ଠେଲିବ ।
‘ମାନସିକ ଚାପରେ ଛଟପଟ, ଆଉ ପାରୁନି । ମୁଁ ଯାଉଛି, କ୍ଷମା କରିଦେବ ।’
ଏମିତି ଦି’ପଦ ଲେଖା। ତା’ ପରେ ଜୀବନ ଶେଷ । କାମର ଚାପ ସହିନପାରି ନିଜ ଜୀବନରେ ନିଜେ ଟାଣିଦେଲେ ପୂର୍ଣ୍ଣଛେଦ । ଚାଲିଗଲେ ଆଉ ଏକ ରାଇଜକୁ । ହାତ ବଢ଼େଇଲେ ହାତ ପାଇବନି ।
ଉତ୍ତରପ୍ରଦେଶ ଝାନ୍ସୀରେ ଏକ ଫାଇନାନ୍ସ କମ୍ପାନୀର କର୍ମଚାରୀ ତରୁଣ ସକ୍ସେନାଙ୍କର ଏହା ହେଉଛି କରୁଣ କାହାଣୀ । କର୍ମକ୍ଷେତ୍ରର ଚାପ ସହିନପାରି ଆତ୍ମହତ୍ୟା କରିଦେଲେ । କେବଳ ତରୁଣ ନୁହଁନ୍ତି, କାମ ଚାପରୁ ଦେଶରେ ଏମିତି ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟାର ଖବର ପଦାକୁ ଆସୁଛି । ପୁଣେର ୨୬ ବର୍ଷୀୟା ଚାଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା ସେବାଷ୍ଟିୟାନ ପେରାୟିଲଙ୍କ ଠାରୁ ଆରମ୍ଭ କରି ବହୁ ଅମୂଲ୍ୟ ଜୀବନ ନେଲାଣି ଅସହ୍ୟ ଚାପ । କାମ ଚାପର ବୁଢ଼ିଆଣି ଜାଲରେ ଛନ୍ଦି ହୋଇ ଜୀବନ ଛଟପଟ । ମୁକ୍ତି ପାଇବାକୁ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି ଘରୋଇ ସଂସ୍ଥାର ପେସାଦାର । ସାରା ଦେଶରେ ଏବେ କାମର ଚାପକୁ ନେଇ ଆରମ୍ଭ ହୋଇଛି ବିତର୍କ । କିଏ ସପକ୍ଷରେ ଓକିଲାତି କରୁଛି, ଆଉ କିଏ ଅଧିକ ସମୟ କାମର ଚାପକୁ ତୀବ୍ର ବିରୋଧ କରୁଛନ୍ତି । ଆମ କର୍ମ ସଂସ୍କୃତିକୁ ନେଇ ଆରମ୍ଭ ହୋଇଛି ଛକି-ଶୂନ ଖେଳ ।
ଚାପରୁ ମୁକ୍ତି ପାଇଁ ଆତ୍ମହତ୍ୟା
ଦେଶର ଘରୋଇ କଂପାନିରେ କାମର ଚାପ ବଢ଼ୁଛି । କର୍ମଚାରୀଙ୍କ ଉପରେ ଅସହ୍ୟ କାର୍ଯ୍ୟ ଚାପ ରହୁଛି । ମାନସିକ ନିର୍ଯାତନା ମଧ୍ୟ କିଛି କମ୍ ନୁହେଁ । ନିଜର ଶ୍ରେଷ୍ଠ ଉଦ୍ୟମ ସତ୍ତେ୍ୱ ଧାର୍ଯ୍ୟ ଲକ୍ଷ ପୂରଣ ହେଉନି । ବସ୍ ଚିଡ଼ିଚିଡ଼ା ହେଉଛନ୍ତି । ଅପମାନ ଦେଉଛନ୍ତି । ଏହା ବହୁ କର୍ମଚାରୀଙ୍କ ହଜମ ହେଉନି । ଏପଟେ ବାଘ ସେପଟେ ଖାଇ ଭଳି ଅବସ୍ଥା । ପରିବାର ଚଳାଇବାକୁ ଚାକିରି ଜରୁରି । ମାତ୍ର ଅଫିସରେ ଚାପ ଆଉ ଅପମାନ । ନା ସହି ହୁଏ, ନା କହି ହୁଏ । ନିଜ ଭିତରେ ରାଗ, ଅଭିମାନ, ଯନ୍ତ୍ରଣା ବଢ଼ି ଚାଲେ । ମୁକ୍ତି ପାଇବାକୁ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ । ଏହା କ’ଣ ସମସ୍ୟାର ସମାଧାନ? ଶିକ୍ଷିତ ପେସାଦାରମାନେ ନିଜକୁ ଚାପମୁକ୍ତ କରିବାକୁ ଯାଇ ନିଜ ପ୍ରିୟ ପରିବାରକୁ ଯେ ସାରା ଜୀବନ କେତେ ଚାପ ଦିଅନ୍ତି ତାହା କଳନା କରିନଥାନ୍ତି ।
ଆଜିକାଲି ବହୁ କର୍ମଚାରୀ ବିଳମ୍ବିତ ରାତ୍ରି ସହ ଛୁଟିଦିନରେ ବି କାମ କରୁଛନ୍ତି । ବିଭିନ୍ନ କମ୍ପାନି ସେମାନଙ୍କ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମାଠାରୁ ଅଧିକ କାମ କରାଉଛନ୍ତି । କର୍ମଚାରୀଙ୍କୁ ଅଧିକ ଖଟାଇବାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଅଛି । ଆମ ଦେଶରେ ୫୧ ପ୍ରତିଶତ କର୍ମଚାରୀ ସପ୍ତାହକୁ ୪୯ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି । ଦିନକୁ ଅତିବେଶିରେ ୮ ଘଣ୍ଟା ହିସାବରେ ସପ୍ତାହକୁ ୪୮ ଘଣ୍ଟା କାମ କରିବାକୁ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍ଓ) ସୁପାରିସ କରିଥିଲେ ମଧ୍ୟ ତାହା ଠିକ୍ ଭାବେ କାର୍ଯ୍ୟକାରୀ ହେଉନାହିଁ ।
ପ୍ରବଳ ଚାପରେ କାମ କରିବା ଦ୍ୱାରା କର୍ମଚାରୀ କ୍ଲାନ୍ତ ହୋଇପଡୁଛନ୍ତି । ଦେହ ବିନ୍ଧୁଛି, ଗ୍ୟାଷ୍ଟ୍ରିକ ଭଳି ସମସ୍ୟା ଦେଖାଦେଉଛି । ଭାରତରେ ୫୯ ପ୍ରତିଶତ କର୍ମଚାରୀ ଭାବନାତ୍ମକ, ଶାରିରୀକ ଓ ମାନସିକ ଥକାପଣ ଅନୁଭବ କରନ୍ତି । ‘ଲାନସେଟ୍’ ପତ୍ରିକା ରିପୋର୍ଟ କହୁଛି ଚାପଗ୍ରସ୍ତ କାମ ହିଁ ଅନିଦ୍ରା ରୋଗର ମୂଳ କାରଣ । ଅଫିସରେ ଫାଷ୍ଟଫୁଡ୍ ଖାଇବା ସହ ଘଣ୍ଟା ଘଣ୍ଟା କାଳ ବସି ରହିବା ହୃତ୍ପିଣ୍ଡକୁ ନକରାତ୍ମକ ଭାବେ ପ୍ରଭାବିତ କରୁଛି । କାମ ଚାପରୁ କାହାକୁ ରାତି ରାତି ନିଦ ହେଉନି । କିଏ ଖାଇବା, ପିଇବା ଛାଡ଼ି ଦେଉଛି । କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାରୁ ଅବସାଦରେ ରହୁଛନ୍ତି । ହୃଦ୍ ସମସ୍ୟା, ଚିଡ୍ଚିଡ଼ାପଣ, ମେଦବହୁଳତା ମଧ୍ୟ ବୃଦ୍ଧି ପାଉଛି । ଅଜାଗା ଘା’ କାହାକୁ ବି ଦେଖାଇବ ମଣିଷ । ନିଜ ଅଫିସର କାମ ଚାପ କଥା ନିଜ ସ୍ତ୍ରୀ କିମ୍ବା ପିଲାଙ୍କୁ କହିବାକୁ ଜିଭ ଲେଉଟୁନି । ମାନସିକ ଚାପରେ ଛଟପଟ ହୋଇ ଜୀବନ ଆଗକୁ ଗଡ଼ୁଛି ।
ନିୟନ୍ତ୍ରଣ କରିବାକୁ ନାହିଁ ଆଇନ
୪୮ ଘଣ୍ଟା ନା ଅଧିକ ସମୟ? ସପ୍ତାହରେ ଜଣେ କର୍ମଚାରୀ କେତେ ସମୟ କାମ କରିବା ଉଚିତ? ଏହାକୁ ନେଇ ବିତର୍କ ଆରମ୍ଭ ହୋଇଛି । ଇନଫୋସିସ୍ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ମତ ରଖିଥିଲେ, ଯୁବପିଢ଼ିଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା ଦରକାର । ଭାରତକୁ ଆଗକୁ ନେବାରେ ଏହା ବେଶ ସହାୟକ ହେବ । ଏହି ମନ୍ତବ୍ୟକୁ ନେଇ ବିବାଦ ଓ ବିତର୍କ ତେଜିଲା । ଭାରତରେ ଅଧିକାଂଶ କଂପାନି ଅଧିକ ସମୟ କାମ କରିବା ସପକ୍ଷରେ । ଏହାଛଡ଼ା ଟାର୍ଗେଟ୍ ପୂରଣ କରିବାକୁ କର୍ମଚାରୀମାନେ କଠିନ ପରିଶ୍ରମ କରିବା ଉପରେ ଜୋର ଦିଆଯାଉଛି । ଲକ୍ଷ୍ୟ ପୂରଣ ନ ହେଲେ ଦରମା ବଢ଼ିବନି, ପଦୋନ୍ନତି ସମସ୍ୟା ସହ ଚାକିରି ଯିବାର ଭୟ ଗୋଡ଼ାଉଛି । କର୍ମଚାରୀ ବାଧ୍ୟ ହୋଇ ଅଧିକ ଖଟୁଛି ।
ଘରୋଇ କ୍ଷେତ୍ରରେ ଜଣେ କର୍ମଚାରୀ କେତେ ସମୟ କାମ କରିବ? ଅଧିକ ସମୟ କାମ କଲେ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ହେବ? ଏ ନେଇ ସରକାରୀ ନୀତି କିଛି ନାହିଁ । କେବଳ ଫ୍ୟାକ୍ଟ୍ରି ଆଇନ ୧୯୪୮ରେ ସପ୍ତାହକୁ ୪୮ ଘଣ୍ଟା କାମ କରିବାର ନିୟମ ରହିଛି । ଏହା କେବଳ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କୁ କେତେକାଂଶରେ ସୁରକ୍ଷା ଦେଉଛି । ମାତ୍ର ଅନ୍ୟ ବହୁ କ୍ଷେତ୍ରର ପେସାଦାରମାନେ ଆଇନ ନଥିବାରୁ କାମ ଚାପର ଯନ୍ତାରେ ଛଟପଟ ହେଉଛନ୍ତି । ସଫ୍ଟୱେର ଇଞ୍ଜିନିୟର, ଆଇନଜୀବୀ, ଡାକ୍ତର, ମାର୍କେଟିଂ ଓ ସେଲସ୍, ଫାଇନାନ୍ସ, ବ୍ୟାଙ୍କିଙ୍ଗ ଏବଂ ଔଷଧ କମ୍ପାନିର କର୍ମଚାରୀଙ୍କ ଭଳି ବହୁ ପେସାଦାର ଚାପଗ୍ରସ୍ତ ହୋଇ କାମ କରୁଛନ୍ତି । ବିଶେଷଜ୍ଞଙ୍କ ମତରେ ଏକ ଘଣ୍ଟା କାମ କଲେ ଆମ ଜିଡିପିରେ ୮ଡଲାର (ପ୍ରାୟ ୬୫୦ଟଙ୍କା) ଯୋଡ଼ି ହୁଏ । କର୍ମଚାରୀମାନେ ଉତ୍ପାଦନଶୀଳ ହେଲେ ହିଁ ଦୀର୍ଘ ସମୟ କାମ କରି ଟଙ୍କା ରୋଜଗାର କରିପାରିବେ । ଅଧିକ ସମୟ ନୁହେଁ ଅଧିକ ଗୁଣାତ୍ମକ କାମ ଜରୁରି । ଏହା ହିଁ ଆମ ଅର୍ଥନୀତିକୁ ଆଗକୁ ଠେଲିବ ।
କମୁଛି ଦକ୍ଷତା ଓ ସୃଜନଶୀଳତା
ଅଭାବ ଯେଉଁଠି, ସେଇଠି ଶୋଷଣ । ଆମ ଦେଶର ବହୁ ଘରୋଇ ସଂସ୍ଥା ଅଧିକ ସମୟ କାମର ଜୟଗାନ କରୁଛନ୍ତି । ଆମ ଦେଶକୁ ବିକାଶିତ କରିବାକୁ ପେସାଦାରମାନେ ଅଧିକ ସମୟ କାମ କରିବା ଏକମାତ୍ର ବାଟ ବୋଲି ଯୁକ୍ତି କରୁଛନ୍ତି । ମାତ୍ର ଏହି କାମର ଚାପ କାର୍ଯ୍ୟ ଦକ୍ଷତା ସହ ଉତ୍ପାଦକତାକୁ ପ୍ରଭାବିତ କରୁଛି । କାମଚଳା ହେଉଛି ସୃଜନଶୀଳ କାମ । ଚାପଗ୍ରସ୍ତ କର୍ମଚାରୀ ଅଫିସରେ ବହୁ ସମୟ ଅନୁପସ୍ଥିତ ରହୁଛନ୍ତି । ମନୋବିଜ୍ଞାନୀଙ୍କ ଅନୁସାରେ, ଅଧିକାଂଶ ଲୋକ ୮ ଘଣ୍ଟା ପର୍ଯ୍ୟନ୍ତ ଭଲ କାମ କରନ୍ତି । ଅଧିକ ସମୟ କାମ କରିବା ଦ୍ୱାରା ଧ୍ୟାନ କେନ୍ଦ୍ରିତ ହୁଏ ନାହିଁ । ମନ ଓ ଶରୀର ବିଚଳିତ ହୁଏ । ମଣିଷ ଶରୀର ବିଶ୍ରାମ ଚାହେଁ । ହୁଏତ କିଛି ସମୟର ବିରତି ପରେ ପୁଣି କାମ କରାଯାଇପାରେ ।
ପ୍ରବଳ କାମ ଚାପ ଏବେ ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଛି । ସରକାରୀ ଅଫିସ ହେଉ ଅବା କର୍ପୋରେଟ୍ କି ଘରୋଇ ସଂସ୍ଥା । ଅଧିକାଂଶ କର୍ମଚାରୀ ଅଫିସ ପରିବେଶକୁ ନେଇ ଅବସାଦର ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ କହୁଛି, ବିଶ୍ୱରେ ୪୮ କୋଟି ୮୦ ଲକ୍ଷ ବ୍ୟକ୍ତି ୫୫ ଘଣ୍ଟାରୁ ଅଧିକ ସମୟ କାମ କରୁଛନ୍ତି । ଅତ୍ୟଧିକ ମାନସିକ ଚାପରେ ବର୍ଷକୁ ଯାଉଛି ୭ ଲକ୍ଷ ୪୫ ହଜାର ଲୋକଙ୍କ ଜୀବନ । ଭାରତରେ ୬୦ ପ୍ରତିଶତ ଲୋକ ଅଫିସ କାମକୁ ନେଇ ଅତ୍ୟନ୍ତ ଥକ୍କା ଓ ଚିନ୍ତାଗ୍ରସ୍ତ ଜୀବନ କାଟନ୍ତି । ଭାରତୀୟମାନେ ପୃଥିବୀର ଯେକୌଣସି ଦେଶଠୁ କମ୍ ଛୁଟି ନିଅନ୍ତି । କାମକୁ ଉପଭୋଗ ନକରି ଅଧିକ ସମୟ ଚାପଗ୍ରସ୍ତ ହୋଇ କାମ କଲେ ୧୩ ପ୍ରତିଶତ ହୃଦ୍ଘାତ ହେବାର ସମ୍ଭାବନା ସହ ୩୩ ପ୍ରତିଶତ ମସ୍ତିଷ୍କ ଆଘାତ ହେବାର ଆଶଙ୍କା ଅଛି । ନିଜ କାମରେ ସନ୍ତୁଷ୍ଟ ନଥିବା କର୍ମଚାରୀ ସଂଖ୍ୟା ଏବେ ଭାରତରେ ହିଁ ଅଧିକ । ଚାପ ଏଡ଼ାଇବାକୁ ଯାଇ ଅନେକ ମଦ ସହ ସିଗାରେଟ ପିଉଛନ୍ତି । କିଡନି, ଲିଭର, ହୃତପିଣ୍ଡ ପ୍ରଭାବିତ ହେଉଛି । ରୋଗରେ ଘାଣ୍ଟି ହେଉଛି ଜୀବନ ।
କର୍ମକ୍ଷେତ୍ରରେ ଚାପ ରହିବ । ମାତ୍ର ଅବସାଦ ଓ ଚାପମୁକ୍ତ ହେବାକୁ ଆମ ଦୈନନ୍ଦିନ ଜୀବନର ଅଭ୍ୟାସ ବଦଳାଇବାକୁ ହେବ । ପରିବାରକୁ ନିଜର ମାନସିକ ଚାପ ସଂପର୍କରେ ଅନ୍ଧାରରେ ନରଖି ଖୋଲା ଆଲୋଚନା କଲେ ଭଲ । ବନ୍ଧୁଙ୍କ ସହ ଗୁଲିଖଟି କରନ୍ତୁ । ମନଖୋଲା ହସନ୍ତୁ । ଘରୋଇ କଂପାନିଗୁଡ଼ିକ ମଧ୍ୟ ପାରମ୍ପରିକ ଢ଼ାଞ୍ଚାରୁ ବାହାରନ୍ତୁ । ନିଜ ସଂସ୍ଥାର କର୍ମଚାରୀଙ୍କୁ ସୁସ୍ଥ କାର୍ଯ୍ୟ ପରିବେଶଟିଏ ଦେବାକୁ ଯତ୍ନବାନ ହୁଅନ୍ତୁ । ବିଳମ୍ବ ହେଲାଣି । ବହୁ ଜୀବନ ଗଲାଣି । ସରକାର ଏ ଦିଗକୁ ଗମ୍ଭୀରତାର ସହ ଅନୁଧ୍ୟାନ କରନ୍ତୁ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସଶକ୍ତ ଆଇନ ଆଣନ୍ତୁ ।