ଅଭାବ ଯେଉଁଠି, ସେଇଠି ଶୋଷଣ ।  ଦେଶର ବହୁ ସଂସ୍ଥା ଅଧିକ ସମୟ  କାମର ଜୟଗାନ କରୁଛନ୍ତି । ବିକଶିତ  ଭାରତ ଗଢ଼ିବାକୁ ପେସାଦାରମାନେ  ଅଧିକ ସମୟ କାମ କରିବା  ସପକ୍ଷରେ କରୁଛନ୍ତି ଓକିଲାତି । ମାତ୍ର  ଏହି କାମର ଚାପ କାର୍ଯ୍ୟ ଦକ୍ଷତା  ସହ ଉତ୍ପାଦକତାକୁ ପ୍ରଭାବିତ  କରୁଛି । ଅଧିକ ସମୟ ନୁହେଁ ଅଧିକ  ଗୁଣାତ୍ମକ କାମ ଜରୁରି । ଏହା ହିଁ ଆମ  ଅର୍ଥନୀତିକୁ ଆଗକୁ ଠେଲିବ ।

‘ମାନସିକ ଚାପରେ ଛଟପଟ, ଆଉ ପାରୁନି । ମୁଁ ଯାଉଛି,  କ୍ଷମା କରିଦେବ ।’  

ଏମିତି ଦି’ପଦ ଲେଖା। ତା’ ପରେ ଜୀବନ ଶେଷ । କାମର ଚାପ ସହିନପାରି ନିଜ ଜୀବନରେ ନିଜେ ଟାଣିଦେଲେ  ପୂର୍ଣ୍ଣଛେଦ । ଚାଲିଗଲେ ଆଉ ଏକ ରାଇଜକୁ । ହାତ ବଢ଼େଇଲେ  ହାତ ପାଇବନି । 

ଉତ୍ତରପ୍ରଦେଶ ଝାନ୍‌ସୀରେ ଏକ ଫାଇନାନ୍‌ସ କମ୍ପାନୀର କର୍ମଚାରୀ  ତରୁଣ ସକ୍ସେନାଙ୍କର ଏହା ହେଉଛି କରୁଣ କାହାଣୀ । କର୍ମକ୍ଷେତ୍ରର ଚାପ ସହିନପାରି ଆତ୍ମହତ୍ୟା କରିଦେଲେ । କେବଳ ତରୁଣ  ନୁହଁନ୍ତି, କାମ ଚାପରୁ ଦେଶରେ ଏମିତି ଗୋଟିଏ ପରେ ଗୋଟିଏ  ଆତ୍ମହତ୍ୟାର ଖବର ପଦାକୁ ଆସୁଛି । ପୁଣେର ୨୬ ବର୍ଷୀୟା  ଚାଟାର୍ଡ ଆକାଉଣ୍ଟାଣ୍ଟ ଆନ୍ନା ସେବାଷ୍ଟିୟାନ ପେରାୟିଲଙ୍କ ଠାରୁ  ଆରମ୍ଭ କରି ବହୁ ଅମୂଲ୍ୟ ଜୀବନ ନେଲାଣି ଅସହ୍ୟ ଚାପ । କାମ  ଚାପର ବୁଢ଼ିଆଣି ଜାଲରେ ଛନ୍ଦି ହୋଇ ଜୀବନ ଛଟପଟ । ମୁକ୍ତି  ପାଇବାକୁ ଆତ୍ମହତ୍ୟାର ବାଟ ବାଛି ନେଉଛନ୍ତି ଘରୋଇ ସଂସ୍ଥାର  ପେସାଦାର । ସାରା ଦେଶରେ ଏବେ କାମର ଚାପକୁ ନେଇ ଆରମ୍ଭ  ହୋଇଛି ବିତର୍କ । କିଏ ସପକ୍ଷରେ ଓକିଲାତି କରୁଛି, ଆଉ କିଏ  ଅଧିକ ସମୟ କାମର ଚାପକୁ ତୀବ୍ର ବିରୋଧ କରୁଛନ୍ତି । ଆମ କର୍ମ  ସଂସ୍କୃତିକୁ ନେଇ ଆରମ୍ଭ ହୋଇଛି ଛକି-ଶୂନ ଖେଳ । 

ଚାପରୁ ମୁକ୍ତି ପାଇଁ ଆତ୍ମହତ୍ୟା 

ଦେଶର ଘରୋଇ କଂପାନିରେ କାମର ଚାପ ବଢ଼ୁଛି । କର୍ମଚାରୀଙ୍କ  ଉପରେ ଅସହ୍ୟ କାର୍ଯ୍ୟ ଚାପ ରହୁଛି । ମାନସିକ ନିର୍ଯାତନା ମଧ୍ୟ  କିଛି କମ୍‌ ନୁହେଁ । ନିଜର ଶ୍ରେଷ୍ଠ ଉଦ୍ୟମ ସତ୍ତେ୍ୱ ଧାର୍ଯ୍ୟ ଲକ୍ଷ ପୂରଣ  ହେଉନି । ବସ୍‌ ଚିଡ଼ିଚିଡ଼ା ହେଉଛନ୍ତି । ଅପମାନ ଦେଉଛନ୍ତି । ଏହା  ବହୁ କର୍ମଚାରୀଙ୍କ ହଜମ ହେଉନି । ଏପଟେ ବାଘ ସେପଟେ  ଖାଇ ଭଳି ଅବସ୍ଥା । ପରିବାର ଚଳାଇବାକୁ ଚାକିରି ଜରୁରି ।  ମାତ୍ର ଅଫିସରେ ଚାପ ଆଉ ଅପମାନ । ନା ସହି ହୁଏ, ନା କହି  ହୁଏ । ନିଜ ଭିତରେ ରାଗ, ଅଭିମାନ, ଯନ୍ତ୍ରଣା ବଢ଼ି ଚାଲେ । ମୁକ୍ତି  ପାଇବାକୁ ଆତ୍ମହତ୍ୟା ଭଳି କଠୋର ପଦକ୍ଷେପ । ଏହା କ’ଣ  ସମସ୍ୟାର ସମାଧାନ? ଶିକ୍ଷିତ ପେସାଦାରମାନେ ନିଜକୁ ଚାପମୁକ୍ତ  କରିବାକୁ ଯାଇ ନିଜ ପ୍ରିୟ ପରିବାରକୁ ଯେ ସାରା ଜୀବନ କେତେ  ଚାପ ଦିଅନ୍ତି ତାହା କଳନା କରିନଥାନ୍ତି । 

ଆଜିକାଲି ବହୁ କର୍ମଚାରୀ ବିଳମ୍ବିତ ରାତ୍ରି ସହ ଛୁଟିଦିନରେ ବି  କାମ କରୁଛନ୍ତି । ବିଭିନ୍ନ କମ୍ପାନି ସେମାନଙ୍କ କର୍ମଚାରୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମାଠାରୁ ଅଧିକ କାମ କରାଉଛନ୍ତି । କର୍ମଚାରୀଙ୍କୁ ଅଧିକ  ଖଟାଇବାରେ ଭାରତ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଅଛି । ଆମ  ଦେଶରେ ୫୧ ପ୍ରତିଶତ କର୍ମଚାରୀ ସପ୍ତାହକୁ ୪୯ ଘଣ୍ଟାରୁ ଅଧିକ  ସମୟ କାମ କରୁଛନ୍ତି । ଦିନକୁ ଅତିବେଶିରେ ୮ ଘଣ୍ଟା ହିସାବରେ  ସପ୍ତାହକୁ ୪୮ ଘଣ୍ଟା କାମ କରିବାକୁ ଆନ୍ତର୍ଜାତିକ ଶ୍ରମ ସଂଗଠନ  (ଆଇଏଲ୍‌ଓ) ସୁପାରିସ କରିଥିଲେ ମଧ୍ୟ ତାହା ଠିକ୍‌ ଭାବେ  କାର୍ଯ୍ୟକାରୀ ହେଉନାହିଁ ।  

ପ୍ରବଳ ଚାପରେ କାମ କରିବା ଦ୍ୱାରା କର୍ମଚାରୀ କ୍ଲାନ୍ତ  ହୋଇପଡୁଛନ୍ତି । ଦେହ ବିନ୍ଧୁଛି, ଗ୍ୟାଷ୍ଟ୍ରିକ ଭଳି ସମସ୍ୟା  ଦେଖାଦେଉଛି । ଭାରତରେ ୫୯ ପ୍ରତିଶତ କର୍ମଚାରୀ ଭାବନାତ୍ମକ,  ଶାରିରୀକ ଓ ମାନସିକ ଥକାପଣ ଅନୁଭବ କରନ୍ତି । ‘ଲାନସେଟ୍‌’  ପତ୍ରିକା ରିପୋର୍ଟ କହୁଛି ଚାପଗ୍ରସ୍ତ କାମ ହିଁ ଅନିଦ୍ରା ରୋଗର ମୂଳ କାରଣ । ଅଫିସରେ ଫାଷ୍ଟଫୁଡ୍‌  ଖାଇବା ସହ ଘଣ୍ଟା ଘଣ୍ଟା କାଳ ବସି  ରହିବା ହୃତ୍‌ପିଣ୍ଡକୁ ନକରାତ୍ମକ ଭାବେ ପ୍ରଭାବିତ କରୁଛି । କାମ ଚାପରୁ  କାହାକୁ ରାତି ରାତି ନିଦ ହେଉନି ।  କିଏ ଖାଇବା, ପିଇବା ଛାଡ଼ି ଦେଉଛି । କର୍ମଚାରୀମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାରୁ ଅବସାଦରେ ରହୁଛନ୍ତି । ହୃଦ୍‌ ସମସ୍ୟା,  ଚିଡ୍‌ଚିଡ଼ାପଣ, ମେଦବହୁଳତା ମଧ୍ୟ ବୃଦ୍ଧି ପାଉଛି । ଅଜାଗା ଘା’  କାହାକୁ ବି ଦେଖାଇବ ମଣିଷ । ନିଜ ଅଫିସର କାମ ଚାପ କଥା ନିଜ  ସ୍ତ୍ରୀ କିମ୍ବା ପିଲାଙ୍କୁ କହିବାକୁ ଜିଭ ଲେଉଟୁନି । ମାନସିକ ଚାପରେ  ଛଟପଟ ହୋଇ ଜୀବନ ଆଗକୁ ଗଡ଼ୁଛି । 

ନିୟନ୍ତ୍ରଣ କରିବାକୁ ନାହିଁ ଆଇନ 

୪୮ ଘଣ୍ଟା ନା ଅଧିକ ସମୟ? ସପ୍ତାହରେ ଜଣେ କର୍ମଚାରୀ  କେତେ ସମୟ କାମ କରିବା ଉଚିତ? ଏହାକୁ ନେଇ ବିତର୍କ  ଆରମ୍ଭ ହୋଇଛି । ଇନଫୋସିସ୍‌ ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି  ମତ ରଖିଥିଲେ, ଯୁବପିଢ଼ିଙ୍କୁ ସପ୍ତାହରେ ୭୦ ଘଣ୍ଟା କାମ କରିବା  ଦରକାର । ଭାରତକୁ ଆଗକୁ ନେବାରେ ଏହା ବେଶ ସହାୟକ  ହେବ । ଏହି ମନ୍ତବ୍ୟକୁ ନେଇ ବିବାଦ ଓ ବିତର୍କ ତେଜିଲା ।  ଭାରତରେ ଅଧିକାଂଶ କଂପାନି ଅଧିକ ସମୟ କାମ କରିବା  ସପକ୍ଷରେ । ଏହାଛଡ଼ା ଟାର୍ଗେଟ୍‌ ପୂରଣ କରିବାକୁ କର୍ମଚାରୀମାନେ  କଠିନ ପରିଶ୍ରମ କରିବା ଉପରେ ଜୋର ଦିଆଯାଉଛି । ଲକ୍ଷ୍ୟ  ପୂରଣ ନ ହେଲେ ଦରମା ବଢ଼ିବନି, ପଦୋନ୍ନତି ସମସ୍ୟା ସହ  ଚାକିରି ଯିବାର ଭୟ ଗୋଡ଼ାଉଛି । କର୍ମଚାରୀ ବାଧ୍ୟ ହୋଇ ଅଧିକ  ଖଟୁଛି । 

ଘରୋଇ କ୍ଷେତ୍ରରେ ଜଣେ କର୍ମଚାରୀ କେତେ ସମୟ କାମ  କରିବ? ଅଧିକ ସମୟ କାମ କଲେ ସଂସ୍ଥା ବିରୋଧରେ  ଆଇନଗତ କାର୍ଯ୍ୟାନୁଷ୍ଠାନ କ’ଣ ହେବ? ଏ ନେଇ ସରକାରୀ  ନୀତି କିଛି ନାହିଁ । କେବଳ ଫ୍ୟାକ୍ଟ୍ରି ଆଇନ ୧୯୪୮ରେ ସପ୍ତାହକୁ  ୪୮ ଘଣ୍ଟା କାମ କରିବାର ନିୟମ ରହିଛି । ଏହା କେବଳ  ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କୁ କେତେକାଂଶରେ ସୁରକ୍ଷା  ଦେଉଛି । ମାତ୍ର ଅନ୍ୟ ବହୁ କ୍ଷେତ୍ରର ପେସାଦାରମାନେ ଆଇନ  ନଥିବାରୁ କାମ ଚାପର ଯନ୍ତାରେ ଛଟପଟ ହେଉଛନ୍ତି । ସଫ୍ଟୱେର  ଇଞ୍ଜିନିୟର, ଆଇନଜୀବୀ, ଡାକ୍ତର, ମାର୍କେଟିଂ ଓ ସେଲସ୍‌,  ଫାଇନାନ୍‌ସ, ବ୍ୟାଙ୍କିଙ୍ଗ ଏବଂ ଔଷଧ କମ୍ପାନିର କର୍ମଚାରୀଙ୍କ ଭଳି  ବହୁ ପେସାଦାର ଚାପଗ୍ରସ୍ତ ହୋଇ କାମ କରୁଛନ୍ତି । ବିଶେଷଜ୍ଞଙ୍କ  ମତରେ ଏକ ଘଣ୍ଟା କାମ କଲେ ଆମ ଜିଡିପିରେ ୮ଡଲାର (ପ୍ରାୟ  ୬୫୦ଟଙ୍କା) ଯୋଡ଼ି ହୁଏ । କର୍ମଚାରୀମାନେ ଉତ୍ପାଦନଶୀଳ ହେଲେ  ହିଁ ଦୀର୍ଘ ସମୟ କାମ କରି ଟଙ୍କା ରୋଜଗାର କରିପାରିବେ । ଅଧିକ  ସମୟ ନୁହେଁ ଅଧିକ ଗୁଣାତ୍ମକ କାମ ଜରୁରି । ଏହା ହିଁ ଆମ  ଅର୍ଥନୀତିକୁ ଆଗକୁ ଠେଲିବ । 

କମୁଛି ଦକ୍ଷତା ଓ ସୃଜନଶୀଳତା

ଅଭାବ ଯେଉଁଠି, ସେଇଠି ଶୋଷଣ । ଆମ ଦେଶର ବହୁ ଘରୋଇ  ସଂସ୍ଥା ଅଧିକ ସମୟ କାମର ଜୟଗାନ କରୁଛନ୍ତି । ଆମ ଦେଶକୁ ବିକାଶିତ କରିବାକୁ ପେସାଦାରମାନେ ଅଧିକ ସମୟ କାମ କରିବା  ଏକମାତ୍ର ବାଟ ବୋଲି ଯୁକ୍ତି କରୁଛନ୍ତି । ମାତ୍ର ଏହି କାମର ଚାପ  କାର୍ଯ୍ୟ ଦକ୍ଷତା ସହ ଉତ୍ପାଦକତାକୁ ପ୍ରଭାବିତ କରୁଛି । କାମଚଳା  ହେଉଛି ସୃଜନଶୀଳ କାମ । ଚାପଗ୍ରସ୍ତ କର୍ମଚାରୀ ଅଫିସରେ  ବହୁ ସମୟ ଅନୁପସ୍ଥିତ ରହୁଛନ୍ତି । ମନୋବିଜ୍ଞାନୀଙ୍କ ଅନୁସାରେ,  ଅଧିକାଂଶ ଲୋକ ୮ ଘଣ୍ଟା ପର୍ଯ୍ୟନ୍ତ ଭଲ କାମ କରନ୍ତି । ଅଧିକ  ସମୟ କାମ କରିବା ଦ୍ୱାରା ଧ୍ୟାନ କେନ୍ଦ୍ରିତ ହୁଏ ନାହିଁ । ମନ ଓ  ଶରୀର ବିଚଳିତ ହୁଏ । ମଣିଷ ଶରୀର ବିଶ୍ରାମ ଚାହେଁ । ହୁଏତ  କିଛି ସମୟର ବିରତି ପରେ ପୁଣି କାମ କରାଯାଇପାରେ । 

ପ୍ରବଳ କାମ ଚାପ ଏବେ ଜାତୀୟ ପ୍ରସଙ୍ଗ ଭାବେ ଉଭା ହୋଇଛି ।  ସରକାରୀ ଅଫିସ ହେଉ ଅବା କର୍ପୋରେଟ୍‌ କି ଘରୋଇ ସଂସ୍ଥା ।  ଅଧିକାଂଶ କର୍ମଚାରୀ ଅଫିସ ପରିବେଶକୁ ନେଇ ଅବସାଦର  ଶିକାର ହେଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ କହୁଛି,  ବିଶ୍ୱରେ ୪୮ କୋଟି ୮୦ ଲକ୍ଷ ବ୍ୟକ୍ତି ୫୫ ଘଣ୍ଟାରୁ ଅଧିକ ସମୟ  କାମ କରୁଛନ୍ତି । ଅତ୍ୟଧିକ ମାନସିକ ଚାପରେ ବର୍ଷକୁ ଯାଉଛି ୭ ଲକ୍ଷ ୪୫  ହଜାର ଲୋକଙ୍କ ଜୀବନ । ଭାରତରେ  ୬୦ ପ୍ରତିଶତ ଲୋକ ଅଫିସ କାମକୁ  ନେଇ ଅତ୍ୟନ୍ତ ଥକ୍କା ଓ ଚିନ୍ତାଗ୍ରସ୍ତ  ଜୀବନ କାଟନ୍ତି । ଭାରତୀୟମାନେ ପୃଥିବୀର ଯେକୌଣସି ଦେଶଠୁ କମ୍‌  ଛୁଟି ନିଅନ୍ତି । କାମକୁ ଉପଭୋଗ ନକରି ଅଧିକ ସମୟ ଚାପଗ୍ରସ୍ତ  ହୋଇ କାମ କଲେ ୧୩ ପ୍ରତିଶତ ହୃଦ୍‌ଘାତ ହେବାର ସମ୍ଭାବନା  ସହ ୩୩ ପ୍ରତିଶତ ମସ୍ତିଷ୍କ ଆଘାତ ହେବାର ଆଶଙ୍କା ଅଛି । ନିଜ  କାମରେ ସନ୍ତୁଷ୍ଟ ନଥିବା କର୍ମଚାରୀ ସଂଖ୍ୟା ଏବେ ଭାରତରେ ହିଁ  ଅଧିକ । ଚାପ ଏଡ଼ାଇବାକୁ ଯାଇ ଅନେକ ମଦ ସହ ସିଗାରେଟ  ପିଉଛନ୍ତି । କିଡନି, ଲିଭର, ହୃତପିଣ୍ଡ ପ୍ରଭାବିତ ହେଉଛି ।  ରୋଗରେ ଘାଣ୍ଟି ହେଉଛି ଜୀବନ । 

କର୍ମକ୍ଷେତ୍ରରେ ଚାପ ରହିବ । ମାତ୍ର ଅବସାଦ ଓ ଚାପମୁକ୍ତ ହେବାକୁ ଆମ ଦୈନନ୍ଦିନ ଜୀବନର ଅଭ୍ୟାସ ବଦଳାଇବାକୁ ହେବ ।  ପରିବାରକୁ ନିଜର ମାନସିକ ଚାପ ସଂପର୍କରେ ଅନ୍ଧାରରେ ନରଖି  ଖୋଲା ଆଲୋଚନା କଲେ ଭଲ । ବନ୍ଧୁଙ୍କ ସହ ଗୁଲିଖଟି କରନ୍ତୁ ।  ମନଖୋଲା ହସନ୍ତୁ । ଘରୋଇ କଂପାନିଗୁଡ଼ିକ ମଧ୍ୟ ପାରମ୍ପରିକ  ଢ଼ାଞ୍ଚାରୁ ବାହାରନ୍ତୁ । ନିଜ ସଂସ୍ଥାର କର୍ମଚାରୀଙ୍କୁ ସୁସ୍ଥ କାର୍ଯ୍ୟ  ପରିବେଶଟିଏ ଦେବାକୁ ଯତ୍ନବାନ ହୁଅନ୍ତୁ । ବିଳମ୍ବ ହେଲାଣି ।  ବହୁ ଜୀବନ ଗଲାଣି । ସରକାର ଏ ଦିଗକୁ ଗମ୍ଭୀରତାର ସହ  ଅନୁଧ୍ୟାନ କରନ୍ତୁ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା  ପାଇଁ ସଶକ୍ତ ଆଇନ ଆଣନ୍ତୁ ।