ଢେଙ୍କାନାଳ, ୨୫/୦୫ : ପେଟର ଭୋକ ଜ୍ୱାଳା ସମ୍ଭାଳି ନପାରି ମୁଠାଏ ଖାଇବାକୁ ମାଗିଥିଲେ । ହେଲେ ଆହାର ମୁଠେ ଦେବା ବଦଳରେ ନିସ୍ତୁକ ପାହାର ପରେ ପାହାର ପିଟି ଚାଲିଲେ ପଡ଼ୋଶୀ । ମାନସିକ ସନ୍ତୁଳନ ହରାଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ପାଶବିକ ଆକ୍ରମଣ କରାଯାଇଛି । ଭୁବନ ଏନଏସି ୨ନଂ ୱାର୍ଡରେ ଶନିବାର ଘଟିଥିବା ଏପରି ଅମାନୁଷିକ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ମୁମୂର୍ଷୁ ଅବସ୍ଥାରେ ଅଜୟ ମଳିକ(୪୫)ଙ୍କୁ ଭୁବନ ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ରବିବାର ଭିଡିଓ ଭାଇରାଲ ହେବାପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି ।
ସୂଚନା ଅନୁସାରେ, ଆର୍ଥିକ ଅନାଟନ ଥିବା ଅଜୟ ପୂର୍ବରୁ ଦିନମଜୁରୀ କରି ପେଟ ପୋଷୁଥିଲେ । କିଛି ମାସ ତଳେ ତାଙ୍କ ବାପା ଓ ଭାଇଙ୍କର ପରଲୋକ ହୋଇଯାଇଛି । ବିବାହର ପାଞ୍ଚ ବର୍ଷ ପରେ କୌଣସି କାରଣରୁ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲିଯିବା ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଘର ପରିବାର କେହି ନଥିବାବେଳେ ସେ ଘର ଛାଡ଼ି ବୁଲି ବୁଲି ଖାଦ୍ୟ ଗଣ୍ଡାଏ ମାଗି ପେଟଭରନ୍ତି । ଶନିବାର କୁଆଡୁ କିଛି ଖାଇବାକୁ ନପାଇ ତାଙ୍କ ପଡୋଶୀଙ୍କ ଘରକୁ ଯାଇଥିଲେ । ତାଙ୍କ ଘର ବାହାରେ ବସି ରହି ଖାଇବାକୁ ମାଗିଥିଲେ । ମାତ୍ର ପଡ଼ୋଶୀଙ୍କ ପରିବାର ଖାଇବାକୁ ଦେବାକୁ ମନା କରିଥିଲେ । ଭୋକ ଲାଗୁଥିବାରୁ ସେ କାକୁତିମୀନତି ହୋଇ ଖାଦ୍ୟ ଗଣ୍ଡାଏ ଦେବାକୁ କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପଡ଼ୋଶୀ ସଙ୍ଘବଦ୍ଧ ଭାବେ ତାଙ୍କୁ ବାଡ଼ିରେ ନିସ୍ତୁକ ପିଟିଥିଲେ । ଅମାନବୀୟ ଭାବେ ବାଡ଼େଇ ଚାଲିଥିଲେ । ଯାହାର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ମାଡ଼ରେ ଅଜୟ ଗୁରୁତର ହୋଇପଡ଼ିବା ପରେ ଖବର ପାଇ କେତେକ ସାମାଜିକ କର୍ମୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅଜୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଛନ୍ତି । ଖବର ପାଇ ଅଜୟଙ୍କ ସାନ ଭଉଣୀ ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ଭୁବନ ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି ଏସପି ଅଭିନବ ସୋନକର କହିଛନ୍ତି।
ଏହି ଖବରଟିକୁ ପଢନ୍ତୁ- Domestic Violence : ଯାଆଁଳା ଝିଅ ହେବାରୁ ଦଣ୍ଡ, ଗାଁ ଦାଣ୍ଡରେ ପୁଅ-ବୋହୂଙ୍କୁ ଘୋଷାରି ମାଡ଼ ମାରି ଘରୁ ବିଦା କଲେ ପରିବାର ଲୋକ