ମୁମ୍ବାଇ,୦୨/୦୭:  ‘ଆଇ ଲଭ୍‌ ୟୁ’  କହିବା କେବଳ ଭାବନାର ଅଭିବ୍ୟକ୍ତି ।  ଏହା ଯୌନ ନିର୍ଯାତନା ଉଦ୍ଦେଶ୍ୟ ଶ୍ରେଣୀରେ  ଆସୁନାହିଁ ବୋଲି ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚ କହିଛନ୍ତି । ଏଥିସହ ୨୦୧୫ର ଏକ ପୋକ୍ସୋ ମାମଲାରେ ଜଣେ  ୩୫ ବର୍ଷୀୟ ଯୁବକଙ୍କୁ ଜଷ୍ଟିସ୍‌ ଉର୍ମିଳା ଯୋଶୀ ଫାଲକେଙ୍କ ଖଣ୍ଡପୀଠ ଦୋଷମୁକ୍ତ କରିଛନ୍ତି ।

ଜଷ୍ଟିସ୍‌ ଯୋଶୀ କହିଛନ୍ତି,  ମାମଲାରୁ ଜଣାପଡ଼ୁଛି ଯେ ଏପରି କୌଣସି ପରିସ୍ଥିତି ନ ଥିଲା ଯେଉଁଠି ଅଭିଯୁକ୍ତଙ୍କ ପ୍ରକୃତ ଉଦ୍ଦେଶ୍ୟ ପୀଡ଼ିତାଙ୍କ ସହ ଯୌନ ସମ୍ପର୍କ ସ୍ଥାପନ କରିବା ଥିଲା । ଏଥିସହ ଯୌନ ଉତ୍ପୀଡ଼ନ ଉଦ୍ଦେଶ୍ୟ ରଖି ଅଭିଯୁକ୍ତ ‘ଆଇ ଲଭ୍‌ ୟୁ’ କହିଥିବାର ମଧ୍ୟ ପ୍ରମାଣ ନାହିଁ। ତେଣୁ କେବଳ ଆଇ ଲଭ୍‌ ୟୁ କହିବାକୁ ଯୌନ ନିର୍ଯାତନା ମାମଲା ଭାବେ  ଗ୍ରହଣ କରାଯାଇପାରିବନି । 

୨୦୧୭ରେ  ନାଗପୁରର ଏକ ସେସନ୍ସ କୋର୍ଟ ସମ୍ପୃକ୍ତ  ବ୍ୟକ୍ତିଙ୍କୁ ପୋକ୍ସୋ ଆଇନ ବଳରେ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ୩ ବର୍ଷ ଜେଲ୍‌  ଦଣ୍ଡାଦେଶ ଶୁଣାଇଥିଲେ । ଅଭିଯୁକ୍ତ ଜଣକ ନାଗପୁରରେ ଜଣେ ୧୭ ବର୍ଷୀୟା ସ୍କୁଲ ଫେରନ୍ତା ବାଳିକାଙ୍କ ହାତ ଧରି ତାଙ୍କ  ନାଁ ପଚାରିବା ସହ ‘ଆଇ ଲଭ୍‌ ୟୁ’  କହିଥିଲେ । ଏ ନେଇ ନାବାଳିକା ଜଣକ ତାଙ୍କ ଘରେ ଜଣାଇବା ପରେ ପରିବାର ଲୋକ ଥାନାରେ ଏତଲା ଦେଇଥିଲେ ।