ନୁଆଦିଲ୍ଲୀ ୧୨/୦୨: କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଏପ୍‌ଷ୍ଟିିନ୍ ଫାଇଲ୍ ମାମଲାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଅଣାଯାଇଥିବା ଅଭିଯୋଗ ଉପରେ  ଜବାବ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ପୁରୀ କହିଛନ୍ତି ଯେ ସଂସଦରେ ରାହୁଲ ତାଙ୍କ ନାମରେ ଯେଉଁସବୁ ଅଭିଯୋଗ ଆଣିଛନ୍ତି, ସେଗୁଡ଼ିକ ଭିତ୍ତିହୀନ । ଏହା ରାହୁଲଙ୍କର ପୁରୁଣା ଅଭ୍ୟାସ ।

ରାହୁଲଙ୍କ ନାମ ନ ନେଇ ପୁରୀ କହିଛନ୍ତି, ଜଣେ ଯୁବ ନେତା ସଂସଦରେ କିଛି କହିଛନ୍ତି । ମନଗଢ଼ା ଅଭିଯୋଗ ଆଣିବା ତାଙ୍କର ଅଭ୍ୟାସ । କିଛି ନେତା ଏଭଳି ଅଛନ୍ତି ଯେଉଁମାନେ ବିଦେଶ ଯାତ୍ରା କରନ୍ତି । କିନ୍ତୁ ସଂସଦ ଅଧିବେଶନକୁ ଆସି ଅନ୍ୟମାନଙ୍କ କଥା ନ ଶୁଣି ବାହାରକୁ ପଳାନ୍ତି । ଆଜି ମଧ୍ୟ ଭାଷଣ ଦେବା ପରେ ସେ ବାହାରକୁ ଚାଲିଯାଇଥିଲେ । ଏପ୍‌ଷ୍ଟିନ୍ ଫାଇଲ୍ ମାମଲାରେ ରାହୁଲଙ୍କ ଅଭିଯୋଗର ଜବାବ ଦେଇ ପୁରୀ କହିଛନ୍ତି, ମୁଁ ଏପ୍‌ଷ୍ଟିନ୍‌ଙ୍କୁ ୩-୪ ଥର ଭେଟିଥିଲି । କିନ୍ତୁ ଏହି ସାକ୍ଷାତ ଅନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାନ (ଆଇପିଆଇ)ର ଏକ ପ୍ରତିନିଧି ମଣ୍ଡଳୀରେ ଥିବା ବେଳେ ହୋଇଥିଲା । ଏହି ଘଟଣାକ୍ରମ ୨୦୦୯ ବେଳର । ସେତେବେଳେ ମୁଁ ନ୍ୟୁୟର୍କରେ ଭାରତର ରାଷ୍ଟ୍ରଦୂତ ଥିଲି । ଏହିସବୁ ତଥ୍ୟ ସାର୍ବଜନୀନ ଭାବେ ଉପଲବ୍ଧ । ପ୍ରାୟ ୩୦ ଲକ୍ଷ ଇ-ମେଲ୍ ସାର୍ବଜନୀନ ରହିଛି । ୮ ବର୍ଷ ପରେ ମୁଁ ମନ୍ତ୍ରୀ ହୋଇଥିଲି । ଏହି ୮ ବର୍ଷ ମଧ୍ୟରେ ମୁଁ ୩-୪ ଥର ଭେଟିଥିବା ନେଇ ସୂଚନା ରହିଛି । ଜାତିସଂଘରେ ଭାରତୀୟ ରାଷ୍ଟ୍ରଦୂତ ଭାବେ ଅବସର ବେଳେ ମୋତେ ଅନ୍ତର୍ଜାତୀୟ ଶାନ୍ତି ପ୍ରତିଷ୍ଠାନରେ ଆମନ୍ତ୍ରଣ କରାଯାଇଥିଲା ।

 

ହରଦୀପଙ୍କ ଏହି ବୟାନ ଉପରେ କଂଗ୍ରେସ ନେତା ପୱନ ଖେଡ଼ା ତାଙ୍କୁ ୬ଟି ପ୍ରଶ୍ନ ପଚାରିଛନ୍ତି । ଏପ୍‌ଷ୍ଟିନ୍ ଫାଇଲ୍‌ର ଦସ୍ତାବିଜକୁ ଆଧାର କରି ସେ କହିଛନ୍ତି, ବୈଠକର ବିବରଣୀ ବାବଦରେ ହରଦୀପ ଏପ୍‌ଷ୍ଟିନ୍ ସହ କାହିଁକି ଆଲୋଚନା କରିଥିଲେ? ଏପ୍‌ଷ୍ଟିନ୍‌ଙ୍କଚ ଜଣେ ‘ବନ୍ଧୁ’ ଭାବେ ସମ୍ବୋଧନ କରାଗଲା କାହିଁକି? ରେଡ୍ ହଫ୍‌ମ୍ୟାନ୍‌ଙ୍କ ସହ ବୈଠକ ପ୍ରସ୍ତୁତିରେ ଏପ୍‌ଷ୍ଟିନ୍ ‘କଣ୍ଟାକ୍ଟ’ ଥିଲା କି? ୨୦୧୪ ଅକ୍ଟୋବର ୪ରେ ଏପ୍‌ଷ୍ଟିନ୍ ହରଦୀପଙ୍କୁ ଇମେଲ୍ କରିଥିଲେ, ‘ରେଡ୍ ବୈଠକ ଅନୁଷ୍ଠିତ ହେଲା କି’ । ଏସବୁର ସେ ଜବାବ ଦିଅନ୍ତୁ ।

ଆହୁରି ପଢ଼ନ୍ତୁ :- ଏପ୍‌ଷ୍ଟିନ ଇଚ୍ଛାପତ୍ରରେ ରହସ୍ୟମୟୀ ମହିଳା, ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ଶେଷ ଫୋନ୍ କଲ୍