ନୂଆଦିଲ୍ଲୀ,୧୫।୧:  ଶେଷରେ ଭାରତକୁ କ୍ଷମା ମାଗିଲା ମେଟା। ୨୦୨୪ ନିର୍ବାଚନକୁ ନେଇ ଫେସବୁକ୍ ସଂସ୍ଥାପକ ମାର୍କ ଜୁକରବର୍ଗ ଦେଇଥିଲେ ଭୁଲ ତଥ୍ୟ। ଏହାକୁ ନେଇ ଉଠିଥିଲା ଝଡ। ଏହି ମାମଲାରେ ସଂସଦୀୟ କମିଟି ମେଟାକୁ ଦେଇଥାନ୍ତା ସମନ୍। ତେବେ ତା ପୂର୍ବରୁ କ୍ଷମା ମାଗିଛି କମ୍ପାନୀ।

ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗଙ୍କ ମନ୍ତବ୍ୟକୁ ନେଇ ବିବାଦ। ଶେଷରେ  କ୍ଷମା ମାଗିଲା ମେଟା।  ଭାରତରେ ଗତବର୍ଷ ହୋଇଥିବା ସାଧାରଣ ନିର୍ବାଚନରେ ଏନ୍‌ଡିଏ ସରକାର ହାରିଥିବା ନେଇ କହିଥିଲେ ଜୁକରବର୍ଗ। ଫଳାଫଳକୁ ନେଇ ଭୁଲ ତଥ୍ୟପରେ ଆରମ୍ଭ ହୋଇଥିଲା ବିବାଦ। ଘଟଣାର ଗମ୍ଭୀରତାକୁ ଦେଖି ଭାରତରେ ଥିବା ‘ମେଟା’ ଅଧିକାରୀ  ଭୁଲ ପାଇଁ କ୍ଷମା ମାଗିଛନ୍ତି।   କ୍ଷମା ମାଗିବା ସହ କହିଛନ୍ତି, ୨୦୨୪ ନିର୍ବାଚନରେ ଅନେକ କ୍ଷମତାସୀନ ଦଳ ପୁନଃନିର୍ବାଚିତ ହୋଇନଥିଲେ। ଜୁକରବର୍ଗଙ୍କ ମତ ଅନେକ ଦେଶ ପାଇଁ ସତ୍ୟ, କିନ୍ତୁ ଭାରତ ପାଇଁ ନୁହେଁ। ଆମେ ଏହି ଅଜାଣତରେ ହୋଇଥିବା ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରୁଛୁ। ଭାରତ ‘ମେଟା ପାଇଁ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦେଶ ଭାବରେ ରହିଛି । ଭବିଷ୍ୟତରେ ଆମେ ଏହାର ଅଭିନବ ଭବିଷ୍ୟତର କେନ୍ଦ୍ରରେ ରହିବାକୁ ଚାହୁଁ। 

ଜୁକରବର୍ଗ ଏକ ପଡକାଷ୍ଟରେ କହିଥିଲେ ଯେ ୨୦୨୪ ପୂରା ବିଶ୍ୱରେ ଏକ ବଡ଼ ନିର୍ବାଚନୀ ବର୍ଷ ଥିଲା। ଭାରତ ସମେତ ଅନେକ ଦେଶରେ ନିର୍ବାଚନ ଅନୁଷ୍ଠିତ ହୋଇଛି। ସେହି ସବୁ ଦେଶ ଶାସନରେ ଥିବା ସରକାର ମୁଦ୍ରାସ୍ଫିତି ପାଇଁ ହେଉ ବା କୋଭିଡ ମହାମାରୀ ସମୟରେ ଦୁର୍ବଳ ପରିଚାଳନା ପାଇଁ ଏକ ପ୍ରକାର ହାରିଯାଇଛନ୍ତି। ଜୁକରବର୍ଗଙ୍କ ଏହି ମନ୍ତବ୍ୟ ପରେ  ଅଶ୍ୱିନୀ ବୈଷ୍ଣବ ଏକ୍ସରେ ମେଟାକୁ ଟ୍ୟାଗ୍ କରି ମାର୍କ ଟିପ୍ପଣୀକୁ ନିନ୍ଦା କରିଥିଲେ। ବୈଷ୍ଣବଙ୍କ ପୋଷ୍ଟକୁ ରିପୋଷ୍ଟ କରି ନିଶିକାନ୍ତ ଦୁବେ ଲେଖିଥିଲେ ମୋ କମିଟି ଏହି ମିଥ୍ୟା ଖବର ପାଇଁ ମେଟାକୁ ସମନ କରିବ। କୌଣସି ଗଣତାନ୍ତ୍ରିକ ଦେଶ ବିଷୟରେ ମିଛ ଖବର ପ୍ରସାରିତ କରିବା ସେହି ଦେଶର ଛବିକୁ ଖରାପ କରିଥାଏ। ଏହି ଭୁଲ ପାଇଁ  ଭାରତୀୟ ସଂସଦ ତଥା ଦେଶର ଲୋକଙ୍କୁ କ୍ଷମା ମାଗିବାକୁ ପଡ଼ିବ।