କଳାହାଣ୍ଡି, ୨୪/୭: ଗୋପାଳରୁର ପଞ୍ଚାୟତରେ ମନରେଗାରେ ମହାଦୁର୍ନୀତି ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକରେ ମନରେଗା ଯୋଜନାରେ ମହାଦୁର୍ନୀତି ହେଉଥିବା ନେଇ ବାରମ୍ୱାର ଅଭିଯୋଗ ହୋଇ ଆସୁଥିଲା । ବର୍ତ୍ତମାନ ଗାଁ ସାଥି ଓ ଜିଆରଏସ୍ମାନଙ୍କ କଳାକାରନାମା ପଦାକୁ ଆସିଛି । କିଛି ବିଦେଶୀଙ୍କ ଫଟୋକୁ ଅପଲୋଡ୍ କରି ଟଙ୍କା ଉଠାଇ ଥିବା ଅଭିଯୋଗ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନାନୁସାରେ, ଚଳିତ ୨୦୨୪-୨୫ ଆର୍ଥିକ ବର୍ଷରେ ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ଲୋହରାଜୋର ଗ୍ରାମରେ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କେନ୍ଦୁମାଳି ପାହାଡ଼ରେ ଷ୍ଟେଞ୍ଜର ଟ୍ରେଞ୍ଚ କାମ ହୋଇଥିଲା । ସୂଚନା ବୋର୍ଡରେ କାମ କେବେ ଆରମ୍ଭ ହେଲା, କେବେ ସରିଲା ତା’ର କୌଣସି ସୂଚନା ନ ଥିବାବେଳେ କେବଳ ଦୈନିକ ମଜୁରୀ ୩୫୨ ଲେଖାଯାଇଛି । ସବୁଠାରୁ ପରିତାପର ବିଷୟ ହେଲା ଏହି କାମରେ ଗାଁ ସାଥି ଓ ଜିଆରଏସ କିଛି ବିଦେଶୀମାନଙ୍କର ଫଟୋକୁ ଅପଲୋଡ୍ କରି ଟଙ୍କା ଉଠାଣ କରିବା ପାଇଁ ମସୁଧା ଆରମ୍ଭ କରିଥିଲେ । ହେଲେ ଏହି ଅପଲୋଡ୍ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ପଞ୍ଚାୟତ କର୍ତ୍ତୃପକ୍ଷ ଦହଗଞ୍ଜ ହୋଇଥିଲେ । ଏନେଇ ଥୁଆମୂଳ ରାମପୁର ବିଡିଓ ଧ୍ରୁବଚରଣ ମୁଦୁଲିଙ୍କୁ ପଚାରିବାରୁ ସେଭଳି ଫଟୋ ଅପଲୋଡ୍ ହୋଇ ଟଙ୍କା ଉଠାଣ କରାଯାଇନାହିଁ ବୋଲି ସଫେଇ ଦେଇଥିଲେ ।