ନୂଆଦିଲ୍ଲୀ, ୨୭।୬: ବିଶ୍ୱ ବଜାରରେ ଏବେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଦବଦବା ଦେଖିବାକୁ ମିଳୁଛି । ଏଆଇ ଭିତ୍ତିଭୂମି ଏବଂ ଆଧୁନିକ ମେମୋରୀ ଚିପ୍ର ଚାହିଦା ଆକାଶଛୁଆଁ ହେବା ସହିତ ଆମେରିକାର ପ୍ରତିଷ୍ଠିତ ସେମିକଣ୍ଡକ୍ଟର କମ୍ପାନି 'ମାଇକ୍ରୋନ ଟେକ୍ନୋଲୋଜି' ର ସେୟାର ମୂଲ୍ୟରେ ଏକ ଅଭୂତପୂର୍ବ ତଥା ଐତିହାସିକ ବୃଦ୍ଧି ଘଟିଛି । ଗୁରୁବାର ବଜାର କାରବାର ସମୟରେ କମ୍ପାନି ଏଭଳି ଏକ ସଫଳତା ପାଇଥିଲା, ଯାହା ସମଗ୍ର ବିଶ୍ୱର ନିବେଶକମାନଙ୍କୁ ଚକିତ କରିଦେଇଛି । କାରବାର ମଝିରେ ମାଇକ୍ରୋନର ମାର୍କେଟ କ୍ୟାପ୍ (ବଜାର ମୂଲ୍ୟ) କିଛି ସମୟ ପାଇଁ ବିଶ୍ୱର ଦୁଇ ପ୍ରମୁଖ ଟେକ୍ ଜାଏଣ୍ଟ 'ମେଟା ପ୍ଲାଟ୍ଫର୍ମସ' ଏବଂ ଏଲନ୍ ମସ୍କଙ୍କ 'ଟେସ୍ଲା'କୁ ମଧ୍ୟ ଟପି ଯାଇଥିଲା ।
କମ୍ପାନି ପକ୍ଷରୁ ଆଗାମୀ ଦିନ ପାଇଁ ଜାରି କରାଯାଇଥିବା ମଜଭୁତ ତ୍ରୟମାସିକ ଆକଳନ ନିବେଶକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି । ଏହି ସକାରାତ୍ମକ ରିପୋର୍ଟ ପରେ ମାଇକ୍ରୋନ ଉପରେ ନିବେଶକଙ୍କ ଭରସା ବେଶ୍ ବୃଦ୍ଧି ପାଇଥିଲା, ଯାହାଫଳରେ କାରବାର ଚାଲିଥିବା ସମୟରେ କମ୍ପାନିର ସେୟାର ମୂଲ୍ୟ ପ୍ରାୟ ୧୮.୪% ପର୍ଯ୍ୟନ୍ତ ଉପରକୁ ଉଠିଯାଇଥିଲା । ଆନ୍ତର୍ଜାତୀୟ ସମ୍ବାଦ ସଂସ୍ଥା ରୟଟର୍ସର ରିପୋର୍ଟ ଅନୁଯାୟୀ, ଗୁରୁବାର ବଜାର ବନ୍ଦ ହେବା ବେଳକୁ ମାଇକ୍ରୋନ ଟେକ୍ନୋଲୋଜିର ସେୟାର ୧୫.୮% ବୃଦ୍ଧି ସହ ଗ୍ରୀନ୍ ମାର୍କରେ ବନ୍ଦ ହୋଇଥିଲା । ବଜାର ସମାପ୍ତ ହେବା ପରେ କମ୍ପାନିର ମୋଟ୍ ବଜାର ମୂଲ୍ୟ ୧.୩୭ ଟ୍ରିଲିୟନ ଡଲାରରେ ପହଞ୍ଚିଛି ।
ଏହା ବି ପଢ଼ନ୍ତୁ... Aviation: ବିମାନ ଚଳାଚଳ କ୍ଷେତ୍ରରେ ହାହାକାର; ଚଳିତ ଆର୍ଥିକ ବର୍ଷରେ ୩୮,୦୦୦ କୋଟି ଟଙ୍କା କ୍ଷତି ସହିବେ କମ୍ପାନି !
ମେଟା ଏବଂ ଟେସ୍ଲା ସହ କଡ଼ା ଟକ୍କର:
ଯଦିଓ କାରବାର ମଝିରେ ମାଇକ୍ରୋନ ସବୁଠୁ ଆଗକୁ ଚାଲିଯାଇଥିଲା, ତେବେ ବଜାର ବନ୍ଦ ହେବା ବେଳକୁ ଏହା ମେଟା ଏବଂ ଟେସ୍ଲାର ସାମାନ୍ୟ ପଛରେ ରହିଥିଲା । ବର୍ତ୍ତମାନ ବିଶ୍ୱ ବଜାରରେ ଏହି ତିନି କମ୍ପାନିର ମାର୍କେଟ କ୍ୟାପ୍ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳୁଛି । ମାଇକ୍ରୋନ ଟେକ୍ନୋଲୋଜି ୧.୩୭ ଟ୍ରିଲିୟନ ଡଲାର, ମେଟା ପ୍ଲାଟ୍ଫର୍ମସ ୧.୩8 ଟ୍ରିଲିୟନ ଡଲାର, ଟେସ୍ଲା ୧.୪୧ ଟ୍ରିଲିୟନ ଡଲାର ଥିଲା । ମାଇକ୍ରୋନର ଏହି ଆଶ୍ଚର୍ଯ୍ୟଜନକ ଅଭିବୃଦ୍ଧି ପଛରେ ରହିଛି କମ୍ପାନିର ଚତୁର୍ଥ ତ୍ରୟମାସିକର ଦମଦାର ଆଭିମୁଖ୍ୟ । ଆକଳନ କରାଯାଉଛି ଯେ ଚଳିତ ଚତୁର୍ଥ ତ୍ରୟମାସରେ କମ୍ପାନି ପ୍ରାୟ ୫୦ ବିଲିୟନ ଡଲାରର ବେଶ୍ ମୋଟା ଅଙ୍କର ରାଜସ୍ୱ ହାସଲ କରିବାକୁ ଯାଉଛି । ବିଶେଷଜ୍ଞଙ୍କ ମତରେ, ଆଗାମୀ ଦିନରେ ଏଆଇ ସେକ୍ଟରର ଅଭିବୃଦ୍ଧି ସହିତ ମାଇକ୍ରୋନ ଭଳି ଚିପ୍ ନିର୍ମାତା କମ୍ପାନିଗୁଡ଼ିକର ଆଧିପତ୍ୟ ବଜାରରେ ଆହୁରି ବଢ଼ିବାର ସମ୍ଭାବନା ରହିଛି ।