ରାୟଗଡ଼ା (ଆପ୍ର) - ମିଳିଲାନି ମଧ୍ୟାହ୍ନ ଭୋଜନ, ଉପାସରେ ରହିଲେ ୩୨ ଛାତ୍ରଛାତ୍ରୀ। ବିଦ୍ୟାଳୟ ରୋଷେୟାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବାରୁ ମଧ୍ୟାହ୍ନ ଭୋଜନ ବନ୍ଦ ରହିଲା । ଏହିପରି ଘଟଣା ଦେଖିବାକୁ ମିଳିଛି ରାୟଗଡା ବ୍ଲକ ପିତାମହଲ ପଂଚାୟତ ଅନ୍ତର୍ଗତ ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ।

ପ୍ରତିଦିନ ଭଳି ଆଜି ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଆସିଥିଲେ । ହେଲେ ମଧ୍ୟାହ୍ନ ଭୋଜନ ସମୟରେ ପିଲାଙ୍କୁ ଖାଇବାକୁ ଦିଆନଯାଇ ନିଜ ଘରକୁ ଯାଇ ଖାଇବାକୁ କହିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିଭାର । ଛାତ୍ରଛାତ୍ରୀମାନେ କାହିଁକି ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ କହିଥିଲେ ଯେ, ରୋଷେୟାଙ୍କ ଦେହ ଭଲ ନାହିଁ। ସେ ରାୟଗଡା ଯାଇଥିବାରୁ ମଧ୍ୟାହ୍ନ ଭୋଜନ ରୋଷେଇ ବନ୍ଦ ରହିଛି। ଏହା କହିବା ପରେ ପିଲାମାନେ ଖାଇବା ପାଇଁ ନିଜ ନିଜ ଘରକୁ ଚାଲିଯାଇଥିଲେ । ହେଲେ କିଛି ପିଲାଙ୍କ ଅଭିଭାବକ ଘରେ ନଥିବାରୁ ସେହି ପିଲାମାନେ ଦୋକାନରୁ ବିସ୍କୁଟ ଖାଇଥିବା ବେଳେ ଆଉ କିଛି ଉପାସରେ ରହିଥିବା ପିଲାମାନେ କହିଛନ୍ତି । ହେଲେ ପିଲାଙ୍କ ପାଇଁ ସରକାର ପୋଷଣ ଜନିତ ଖାଦ୍ୟ ପ୍ରଦାନ କରୁଛନ୍ତି । ଯଦି ରୋଷେୟା ଅସୁସ୍ଥ ହେଲେ ତାଙ୍କ ଜାଗାରେ ଅନ୍ୟ କୌଣସି ବ୍ୟବସ୍ଥା ନକରି ପିଲାଙ୍କୁ ଉପାସରେ ରଖିବା କେତେ ଦୂର ଯୁକ୍ତିଯୁକ୍ତ ।

ବର୍ତ୍ତମାନ ମାଣିକଝୋଲା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୩୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି। ଏହାକୁ ନେଇ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏ ସମ୍ପର୍କରେ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହକ କହିଛନ୍ତି ଯେ, ଘଟଣାର ତଦନ୍ତ କରାଯିବ। ତା’ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।