କଟକ, ୨୦/୦୩ : ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଏଲପିଜି ସଙ୍କଟ। ଦେଶକୁ ଆସିପାରୁନି ଏଲ୍‌ଏନ୍‌ଜି(ଲିକ୍ୟୁଫାଏଡ୍‌ ନାଚୁରାଲ୍‌ ଗ୍ୟାସ୍‌)। ସେରାମିକ୍‌ ଟାଇଲ୍ସ ଦର ୨୦ ପ୍ରତିଶତ ବୃଦ୍ଧି। ବଡ଼ବଡ଼ କାରଖାନା ପ୍ରଭାବିତ। ଟାଇଲ୍ସ ପ୍ରସ୍ତୁତିରେ ଏଲ୍‌ଏନ୍‌ଜି ବ୍ୟବହାର ହୋଇଥାଏ। ଦେଶକୁ ଏଲ୍‌ଏନ୍‌ଜି ଆସିନପାରିବାରୁ ସେରାମିକ୍‌ ଟାଇଲ୍ସ ପ୍ରସ୍ତୁତ ହୋଇପାରୁନି । ଫଳରେ ଏହାର ଦର ଚଳିତ ସପ୍ତାହରୁ ବଢ଼ିବାରେ ଲାଗିଛି । କଟକ-ଭୁବନେଶ୍ୱରରେ ଥିବା ସେରାମିକ୍‌ ଟାଇଲ୍ସର ବ୍ୟବସାୟୀଙ୍କ ପକ୍ଷରୁ ଏଭଳି କିଛି ସୂଚନା ଦିଆଯାଇଛି ।

ସେରାମିକ୍ସ ଟାଇଲ୍ସ ଗୁଡ଼ିକର ପ୍ରସ୍ତୁତି ଦୁଇଟି ପର୍ଯ୍ୟାୟରେ ହୁଏ । ପ୍ରଥମ ଢାଞ୍ଚାରେ ପକାଇବା ପରେ ତାକୁ ଶକ୍ତ ଓ ଚିକ୍କଣ କରିବା ପାଇଁ ଏକ ଉଚ୍ଚ ତାପମାତ୍ରା ଫର୍ଣ୍ଣେସ୍‌ରେ ରଖାଯାଏ । ଏହି ଫର୍ଣ୍ଣେସ ଗୁଡ଼ିକ କେବଳ ଏଲ୍‌ଏନ୍‌ଜିରେ ଚାଲିଥାଏ । ଏଲ୍‌ଏନ୍‌ଜି ବା ଲିକ୍ୟୁଫାଏଡ୍‌ ନାଚୁରାଲ୍‌ ଗ୍ୟାସ୍‌ ଜଳିବା ଯୋଗୁଁ କାର୍ବନ୍‌ ବା ଅଙ୍ଗାରକାମ୍ଳ କମ୍‌ ବାହାରିଥାଏ । ତେଣୁ ସାଜସଜ୍ଜାରେ ବ୍ୟବହୃତ ଟାଇଲ୍ସ ଗୁଡ଼ିକ ନିର୍ମାଣ ସଠିକ୍‌ ହୁଏ । ଏସବୁ କାରଖାନାକୁ ସରକାରଙ୍କ ପକ୍ଷରୁ ଏଲ୍‌ଏନ୍‌ଜି ଯୋଗାଣ କରାଯାଏ । ନିୟମ ଅନୁସାରେ ପ୍ରାୟ ୧ ସପ୍ତାହ ପର୍ଯ୍ୟନ୍ତ ଆବଶ୍ୟକୀୟ ଏଲ୍‌ଏନ୍‌ଜିକୁ କାରଖାନା ଗଚ୍ଛିତ ରଖିପାରିବେ । ତେବେ ଗତ ୨୮ ତାରିଖରେ ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ ପରେ ଦେଶକୁ ଧିରେ ଧିରେ ଏଲ୍‌ଏନଜି ଯୋଗାଣ ବନ୍ଦ ହେଲା । ଦେଶକୁ ଆସୁଥିବା ଏଲ୍‌ଏନ୍‌ଜିର ୪୭ ପ୍ରତିଶତ କତର ଦେଶରୁ ଓ ୧୩ ପ୍ରତିଶତ ୟୁଏଇରୁ ଆସେ । ୧୦ ପ୍ରତିଶତ ଆମେରିକାରୁ ଆସିଥାଏ । ତେବେ ଯୁଦ୍ଧ ପୂର୍ବରୁ କାରଖାନାରେ ଯାହା କିଛି ଷ୍ଟକ୍‌ ଥିଲା ସେସବୁ ସପ୍ତାହ ମଧ୍ୟରେ ଶେଷ ହୋଇଗଲା । ଏହା ପରେ କିଛି କାରଖାନାକୁ ଏଲ୍‌ଏନ୍‌ଜି ସଂପୂର୍ଣ୍ଣ ଯୋଗାଣ ବନ୍ଦ ହୋଇଯିବାରୁ ସେଠାରେ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଏଭଳି ସ୍ଥିତିରେ ଷ୍ଟକିଷ୍ଟ୍‌ ଓ ରିଟେଲ୍‌ ଷ୍ଟୋର୍‌କୁ ଟାଇଲ୍ସ ଯୋଗାଣ ମଧ୍ୟ କିଛି ମାତ୍ରାରେ କମିବାରୁ ତାର ଦର ବଢ଼ିବାରେ ଲାଗିଛି । 

ଉଭୟ ବ୍ରାଣ୍ଡେଡ୍‌ ବା ଅଧିକ ଦାମର ଟାଇଲ୍ସ ଓ କମ୍‌ ଦାମର ଟାଇଲ୍ସରେ ଦର ବଢ଼ିଛି । ପ୍ରତି ପ୍ୟାକେଟ୍‌ ପିଛା ୧୨ ପ୍ରତିଶତରୁ ୨୦ ପ୍ରତିଶତ ଦର ବଢ଼ିଛି । ଯଦି ସ୍ଥିତି ଏଭଳି ଲାଗି ରହେ, ତାହାଲେ ୧୫ଦିନରୁ ମାସେ ମଧ୍ୟରେ ଆହୁରି ଅଧିକ ବଢ଼ିବ ବୋଲି ଆଶଙ୍କା କରାଯାଉଛି । ବର୍ତ୍ତମାନ ଗ୍ରୀଷ୍ଣ ଋତୁରେ ଗୃହ ନିର୍ମାଣ କାମ ଜୋରଦାର ହେଉଛି । ବ୍ୟବସାୟୀଙ୍କ କହିବାନୁସାରେ ସାଧାରଣତଃ ଏହି ସମୟରେ ଟାଇଲ୍ସର ବିକ୍ରି ଅଧିକ ଥାଏ । ତେଣୁ କାଖାନାରେ ଉତ୍ପାଦନ କମ୍‌ ହେବା ଯୋଗୁଁ କିଛି କାରଖାନା ମାଲିକ ମଧ୍ୟ ଜାଣିଶୁଣି ବଜାରକୁ ଟାଇଲ୍ସ କମ୍‌ ମାତ୍ରାରେ ଛାଡ଼ୁଛନ୍ତି । ତେଣୁ ଦର ବୃଦ୍ଧି ଆଗକୁ ମଧ୍ୟ ଜାରି ରହିବ ବୋଲି ବ୍ୟବସାୟୀମାନେ ସୂଚନା ଦେଇଛନ୍ତି । 

ଏହି ଖବରଟିକୁ ପଢନ୍ତୁ- ତେଲ-ଗ୍ୟାସ ନୁହେଁ, ଇଣ୍ଟରନେଟରେ ବି ବ୍ରେକ୍ ଲଗାଇବ ଇରାନ ! ଭାରତ ବି ଅକଳରେ...