ନୂଆଦିଲ୍ଲୀ, ୩୦।୩: ଇରାନ ଏବଂ ଆମେରିକା ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧ ଏବେ ଏକ ନୂଆ ମୋଡ଼ ନେଇଛି । ସବୁଠାରୁ ଚକିତ କଲାଭଳି ଖବର ହେଉଛି, ଯଦି ଆମେରିକା ଇରାନ ମାଟିରେ 'ଗ୍ରାଉଣ୍ଡ ଅପରେସନ' ବା ସ୍ଥଳଭାଗରେ ସୈନ୍ୟ ଅଭିଯାନ ଆରମ୍ଭ କରେ, ତେବେ ଏଥିରେ ଇସ୍ରାଏଲ ସାମିଲ ହେବ ନାହିଁ । ଇସ୍ରାଏଲର ପ୍ରମୁଖ ଗଣମାଧ୍ୟମ 'ଚ୍ୟାନେଲ ୧୨'ର ଏହି ରିପୋର୍ଟ ଏବେ ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ରିପୋର୍ଟ ଅନୁଯାୟୀ, ନେତନ୍ୟାହୁ ସରକାର ସ୍ପଷ୍ଟ କରିଛନ୍ତି ଯେ ଇରାନ ବିରୋଧରେ କୌଣସି ବି ସ୍ଥଳଭାଗ ଲଢ଼େଇରେ ଇସ୍ରାଏଲ ସୈନ୍ୟ ସିଧାସଳଖ ଅଂଶଗ୍ରହଣ କରିବେ ନାହିଁ । ଏହାର କିଛି ପ୍ରମୁଖ କାରଣ ହୋଇପାରେ । ଯେପରିକି ଜମିରେ ଯୁଦ୍ଧ କଲେ ପୂରା ମଧ୍ୟ-ପ୍ରାଚ୍ୟରେ ନିଆଁ ଜଳିପାରେ, ଯାହା ଇସ୍ରାଏଲ ପାଇଁ ବିପଦ ହୋଇପାରେ । ଇସ୍ରାଏଲ ପୂର୍ବରୁ ଅନେକ ସାମ୍ମୁଖ୍ୟରେ ଯୁଦ୍ଧ କରୁଥିବାରୁ, ସେ ନିଜ ସୈନ୍ୟ ବଳକୁ ସୁରକ୍ଷିତ ରଖିବାକୁ ଚାହୁଁଛି । ଇରାନ ଭଳି ଏକ ବିଶାଳ ଦେଶରେ ସୈନ୍ୟ ଓହ୍ଲାଇବା ଆତ୍ମଘାତୀ ହୋଇପାରେ ବୋଲି ଇସ୍ରାଏଲ ଆଶଙ୍କା କରୁଛି ।

ଏହା ବି ପଢ଼ନ୍ତୁ... ତିନି ପଟୁ ଘେରିବେ ଶତ୍ରୁ: ଇସ୍ରାଏଲ ଓ ଆମେରିକା ସହ ଇରାନ ଭିତରକୁ ପଶିବେ 'ମୃତ୍ୟୁଞ୍ଜୟୀ' କୁର୍ଦ୍ଦ ଯୋଦ୍ଧା !

ପେଣ୍ଟାଗନର ପ୍ରସ୍ତୁତି: 'ଗ୍ରାଉଣ୍ଡ ବୁଟିଂ' ପାଇଁ ଯୋଜନା:

ଅନ୍ୟପଟେ ଆମେରିକା ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଇରାନକୁ ଚାପରେ ରଖିବା ପାଇଁ ପେଣ୍ଟାଗନ ପଶ୍ଚିମ ଏସିଆକୁ ଅଧିକ ଯୁଦ୍ଧପୋତ, ଫାଇଟର ଜେଟ୍ ଏବଂ ଏୟାରକ୍ରାଫ୍ଟ କ୍ୟାରିୟର ପଠାଇଛି । ଯଦିଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପର୍ଯ୍ୟନ୍ତ ସ୍ଥଳସେନା ପଠାଇବାକୁ ଚୂଡ଼ାନ୍ତ ମଞ୍ଜୁରୀ ଦେଇନାହାଁନ୍ତି, କିନ୍ତୁ ସାମରିକ ବିଭାଗ ସମସ୍ତ ବିକଳ୍ପ ଉପରେ କାମ କରୁଛି ।

IRGCର ଖୋଲା ଚ୍ୟାଲେଞ୍ଜ:

ଇରାନର ଶକ୍ତିଶାଳୀ ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ଆମେରିକାକୁ ଖୋଲା ଚ୍ୟାଲେଞ୍ଜ ଦେଇଛି । ସେମାନେ ଦାବି କରିଛନ୍ତି ଯେ ଇରାନ ମାଟିରେ ପାଦ ଦେବା ଆମେରିକୀୟ ସୈନ୍ୟଙ୍କ ପାଇଁ ଶେଷ ପାଦ ହେବ । ଏହି ଚ୍ୟାଲେଞ୍ଜ ମଧ୍ୟରେ ଆମେରିକା ପାଇଁ ବିନା ସହଯୋଗୀରେ ଯୁଦ୍ଧ ଜିତିବା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଯଦି ଆମେରିକା ଏକାକୀ ଇରାନ ବିରୋଧରେ ଗ୍ରାଉଣ୍ଡ ଅପରେସନ କରେ, ତେବେ ଏହା ୨୦୨୬ର ସବୁଠାରୁ ବିପଜ୍ଜନକ ସାମରିକ ପଦକ୍ଷେପ ହୋଇପାରେ । ଇସ୍ରାଏଲ କେବଳ ଗୋଇନ୍ଦା ତଥ୍ୟ କିମ୍ବା ବୈଷୟିକ ସହାୟତା ଦେଇପାରେ, କିନ୍ତୁ ରକ୍ତାକ୍ତ ସଂଗ୍ରାମରେ ସାମିଲ ନହେବା ଆମେରିକାକୁ ଦୁର୍ବଳ କରିପାରେ ।