ନୂଆଦିଲ୍ଲୀ, ୨୫/୦୪ : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଖାଉଟି ଉତ୍ପାଦ ପ୍ରସ୍ତୁତ କରୁଥିବା କମ୍ପାନି ଗୁଡ଼ିକ ଦର ଏବେ ତ୍ୱରିତ ଭିତ୍ତିରେ ସାମଗ୍ରୀ ଦର ବୃଦ୍ଧି କରିଛନ୍ତି । ଫଳରେ ଏୟାରକଣ୍ଡିସନର, ସାବୁନ, ତେଲଠାରୁ ଆରମ୍ଭ କରି ବିଭିନ୍ନ ଏଫ୍ଏମ୍ସିଜି ଉତ୍ପାଦ ଦର ଏବେ ଉପର ମୁହାଁ ହେବାକୁ ଲାଗିଛି । କଞ୍ଚାମାଲ ଦର ବୃଦ୍ଧି ଏବେ ଚିନ୍ତାଜନକ ହୋଇଛି । ଏହା ଉପରେ କମ୍ପାନି ନିରନ୍ତର ଭିତ୍ତିରେ ନଜର ରଖିବା ସହ ଉତ୍ପାଦ ମୂଲ୍ୟକୁ ତର୍ଜମା କରୁଛନ୍ତି । ଚାପ ରହିଥିବାରୁ ଦୀର୍ଘମିଆଦି ପରିବର୍ତ୍ତେ ସ୍ୱଳ୍ପ ମିଆଦୀ ନିଷ୍ପତ୍ତି ଉପରେ କମ୍ପାନିଙ୍କ ଫୋକସ ରହିଛି । ଏକ କମ୍ପାନିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଫାର୍ମ ଗୁଡ଼ିକ ଏବେ କଞ୍ଚାମାଲ ଦର ବୃଦ୍ଧିକୁ ନେଇ ଚିନ୍ତାରେ ରହିଛନ୍ତି । ଫଳରେ ବାଣିଜ୍ୟ ପରିଚାଳନା କରିବା କଷ୍ଟକର ହେଉଛି । ଅନ୍ୟ ପଟେ ବାଧ୍ୟହୋଇ ସାମଗ୍ରୀ ଦର ବଢ଼ାଇବା ଦ୍ୱାରା ଖାଉଟି ଚାହିଦା ଉପରେ ଏହା ପ୍ରଭାବ ପକାଉଛି ।
ଗତ ସେପ୍ଟେମ୍ବରରେ ସରକାର ବିଭିନ୍ନ ସାମଗ୍ରୀ ଉପରେ ଜିଏସ୍ଟି ହ୍ରାସ କରିଥିଲେ । ସାମଗ୍ରୀ ଦର ହ୍ରାସ ହେଉଥିବା ବେଳେ ଯୁଦ୍ଧ ଏ କ୍ଷେତ୍ରରେ ବାଧକ ସାଜିଛି । ହାଭେଲ୍ସ ଇଣ୍ଡିଆର ସିଇଓ ଅନିଲ ରାଏ ଗୁପ୍ତା କହିଛନ୍ତି, ଯୁଦ୍ଧ ଯୋଗୁ ସ୍ୱଳ୍ପ ମିଆଦୀ ଭିତ୍ତିରେ ଲଗାତାର ଅନେକ ନିଷ୍ପତ୍ତି ନେବାକୁ ପଡୁଛି । ଯାହା ଗତ କିଛି ବର୍ଷ ହେବ କେବେ ହୋଇ ନ ଥିଲା । ମୁଦ୍ରାସ୍ଫୀତି ଚାପ ରହିଥାଏ ମାତ୍ର ମୂଲ୍ୟ କ୍ଷେତ୍ରରେ କେବେ ଏଭଳି ନିଷ୍ପତ୍ତି ଆସିନ ଥିଲା । ଦର ବୃଦ୍ଧି ଜାରି ରହିଲେ ଏହା ଖାଉଟି ଚାହିଦାକୁ ବଡ ମାତ୍ରାରେ ପ୍ରଭାବିତ କରିବ । ବଜାଜ କଞ୍ଜ୍ୟୁମର କେୟାରର ଏମ୍ଡି ନବୀନ ପାଣ୍ଡେ କହିଛନ୍ତି, ଇନ୍ପୁଟ ଖର୍ଚ୍ଚ ଉପରେ ଦୈନିକ ଭିତ୍ତିରେ ନଜର ରଖାଯାଇଛି । ସେହି ଅନୁସାରେ ମୂଲ୍ୟବୃଦ୍ଧି ନିଷ୍ପତ୍ତି ଆସିଥାଏ । ବିଭିନ୍ନ ବର୍ଗରେ ଦର ବୃଦ୍ଧି ୨୦%ରୁ ୬୦% ରହିଛି । ଯୁଦ୍ଧ ଯୋଗୁ ପାରାଫିନ ଏବଂ ପ୍ୟାଜେଜିଂ ଉତ୍ପାଦ ଆକାଶ ଛୁଆଁ ହୋଇଛି । ଶୋରିଷ ଏବଂ ଅନ୍ୟ ବର୍ଗରେ ସାମଗ୍ରୀ ଦର ଯେଉଁଭଳି ଭାବେ କମିବା କଥା କମିନାହିଁ । ଏହା ଏବେ ମଧ୍ୟ ଯୁଦ୍ଧ ପୂର୍ବ ସ୍ଥିତିରେ ରହିଛି । ପରିଚାଳନା ଖର୍ଚ୍ଚ କମାଇବା ଉପରେ ଫୋକସ କରାଯାଇଛି । ଅଶୋଧିତ ତେଲ ସହ ଜଡିତ ଉତ୍ପାଦ ଏବଂ କମୋଡିଟି ଦର ବଢ଼ିଛି । ଡଲାର ତୁଳନାରେ ଟଙ୍କା ମୂଲ୍ୟ ହ୍ରାସ ଏବଂ ମାଲ୍ ପରିବହନ ଭଡା ବୃଦ୍ଧି ଯୋଗୁ ମଧ୍ୟ ବାଣିଜ୍ୟ ଉପରେ ଚାପ ପଡିଛି । ଯୁଦ୍ଧ ଯୋଗୁ ଆମଦାନି ଏକ ପ୍ରକାର ଅନିଶ୍ଚିତ ସ୍ଥିତି ଦେଇ ଗତି କରୁଛି । ଗତ ମାସରେ କମ୍ପାନି ଗୁଡ଼ିକ ଏସି, ଫ୍ରିଜ, ସାବୁନ, ଡିଟରଜେଣ୍ଟ, ତେଲ, ପୋଷାକ, ଡେକୋରେଟିଭ ପେଣ୍ଟସ ଏବଂ ଜୋତା ଦର ବୃଦ୍ଧି କରିଥିଲେ । କିଛି କମ୍ପାନି ଦରବୃଦ୍ଧିକୁ ନଜରରେ ରଖି ପ୍ୟାକ୍ ଗୁଡ଼ିକର ଆକାର କମାଇଥିଲେ । ଚଳିତ ମାସ ଶେଷ ସୁଦ୍ଧା ପୁଣି ଥରେ ଦର ବଢ଼ିବା ନେଇ ଆକଳନ କରାଯାଇଛି ।
ପାର୍ଲେ ଉତ୍ପାଦର ଉପସଭାପତି ମୟାଙ୍କ ଶାହ କହିଛନ୍ତି, ଉତ୍ପାଦ ଖର୍ଚ୍ଚ ବୃଦ୍ଧି ଏବଂ ବିଶ୍ୱ ବଜାରରେ ଅନିଶ୍ଚିତତା ଚିନ୍ତାଜନକ ହୋଇଛି । ରିଟେଲରମାନେ ମଧ୍ୟ ସତର୍କ ହୋଇ ଖର୍ଚ୍ଚ କରୁଛନ୍ତି । ଜୁଡିଓ ଏବଂ ୱେଷ୍ଟ ସାଇଡ ପରିଚାଳନା କରୁଥିବା ଟ୍ରେଣ୍ଟ ଲିମିଟେଡ ମୁତାବକ, ଜାନୁଆରି ମାର୍ଚ୍ଚ ତ୍ରୈମାସ ଚାହିଦା ପ୍ରଭାବିତ ରହିଛି । ଯୁଦ୍ଧ ଖାଉଟି ଚାହିଦାକୁ ଚାପଗ୍ରସ୍ତ କରିଛି । ଯୋଗାଣଚେନ, କମୋଡିଟି ଦର ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଦିଗ ଗୁଡ଼ିକ ମଧ୍ୟ ଏ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରୁଛି । ଏଡବ୍ଳ୍ୟୁଏଲ୍ର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଅଂଶୁ ମଲ୍ଲିକ କହିଛନ୍ତି, ପରିବହନ ଖର୍ଚ୍ଚ ବୃଦ୍ଧି ଯୋଗୁ ଖାଇବା ତେଲ ଦର କିଲୋ ପିଛା ୧୦ ଟଙ୍କା ଯାଏ ବୃଦ୍ଧି ହେଲାଣି । ଏଭଳି ସ୍ଥିତିରେ ବେଶି ଦିନ ଦର ବୃଦ୍ଧି ଚାପ ସହ୍ୟ କରିବା ମୁସ୍କିଲ । ଅନ୍ୟ ପଟେ ଇରାନ- ଆମେରିକା ଯୁଦ୍ଧ ଏବେ ୨ ମାସରେ ପହଞ୍ଚିଛି । ଯୁଦ୍ଧ ନ ଥିମିଲେ ମୁଦ୍ରାସ୍ଫୀତି ଏବଂ ଇନ୍ଧନ ସଙ୍କଟ ଭଳି ସମସ୍ୟା ସାରା ବିଶ୍ୱରେ ଜାରି ରହିବ ।
ଏହି ଖବରଟିକୁ ପଢନ୍ତୁ- Paytm ପେମେଣ୍ଟ ବ୍ୟାଙ୍କର ଲାଇସେନ୍ସ ବାତିଲ , RBIର ବଡ଼ ଆକ୍ସନ