ତେହରାନ, ୦୭/୦୩ : ଇରାନରେ ଧ୍ୱଂସଲୀଳା ରଚୁଛନ୍ତି ଆମେରିକା-ଇସ୍ରାଏଲ । ୭ ଦିନ ଧରି ଭୟଙ୍କର ଆକ୍ରମଣରେ ଇରାନର ଅନେକ ଅଞ୍ଚଳ ଭଗ୍ନସ୍ତୂପ ପାଲଟିଛି । ଯୁଦ୍ଧରେ ଇରାନରେ ଅତିକମ୍ରେ ୧,୩୩୨ ଜଣଙ୍କ ମୃତ୍ୟୁ ଘଟିଲାଣି । ଇରାନ ରେଡ୍ କ୍ରିସେଣ୍ଟ ସୋସାଇଟି ଅନୁସାରେ, ଆମେରିକା ଏବଂ ଇସ୍ରାଏଲ ଆକ୍ରମଣରେ ଇରାନରେ ୩ ହଜାରରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି । ପ୍ରାୟ ୫୦୦ ଦୋକାନ କ୍ଷତିଗ୍ରସ୍ତ ହୋଇଛି । ୧୪ରୁ ଅଧିକ ହସ୍ପିଟାଲ ଏବଂ ମେଡିସିନ୍ ସେଣ୍ଟର ଉପରେ ଆକ୍ରମଣ ହୋଇଛି । ଅନେକ ସ୍କୁଲ ଭାଙ୍ଗିରୁଜି ଯାଇଛି । ଯୁଦ୍ଧ ଯୋଗୁ ଇରାନର ଅଧିକାଂଶ ଅଞ୍ଚଳରେ ବିଜୁଳି ଏବଂ ଜଳ ଯୋଗାଣ ଠପ୍ ହୋଇଯାଇଛି ।
ଆହୁରି ପଢନ୍ତୁ- ଇରାନର ଭୂତଳ ମିସାଇଲ ନଗରୀ : ପାହାଡ ଓ ପଡିଆରୁ ବାହାରୁଛି ଲଞ୍ଚର, ଖୋଜିବାକୁ ଡ୍ରୋନ୍ ମୁତୟନ କଲା ଆମେରିକା
ଇରାନର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ଆମେରିକା ଆକ୍ରମଣ କରୁଛି । ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇସ୍ରାଏଲ ଇରାନରେ ୫ ହଜାରରୁ ଅଧିକ ବୋମା ପକାଇଛି । ଇରାନରେ ବସବାସ କରୁଥିବା ପ୍ରାୟ ୧ କୋଟି ଲୋକ ଭୟ, ଆଶଙ୍କାରେ ଦିନ କାଟୁଛନ୍ତି । କେଉଁଠି କେତେବେଳେ ଯେ ବିସ୍ଫୋରଣ ହେବ ତାହାକୁ ନେଇ ସେମାନେ ଭୟଭୀତ ଅଛନ୍ତି । ଆମେରିକା ଏବଂ ଇସ୍ରାଏଲ ସାଧାରଣ ଜନତାଙ୍କୁ ଟାର୍ଗେଟ କରି ଆକ୍ରମଣ କରୁଥିବା ଇରାନ ଅଭିଯୋଗ କରିଛି । ଅନ୍ୟପକ୍ଷରେ ଇରାନରେ ଏକ ସ୍କୁଲରେ ଆକ୍ରମଣ ଯୋଗୁ ପ୍ରାଣ ହରାଇଥିବା ୧୫୦ରୁ ଊର୍ଦ୍ଧ୍ୱ ପିଲାଙ୍କ ମୃତ୍ୟୁ ଘଟଣାର ତୁରନ୍ତ ତଦନ୍ତ ହେଉ ବୋଲି ଜାତିସଂଘର ମାନବାଧିକାର ପ୍ରମୁଖ ଭୋଲକର ତୁର୍କ ଦାବି କରିଛନ୍ତି । ଏହି ତଦନ୍ତ ସମ୍ପୂର୍ଣ୍ଣ ନିରପେକ୍ଷ ହେବା ଜରୁରି ବୋଲି ସେ କହିଛନ୍ତି ।
ଏହି ଖବରଟିକୁ ପଢନ୍ତୁ- ଆମେରିକା ଉପରେ ଭାରି ପଡୁଛି ଇରାନର ଶସ୍ତା ଡ୍ରୋନ୍, ୪୫ ଲକ୍ଷର ଡ୍ରୋନ୍ ଖସାଇବାକୁ ୨୭ କୋଟିର ମିସାଇଲ ମାଡ଼