ୱାଶିଂଟନ- ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨ୟ ଥର ପଦ ଭାର ନେବା ପରେ ପୂରା ଆକ୍ସନ ମୁଡ୍ରେ। ସେ ‘ଆମେରିକା ଫାର୍ଷ୍ଟ’ ର ନୀତିକୁ ଆପଣାଇ ଅବୈଧ ପ୍ରବାସୀଙ୍କୁ ଦେଶରୁ ତଡ଼ିବା ପାଇଁ ଦୃଢ ପଦକ୍ଷେପ ନେଇଛନ୍ତି। ଟ୍ରମ୍ପ ପ୍ରଶାସନ କେବଳ ହଜାର ହଜାର ପ୍ରବାସୀଙ୍କୁ ସେନା ବିମାନରେ ଡିପୋର୍ଟ କରିନାହାନ୍ତି , ବରଂ ଦେଶରେ ତାଙ୍କ ଉପରେ କଡ଼ା ନଜର ରଖାଯାଇଛି। ଏହି ମଧ୍ୟରେ ଏମିତି ଖବର ଆସିଛି ଯେ, ଟ୍ରମ୍ପ ଖୁବ୍ ଶୀଘ୍ର ପ୍ରବାସୀଙ୍କୁ ନେଇ ଆଉ ଏକ ବଡ଼ ଘୋଷଣା କରି ପାରନ୍ତି। ରୟଟର୍ସର ଏକ ରିପୋର୍ଟ ମୁତାବିକ , ଆମେରିକା ସରକାର ଡିପୋର୍ଟର ନିର୍ଦ୍ଦେଶ ସତ୍ତ୍ୱେ ଆମେରିକା ଛାଡି ନଥିବା ଲୋକଙ୍କ ଉପରେ ଜୋରିମନା ଲଗାଇବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ରୟଟର୍ସ ଦ୍ୱାରା ସମୀକ୍ଷା କରାଯାଇ ଥିବା କାଗଜପତ୍ର ମୁତାବିକ ଟ୍ରମ୍ପ ପ୍ରଶାସନ ନିର୍ବାସନ ନିର୍ଦ୍ଦେଶ ଅନୁସାରେ , ପ୍ରବାସୀଙ୍କ ଉପରେ ପ୍ରତିଦିନ ୯୯୮ ଡଲାର ପର୍ଯ୍ୟନ୍ତ ଜୋରିମନା ଲଗାଇବାକୁ ଯୋଜନା କରୁଛନ୍ତି। ଏହି ମୁତାବିକ ଯଦି ପ୍ରବାସୀ , ନିର୍ଦ୍ଦିଷ୍ଟ ସମୟ ସୀମା ଯାଏ ଆମେରିକା ଛାଡ଼ିବାରେ ବିଫଳ ରହନ୍ତି ତ ଦେୟ ନଦେଲେ ତାଙ୍କର ସଂପତ୍ତି ମଧ୍ୟ ଜବତ କରି ନିଆଯିବ। ରିପୋର୍ଟରେ କୁହାଯାଉଛି ଯେ , ଏହି ନିଷ୍ପତ୍ତିକୁ ବାସ୍ତବ ରୂପ ଦେବା ପାଇଁ ଟ୍ରମ୍ପ ୧୯୯୬ର ଏକ ଆଇନର ସାହାଯ୍ୟ ନେଇ ପାରନ୍ତି।
୧ ମିଲିୟନ ଡଲାର ଯାଏ ଜୋରିମନା –
ଡୋନାଲ୍ଡ ଟ୍ରମ୍ପଙ୍କ ଜଣେ ବରିଷ୍ଠ ଅଧିକାରୀ ଏହି ଯୋଜନା ଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି କି , ଟ୍ରମ୍ପ ପ୍ରଶାସନ ଏହି ଜୋରିମନା ୫ ବର୍ଷ ପର୍ଯ୍ୟନ୍ତ ପିଛିଲା ଭାବରେ ଲାଗୁ କରି ପାରନ୍ତି । ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ , ତେବେ ପ୍ରବାସୀମାନଅକୁ ୧ନିୟୁତ ଡଲାରରୁ ଅଧିକ ଜୋରିମନା ହୋଇପାରେ।
ଏଥି ସହ ଜଡ଼ିତ ପ୍ରଶ୍ନର ଜବାବରେ ୟୁଏସ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ବିଭାଗର ପ୍ରବକ୍ତା ଟ୍ରିସିଆ ମ୍ୟାକଲାଘଲିନ ଏକ ବୟାନରେ ଅବୈଧ ରୂପେ ରହୁଥିବା ପ୍ରବାସୀଙ୍କୁ ସେଲଫ୍ ଡିପୋର୍ଟ (ଆତ୍ମ ନିର୍ବାସନ) ଓ ଦେଶ ଛାଡ଼ିବା ପାଇଁ ଏକ ମୋବାଇଲ ଆପ୍ର ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ମ୍ୟାକଲାଘଲିନ ଆହୁରି କହିଛନ୍ତି , ଯଦି ସେ ଏମିତି ନକରନ୍ତି ତ ତାଙ୍କୁ ଏହାର ପରିଣାମ ଭୋଗିବାକୁ ପଡ଼ିବ । ତାଙ୍କୁ ପ୍ରତିଦିନ ୯୯୮ ଡଲାରର ଜୋରିମନା ଭରିବାକୁ ହେବ। ବିଭାଗ ୩୧ ମାର୍ଚ୍ଚରେ ଏକ ସୋସିଆଲ ମିଡ଼ିଆ ପୋଷ୍ଟରେ ଜୋରିମନାର ଚେତାବନୀ ମଧ୍ୟ ଦେଇଛି।