ଭୁବନେଶ୍ୱର ୦୮/୦୩: ସମୟ ଥିଲା, ଯେତେବେଳେ ଭାରି ସୁନା ଗହଣାକୁ ଫ୍ୟାସନ ଓ ଆଡମ୍ବରର ପ୍ରତୀକ ଭାବେ ଦେଖାଯାଉଥିଲା । କିନ୍ତୁ ଆଜିର ଦିନରେ ଫ୍ୟାସନର ଭାଷା ବଦଳିଯାଇଛି । ମହିଳାମାନେ ହାଲୁକା, ସରଳ ଓ ସୂକ୍ଷ୍ମ କାମ ହୋଇଥିବା ଗହଣାକୁ ଅଧିକ ପସନ୍ଦ କରୁଛନ୍ତି । ଯାହାକୁ କୁହାଯାଉଛି ମିନିମାଲିଷ୍ଟ ଅଳଙ୍କାର ।

କଲେଜ ଛାତ୍ରୀଠୁ ଆରମ୍ଭକରି କାର୍ଯ୍ୟରତ ମହିଳା ପର୍ଯ୍ୟନ୍ତ, ସମସ୍ତେ ଏବେ ଏହି ଅଳଙ୍କାରକୁ ଦୈନନ୍ଦିନ ଫ୍ୟାସନରେ ସାମିଲ କରୁଛନ୍ତି । ଯେଉଁଥିରେ ହାରଠୁ ଆରମ୍ଭକରି କାନଫୁଲ, ମୁଦି, ଚୁଡ଼ି, ପାଉଁଜି ସବୁପ୍ରକାର ସାମଗ୍ରୀ ଉପଲବ୍ଧ ରହୁଛି । ପୂର୍ବରୁ ଗହଣା କେବଳ ବିବାହ କିମ୍ବା ପର୍ବପର୍ବାଣୀରେ ସୀମିତ ଥିଲା, କିନ୍ତୁ ମିନିମାଲିଷ୍ଟ ଅଳଙ୍କାର ଦୈନନ୍ଦିନ ଜୀବନ ସହ ଖୁବ୍ ସହଜରେ ମେଳ ଖାଉଛି । ଏଥିସହିତ ଏହା ଓଜନରେ ହାଲୁକା ହୋଇଥିବାରୁ ମହିଳାମାନେ ଏହାକୁ ପିନ୍ଧିବା ପାଇଁ କୁଣ୍ଠାବୋଧ କରୁନାହାଁନ୍ତି ।

ସାମାଜିକ ଗଣମାଧ୍ୟମର ପ୍ରଭାବ :

ସାମାଜିକ ଗଣମାଧ୍ୟମରେ ମିନିମାଲିଷ୍ଟ ଅଳଙ୍କାରର ହେଉଛି ଜୋରଦାର ମାର୍କେଟିଂ । ନାମୀଦାମୀ ଅଭିନେତ୍ରୀମାନଙ୍କଠୁ ଆରମ୍ଭକରି ସୋସିଆଲମିଡିଆ ଇନ୍‌ଫ୍ଲୁଏନ୍‌ସର ପର୍ଯ୍ୟନ୍ତ ସମସ୍ତେ ଏହାକୁ ପରିଧାନ କରୁଛନ୍ତି । ଯାହାର ପ୍ରଭାବ ପଡ଼ୁଛି ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବା ସାଧାରଣ ଲୋକଙ୍କ ଉପରେ । ଏହି ଗହଣାକୁ ସେମାନେ ଶାଢୀ, କୁର୍ତ୍ତି ଏବଂ ୱେଷ୍ଟର୍ଣ୍ଣ ଆଉଟ୍‌ଫିଟ୍‌ ସହିତ ବି ମ୍ୟାଚ୍‌କରି ପିନ୍ଧିପାରୁଛନ୍ତି ।

ଶସ୍ତା ଓ ସହଜରେ ଉପଲବ୍ଧ :

ଏହି ଅଳଙ୍କାର ଭାରି ସୁନା ରୁପାଠାରୁ ମୂଲ୍ୟ କମ୍ ହେବା ସହିତ ସହଜରେ ବଜାରରେ ଉପଲବ୍ଧ ହେଉଛି । ଏହା ଦେଖିବାକୁ ମଧ୍ୟ ଅସଲି ସୁନା ଓ ରୁପା ଭଳି ହୋଇଥାଏ । ଏଥିସହିତ ଅକ୍ସିଡାଇଜ୍‌ଡରେ ମଧ୍ୟ ମିନିମାଲିଷ୍ଟ ଅଳଙ୍କାର ବଜାରରେ ଉପଲବ୍ଧ ରହୁଛି । ଖାଲି ସେତିକି ନୁହେଁ ଅନ୍‌ଲାଇନ୍ ବଜାରରେ ରହୁଛି ଏହାର ନାହିଁ ନଥିବା ସମ୍ଭାର । ଏଥିସହିତ ଲୋକମାନଙ୍କ ପସନ୍ଦକୁ ଦେଖି ଅନେକ ଲୋକ ଏହିପ୍ରକାର ଅଳଙ୍କାରର ନୂଆ ନୂଆ ଡିଜାଇନ୍ ଉପଲବ୍ଧକରି ସ୍ୱତନ୍ତ୍ର ବ୍ୟବସାୟ ମଧ୍ୟ ଆରମ୍ଭ କରିସାରିଲେଣି । ଜିନିଷକୁ ନେଇ ଏହାର ଭିନ୍ନ ଭିନ୍ନ ମୂଲ୍ୟ ରହିଥାଏ ।

ମିନିମାଲିଷ୍ଟ ଅଳଙ୍କାର ବିକ୍ରି କରୁଥିବା ଶ୍ୱେତା କୁହନ୍ତି, ସବୁକ୍ଷେତ୍ରରେ ମହିଳାମାନେ ବର୍ତ୍ତମାନ ହାଲୁକା ଓ ଆସ୍ଥେଟିକ୍‌ ଲୁକ୍ ଦେଉଥିବା ଜିନିଷକୁ ପସନ୍ଦ କରୁଛନ୍ତି । ମେକ୍‌ଅପ୍‌ଠୁ ଅଳଙ୍କାର ପର୍ଯ୍ୟନ୍ତ । ସେଥିପାଇଁ ବର୍ତ୍ତମାନ ମିନିମାଲିଷ୍ଟ ଅଳଙ୍କାରର ଅଧିକ ଚାହିଦା ରହିଛି । ଯାହାକୁ ମହିଳାମାନେ ସବୁସମୟରେ ପିନ୍ଧିପାରୁଛନ୍ତି । ଏହି ଅଳଙ୍କାର ବ୍ୟବହାର କରୁଥିବା ଋତୁରାଣୀ ପାଣିଗ୍ରାହୀ କୁହନ୍ତି, ଦିନସାରା ଅଫିସରେ ଭାରି ଗହଣା ପିନ୍ଧିବା କଷ୍ଟକର । ହାଲୁକା କାନଫୁଲ ଓ ଏକ ଛୋଟ ଲକେଟ୍ ଥିବା ଚେନ୍ ମୋତେ ଆତ୍ମବିଶ୍ୱାସ ଦେଇଥାଏ । ଏହାକୁ ଘରେ ବ୍ୟବହାର କରିବା ସହିତ କାର୍ଯ୍ୟକ୍ଷେତ୍ରକୁ ମଧ୍ୟ ପିନ୍ଧି ଯାଇପାରେ । ଏହା ସବୁ ଅଉଟ୍‌ଫିଟ୍ ସହିତ ମ୍ୟାଚ୍ ମଧ୍ୟ ହୋଇଯାଏ ।