ହରଭଙ୍ଗା , ୨୦।୧ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ୭ ନମ୍ବର ଟନେଲରେ ଫାଟ ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ତିଳକୂପ ନିକଟରେ ନିର୍ମାଣ ଚାଲିଥିବା ଏହି ଟନେଲର ସରଫେସରେ ଏଭଳି କ୍ରାକ୍ ଦେଖିବାକୁ ମିଳିଛି। ନୂତନ ଭାବେ ନିର୍ମିତ ହେଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ସଂରଚନାରେ କ୍ରାକ ସୃଷ୍ଟି ହେବା ଠିକା ସଂସ୍ଥାର କାର୍ଯ୍ୟଦକ୍ଷତା ଏବଂ ନିର୍ମାଣର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଇଷ୍ଟ କୋଷ୍ଟ ରେଳ ବିଭାଗ ଜେନେରାଲ ମ୍ୟାନେଜର ପରମେଶ୍ୱର ଫଙ୍କୁୱାଲ ଏହି ଅଞ୍ଚଳ ଗସ୍ତ କରି ଟନେଲ ଓ ଉଚ୍ଚ ସମ୍ପନ୍ନ ପୋଲର କାର୍ଯ୍ୟ ସମୀକ୍ଷା କରିଥିଲେ। ଏହି ସମୟରେ ତାଙ୍କର ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଟନେଲକୁ ପଛକୁ ବୁଲି ଦେଖିଥିଲେ। ଏହା ସରଫେସରେ ଏକ ଛୋଟ କ୍ରାକ ବୋଲି ସେ କହିଥିଲେ। ଏହାର ତୁରନ୍ତ ଯାଞ୍ଚ ପାଇଁ ଉପସ୍ଥିତ ରେଳ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଅନ୍ୟପଟେ ଟନେଲ ନିକଟବର୍ତ୍ତୀ ସ୍ଥାନରେ ରେଳପଥ ନିର୍ମାଣ ପାଇଁ ବଡ଼ ବଡ଼ ପଥର ଫଟାଯାଉଛି। ଏହି ପଥର ଫଟାଇବା ପାଇଁ ବ୍ୟବହୃତ ହେଉଥିବା ବ୍ଲାଷ୍ଟିଙ୍ଗ ଯୋଗୁଁ ଟନେଲରେ ଫାଟ ସୃଷ୍ଟି ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। କାମ ଚାଲିଥିବା ସମୟରେ ଏଭଳି ତ୍ରୁଟି ପରିଲକ୍ଷିତ ହେବା ସ୍ଥାନୀୟ ଲୋକଙ୍କୁ ବିଚଳିତ କରିଥିବା ବେଳେ, ଯାଞ୍ଚ ପରେ ହିଁ କ୍ରାକ୍ ପ୍ରକୃତ କାରଣ ଓ ଟନେଲର ସୁରକ୍ଷା ସ୍ଥିତି ସ୍ପଷ୍ଟ ହେବ। ଏହି ସାମାନ୍ୟ କ୍ରାକ୍ ବିପଦଜନକ ନୁହେଁ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।