ଭୁବନେଶ୍ୱର,୨୬/୧୦: ଶନିବାର ରାତିରେ ଲକ୍ଷ୍ମୀସାଗର ଥାନା ଅଧୀନ ମହାଦେବନଗର ଲେନ୍ ନଂ-୫ ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଘରୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି । ଏନେଇ ନାବାଳିକାଙ୍କ ବାପାମା’ ଥାନାରେ ଅଭିଯୋଗ କରିଛନ୍ତି । ଲକ୍ଷ୍ମୀସାଗର ଥାନା ପୁଲିସର ଏକାଧିକ ଟିମ୍ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି ।
ଅଭିଯୋଗରୁ ଜଣାପଡିଛି, ରାତି ପ୍ରାୟ ସାଢ଼େ ୧୦ଟା ବେଳେ ୪ ଜଣ ଯୁବକ ଦୁଇଟି ବାଇକ୍ରେ ଆସି ମହାଦେବନଗର ଲେନ୍ ନଂ-୫ ଅଞ୍ଚଳରେ ରହୁଥିବା ନାବାଳିକାଙ୍କୁ ଘରେ ପଶି ଅପହରଣ କରି ନେଇ ପଳାଇଥିଲେ । ନାବାଳିକାଙ୍କ ଚିତ୍କାର ଶୁଣି ବାପାମା’ ଘରୁ ବାହାରି ଉକ୍ତ ଯୁବକଙ୍କୁ କିଛି ବାଟ ପଛରେ ଗୋଡ଼ାଇ ଥିଲେ । ହେଲେ ଯୁବକମାନେ ଦ୍ରୁତ ଗତିରେ ବାଇକ୍ରେ ଖସି ପଳାଇଥିଲେ । ରାତିରେ ନାବାଳିକାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ ଦେଇଛନ୍ତି । ବିଳମ୍ବିତ ରାତି ପର୍ଯ୍ୟନ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ନ ଥିବା ଜଣାପଡ଼ିଛି ।