କେନ୍ଦ୍ରାପଡ଼ା,୨୧/୨: ୧୨ ବର୍ଷ ବୟସର ଜଣେ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଘରୋଇ ସ୍କୁଲରେ ପଢ଼ୁଥିବା ଏହି ଛାତ୍ରୀଙ୍କୁ ତାଙ୍କ ବିଦ୍ୟାଳୟର ୪ଜଣ ଶିକ୍ଷକ ବିଗତ ବେଶ କିଛି ଦିନ ଧରି ପାଳି କରି ଦୁଷ୍କର୍ମ କରିଥିବା ଓ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଉଠିଛି । ଖେଳ ଛୁଟି ସମୟରେ ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ବଳପୂର୍ବକ ଶାରୀରିକ ସମ୍ପର୍କ ରଖିଥିବା କୁହାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ସଙ୍ଗିନ ଅଭିଯୋଗ ଆସିଛି । ଛାତ୍ରୀଙ୍କ ପରିବାର ସଦସ୍ୟ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ନିକଟରେ ଏନେଇ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପରେ ଶିଶୁ ମଙ୍ଗଳ କମିଟି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ସମ୍ପୃକ୍ତ ବିଦ୍ୟାଳୟକୁ ଯାଇ ତଦନ୍ତ କରିଛନ୍ତି । ଅଭିଯୋଗ ଲୋକଲୋଚନକୁ ଆସିବା ପରେ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି ।
ଅଭିଯୋଗପତ୍ରରେ ଦର୍ଶାଯାଇଛି ଯେ, ରାଜକନିକା ଦେଉଳତରା ପଞ୍ଚାୟତ ଅଞ୍ଚଳର ପୀଡ଼ିତା ଛାତ୍ରୀ ଜଣକ ସ୍ଥାନୀୟ ଏକ ଘରୋଇ ସ୍କୁଲରେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ବିଦ୍ୟାଳୟରେ ଖେଳଛୁଟି ସମୟରେ ଛାତ୍ରୀ ଜଣକ ଅନ୍ୟ ଛାତ୍ରଛାତ୍ରୀମାନଙ୍କ ସହ ଖେଳୁଥିଲେ । ଏହି ସମୟରେ ସମ୍ପୃକ୍ତ ଶିକ୍ଷକମାନେ ପାଳି କରି ତାଙ୍କୁ ଡାକି ନେଇ ଯୌନ ନିର୍ଯାତନା ଦେବା ସହ ଦୁଷ୍କର୍ମ କରିଥିଲେ । ଏହି କାର୍ଯ୍ୟରେ ଜଣେ ଶିକ୍ଷୟିତ୍ରୀଙ୍କ ସହଯୋଗ ରହିଥିଲା । ବେଶ କିଛି ଦିନ ଧରି ଶିକ୍ଷକମାନେ ଏଭଳି ଅତ୍ୟାଚାର ଚଳାଇଥିବା ବେଳେ ନିକଟରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବାର ଦିନକ ପୂର୍ବରୁ ଛାତ୍ରୀ ଜଣକ ନିଜ ମା’ଙ୍କ ଆଗରେ ଏହା କହିଥିଲେ । ଛାତ୍ରୀଙ୍କ ବାପା ବାହାରେ ରହୁଥିବା ବେଳେ ୪ ଦିନ ତଳେ ଘରକୁ ଫେରିଥିଲେ । ସେ ଏ ବାବଦରେ ଜାଣିବା ପରେ ସିଡବ୍ଲୁସିଙ୍କ ଦ୍ୱାରସ୍ଥ ହୋଇଥିଲେ ଓ ସବିଶେଷ ବିବରଣୀ ଅବଗତ କରାଇଥିଲେ ।
ସିଡବ୍ଲୁସି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର କହିଛନ୍ତି କି, ଆମେ ପୀଡ଼ିତା ଛାତ୍ରୀଙ୍କ ପରିବାରଠାରୁ ଅଭିଯୋଗ ପାଇଛୁ । ଅଭିଯୋଗ ସତ୍ୟ ହୋଇଥିଲେ ଏହା ଏକ ଜଘନ୍ୟ ଅପରାଧ । ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ବିଦ୍ୟାଳୟର ୪ ଜଣ ଶିକ୍ଷକ ପାଳି କରି ଦୁଷ୍କର୍ମ କରିବା ସ୍ପର୍ଶକାତର ଘଟଣା । ମୋ ନେତୃତ୍ୱରେ ଏକ ୪ଜଣିଆ ଟିମ୍ ପୀଡ଼ିତାଙ୍କ ଘରକୁ ତଦନ୍ତ ପାଇଁ ଯାଇଥିଲୁ । ପୀଡ଼ିତାଙ୍କ ବୟାନ ରେକର୍ଡ ବି କରାଯାଇଛି । ପରିବାର ଥାନାରେ ଅଭିଯୋଗ କରିବା ଉଚିତ୍ । କାରଣ ଥାନାରେ ଅଭିଯୋଗ କଲେ ଅଭିଯୁକ୍ତମାନେ ଦଣ୍ଡ ପାଇ ପାରିବେ ।
ପୁଲିସ ତଦନ୍ତ କରି କୋର୍ଟଙ୍କୁ ଅବଗତ କଲେ କୋର୍ଟ ଏହାର ବିଚାର କରିବେ ଓ ଅଭିଯୋଗ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡ ମିଳିବ । ତଥାପି ତଦନ୍ତ ପରେ ଏ ସଂକ୍ରାନ୍ତ ରିପୋର୍ଟ ସେ ଥାନାଧିକାରୀଙ୍କୁ ପ୍ରଦାନ କରିବେ ବୋଲି କହିଛନ୍ତି । ବିଦ୍ୟାଳୟ ପରିସରରେ ଏତେ ବଡ଼ ଘଟଣା ଘଟିଯାଇଥିଲେ ହେଁ ସ୍କୁଲ କର୍ତ୍ତୃପକ୍ଷ ପୁଲିସ ଅବା ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନଜଣାଇବା ମଧ୍ୟ ଠିକ୍ ନୁହେଁ । କୌଣସିମତେ ଏହି ଘଟଣାକୁ ଚପାଇବା ପାଇଁ ଉଦ୍ୟମ ହୋଇଛି । ଆମେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ତଲବ କରିଛୁ ବୋଲି ସିଡବ୍ଲୁସି ଅଧ୍ୟକ୍ଷା କହିଛନ୍ତି ।
ଆହୁରି ପଢ଼ନ୍ତୁ:- ବାଲ୍ୟ ବିବାହ ହାରରେ ଦେଶକୁ ପଛରେ ପକାଇଛନ୍ତି ଓଡ଼ିଶାର ୧୨ ଜିଲ୍ଲା, ୫ଟି କାରଣ କହିଲେ ଉପମୁଖ୍ୟମନ୍ତ୍ରୀ