ଛତ୍ରପୁର,୧୬/୦୯: କିଏ ଲଗାଇଲା କମ୍ୟୁଟର ସେଣ୍ଟରରେ ନିଆଁ । ଦୁର୍ବୃତ୍ତ ଲଗାଇଛନ୍ତି ନା କୌଣସି ଅତୃପ୍ତ ଆତ୍ମାର ଏ କାମ । କାରଣ କମ୍ପ୍ୟୁଟର ସେଣ୍ଟର ଡୋରରେ  ଇଂରାଜୀରେ ଯାହା ଲେଖାହୋଇଛି, ତାକୁ ଆପଣ  ବିଶ୍ବାସ କରିପରିବେ ନାହିଁ । ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କମ୍ପ୍ୟୁଟର ସେଣ୍ଟର କବାଟରେ ଅଭିଯୁକ୍ତ ନିଜକୁ 'ଘୋଷ୍ଟ' ବୋଲି ଲେଖିଛି । ଡୋରରେ ଲେଖା ହୋଇଛି​​​​​​​ 'ମୁଁ କେବଳ ତୁମ ପାଇଁ ଆସିଛି ଭାଙ୍କର । ମୁଁ ଶପଥ ନେଉଛି, ତୁମକୁ ଏତେ ସହଜ ମୃତ୍ୟୁ ଦେବି ନାହିଁ । ତିଳ ତିଳ ଜାଳି ସାରିବା ପରେ କରି ମୁଁ ତୁମକୁ ହତ୍ୟା କରିବି '। ତେବେ ଏହାକୁ ଲାଲ୍ ରଙ୍ଗରେ ଲେଖାଇଛି ବୋଲି ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ପୁରୁଣା ପୋଷ୍ଟ ଅଫିସ୍ ସାହି ସ୍ଥିତ ଏଜୁକେର୍ କମ୍ପ୍ୟୁଟର ସେଣ୍ଟରରେ ଏଭଳି ଘଟଣା ଘଟିଛି । ଦୁର୍ବୃତ୍ତମାନେ ଚୋରି କରିବା ପରେ ନିଆଁ ଲଗାଇଛନ୍ତି । ଏହା ସହିତ ଜୀବନରୁ ମାରିଦେବାକୁ ବି ଧମକ ଦେଇଛନ୍ତି ।

ସୂଚନା ମୁତାବକ,  ପୁରୁଣା ପୁଲିସ ଲାଇନ ସ୍ଥିତ ଏକ ଘରୋଇ କମ୍ପ୍ୟୁଟର ଅନୁଷ୍ଠାନରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ପଶି କମ୍ପ୍ୟୁଟର, ଏସି ସମେତ ବହୁ ଆସବାବପତ୍ରରେ ନିଆଁ ଲଗାଇ ଦେଇଥିଲେ । ହାର୍ଡ ଡିସ୍କ ଭଳି କିଛି ଜିନିଷ ଚୋରି କରିନେଇଥିବା ଜଣାପଡ଼ିଛି। ଏଥିସହ କମ୍ପ୍ୟୁଟର ସେଣ୍ଟରର କବାଟରେ ଲେଖି ଧମକପୂର୍ଣ୍ଣ ମେସେଜ ଦେଇଛନ୍ତି । ଏତେ ସହଜରେ ମାରିବି ନାହିଁ, ନିର୍ଯାତନା ଦେଇ ମାରିବି ବୋଲି କବାଟରେ ଲେଖି ଧମକ ଦେଇଛନ୍ତି ଦୁର୍ବୃତ୍ତ । ଏପରିକି ନିଜକୁ  ଘୋଷ୍ଟ ବୋଲି ଲେଖିଛନ୍ତି ଦୁର୍ବୃତ୍ତ। ଏନେଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ଆଇଆଇସି ସବ୍ୟସାଚୀ ମଲ୍ଲ ଏବଂ ଏସ୍ଆଇ ବିନୟ ଦାସ ପହଞ୍ଚି ତଦନ୍ତ କରୁଛନ୍ତି  ।  ଅନ୍ୟପଟେ ଛତ୍ରପୁର ଥାନା ପୁଲିସ ପହଞ୍ଚି ତଦନ୍ତ କରିଛି ।  ତେବେ କିଏ ଏପରି କାଣ୍ଡ ଘଟାଇଛି ଏବଂ କାହିଁକି ଏପରି କରିଛି ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ।