କଟକ ୦୫/୦୧: ମିସ୍କଲ୍ରେ ଅନେକ କିଛି ଘଟେ । ସମ୍ପର୍କ ଗଢ଼ିଉଠେ, ଆଗକୁ ବଢ଼େ । କେହି କେହି ଜୀବନସାଥୀ ବି ବାଛି ନିଅନ୍ତି । ଏଭଳି ଏକ କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ‘ମିସ୍କଲ୍ ଫ୍ରେଣ୍ଡ୍’ । ସୀତାରାମ ଅଗ୍ରୱାଲ ଏହାର ପ୍ରଯୋଜନା କରିଛନ୍ତି । ଶୀତଲଙ୍କ ବିପକ୍ଷରେ ଏ ଫିଲ୍ମରେ ନାୟକ ଭାବେ ନଜର ଆସିବେ ଅମ୍ଳାନ । ଏ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଧାଂଶୁ ମୋହନ ସାହୁ । ଫିଲ୍ମର ସୁଟିଂ ସହିତ ଡବିଂ, ଏଡିଟିଂ ଆଦି ପୋଷ୍ଟ ପ୍ରଡକ୍ସନ କାମ ଶେଷ ହୋଇ କେବଳ ରିଲିଜ ଅପେକ୍ଷାରେ ରହିଛି ।
ଫିଲ୍ମର କାହାଣୀ ବେଶ୍ ରୋଚକ । ଆକସ୍ମିକ ଭାବରେ ଜଣେ ଯୁବକ ଓ ଯୁବତୀ କିଭଳି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାହା ଦେଖିବାକୁ ମିଳିବ ଏ ଫିଲ୍ମରେ । ଫିଲ୍ମର କାହାଣୀ ପୂରାପୂରି ମନୋରଞ୍ଜନଧର୍ମୀ । ସୁନ୍ଦର ସୁନ୍ଦର ଗୀତ ରହିଛି, ଯାହା ସୁଟିଂ ହୋଇଛି ଭୁବନେଶ୍ୱର, କଟକ ଆଦିର ଆକର୍ଷଣୀୟ ଲୋକେସନରେ । ପାରିବାରିକ ଦୃଶ୍ୟ, ଇମୋସନ୍ ଆଦି ମଧ୍ୟ ସୁନ୍ଦର ଭାବେ ସଂଯୋଜିତ ହୋଇଛି । ବୈଦ୍ୟନାଥ ଦାଶ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ବହୁ ବରିଷ୍ଠ ଓ କନିଷ୍ଠ କଳାକାରଙ୍କ ଅଭିନୟରେ ସମୃଦ୍ଧ ହୋଇଛି ‘ମିସ୍କଲ୍ ଫ୍ରେଣ୍ଡ୍’ । ଏ ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମ ସପ୍ତାହରେ ପ୍ରେକ୍ଷାଳୟକୁ ଆସିବ ଏ ଫିଲ୍ମ।