ନୂଆଦିଲ୍ଲୀ,୨୧/୧୧; ୭୪ତମ ମିସ୍ ୟୁନିଭର୍ସର ଫଳାଫଳ ଘୋଷଣା ହୋଇଛି  । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ର ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ଫାତିମା ବୋସ୍‌ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି । ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭେନେଜୁଏଲାର ଷ୍ଟେଫାନି ଆବାସାଲି । ତୃତୀୟ ସ୍ଥାନରେ ଫିଲିପାଇନ୍ସର ଅହତିସା ମାନାଲୋ ରହିଥିବାବେଳେ ଚତୁର୍ଥରେ କୋଟେ ଡି ଆଇଭୋଏର୍‌ର ଅଲିଭିଆ ୟାକେ ରହିଛନ୍ତି । ସେହିପରି ୧୨ ନମ୍ବରରେ ବି ରହିପାରିଲେ ନାହିଁ  ଭାରତର ମନିକା ବିଶ୍ୱକର୍ମା ।

ଫାତିମା ବୋସ୍‌ କିଏ ? ଫାତିମା ବୋ ଫର୍ଣ୍ଣାଣ୍ଡିଜ୍ ୧୯ ମଇ ୨୦୦୦ ମସିହାରେ ମେକ୍ସିକୋର ତେପାରେ ଜନ୍ମଗ୍ରହଣ କରିଥିଲେ । ସେ ତାବାସ୍କୋର ଭିଲାହେର୍ମୋସାରେ ପାଠପଢ଼ା ଆରମ୍ଭ କରିଥିଲେ। ଏହାପରେ ସେ ୟୁନିଭର୍ସିଡାଡ୍ ଇବେରୋଆମେରିକାନାରେ ଫ୍ୟାଶନ୍ ଡିଜାଇନ୍ କୋର୍ସ କରିଥିଲେ। ତାଙ୍କର ବୟସ ୨୫ ବର୍ଷ । ଉଚ୍ଚତା ୫ ଫୁଟ ୯ ଇଞ୍ଚ। ସେ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଥିବା ତବାସ୍କୋର ପ୍ରଥମ ମହିଳା ।
​​​​​​

୧୨ ନମ୍ବରରେ ରହିପାରିଲେନି ମନିକା- ୨୦୨୫ ମିସ୍ ୟୁନିଭର୍ସରେ ଭାରତକୁ ପ୍ରତିନିଧିତ୍ବ କରିଥିଲେ ମନିକା ବିଶ୍ବକର୍ମା । ମନିକା ଲଗାତାର ନିଜ୍ ଲୁକ୍ ଓ ୱାକିଙ୍ଗରେ ବିଚାରକଙ୍କ ମନ ଜିତିଥିଲେ । ତେଣୁ ଭାରତୀୟଙ୍କ ପୂରା ବିଶ୍ବାସ ଥିଲା ଯେ ଏଥର ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ମନିକାଙ୍କ ମଥାରେ ହିଁ ସାଜିବ । ହେଲେ ଭାରତୀୟଙ୍କୁ ନିରାଶ ହେବାକୁ ପଡିଛି । ଭାରତର ୨୨ ବର୍ଷୀୟ ମନିକା ବିଶ୍ୱକର୍ମା ଏହି ପ୍ରତିଯୋଗିତାରେ ଟପ୍ ୧୨ରେ ବି ସ୍ଥାନ ହାସଲ କରିପାରିଲେ ନାହିଁ । ବିଭିନ୍ନ ଦେଶର ୧୦୦ରୁ ଅଧିକ ସୁନ୍ଦରୀଙ୍କ ସହ ପ୍ରତିଯୋଗୀଙ୍କ କରିଥିଲେ । ହେଲେ ଶ୍ରେଷ୍ଠ ୧୨ରେ ସ୍ଥାନ ହାସଲ କରିପାରିନାହାନ୍ତି । ଶ୍ରେଷ୍ଠ ୧୨ରେ ଚିଲି, କ୍ୱୁବା, କଲୋମ୍ବିଆ, ଚୀନ, ଥାଇଲାଣ୍ଡ ଆଦି ଦେଶର ସୁନ୍ଦରୀମାନେ ସ୍ଥାନ ପାଇଛନ୍ତି ।

​​​​​​​ମିସ୍‌ ୟୁନିଭର୍ସ ୨୦୨୪ ଡେନ୍‌ମାର୍କର ଭିକ୍ଟୋରିଆ କେଜର ଥେଲବିଗ୍ ଗତ ବର୍ଷ ନଭେମ୍ବର ୧୬ରେ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଥିଲେ । ଏବଂ ସେ ଏହି ମୁକୁଟ ଜିତିଥିବା ଦେଶର ପ୍ରଥମ ମହିଳା ଥିଲେ । ସେ ଫାତିମାଙ୍କୁ ମିସ୍ ୟୁନିଭର୍ସ ୨୦୨୫ର ବିଜୟ ମୁକୁଟ ପିନ୍ଧାଇଥିଲେ । ୧୯୫୨ରେ ସ୍ଥାପିତ ମିସ୍ ୟୁନିଭର୍ସରେ ବିଶ୍ୱର ସୁନ୍ଦରୀ ମାନେ ଗୋଟିଏ ମଞ୍ଚରେ ପ୍ରତିଯୋଗିତା କରିଥାନ୍ତି । ଏଥିରେ ଲିଡରସିପ୍‌, ଶିକ୍ଷା, ସୋସିଆଲ ଇମ୍ପକ୍ଟ, ଡାଭର୍ସିଟି ଏବଂ ପର୍ସନାଲ ଡେଭଲପମେଣ୍ଟକୁ ଗୁରୁତ୍ୱ ଦେଇଥାଏ । ଚଳିତବର୍ଷ ମିସ୍ ୟୁନିଭର୍ସ ବାଦ- ବିବାଦ ପାଇଁ ଚର୍ଚ୍ଚାରେ ରହିଥିଲା । ଜଜ୍‌ ଏବଂ ମ୍ୟୁଜିସିଆନ ଉମର ଭାଫୁଜଙ୍କ ଦ୍ୱାରା ଫାଇନାଲର ଠିକ୍ ୩ ଦିନ ପୂର୍ବରୁ ଇସ୍ତଫା ଦେଇଥିଲେ । ମିସ୍ ୟୁନିଭର୍ସର ଦ୍ବିତୀୟ ଜଜ୍ ଫ୍ରାନ୍ସିସ କ୍ଲାଉଡ ମେକେଲେ ବି ଇସ୍ତଫା ଦେଇଥିଲେ । ପ୍ରତିଯୋଗୀ ଓ ଜଜ୍‌ଙ୍କ ସମ୍ପର୍କକୁ ନେଇ ବିବାଦ ଉପୁଜିଥିଲା ।

 ୨ ସପ୍ତାହ ତଳେ ବିବାଦରେ ଥିଲେ- ଫାତିମା ବୋସ୍‌ ଚଳିତ ମାସ ଆରମ୍ଭରେ ମିସ୍ ୟୁନିଭର୍ସ ମୁକୁଟ ଜିତିବା ନେଇ ଏକ ବିବାଦର ସାମ୍ନା କରିଥିଲେ । ସୂଚନା ଅନୁସାରେ ୨ ସପ୍ତାହ ପୂର୍ବେ ମିସ୍‌ ୟୁନିଭର୍ସ ଆୟୋଜନ ନାୱାଟ୍‌ ଇଟସାଗ୍ରିସିଲ୍‌ ଏକ ବୈଠକ ସମୟରେ ତାଙ୍କୁ ସାର୍ବଜନୀନ ଭାବରେ ସମାଲୋଚନା କରାଯାଇଥିଲା । ଏହା ପରେ ଫାତିମା ବୋସ୍‌ ବୈଠକରୁ ବାହାରି ଆସିଥିଲେ । ନାୱାଟ୍‌ ତାଙ୍କୁ ନେଇ 'ମୂର୍ଖ' ଶବ୍ଦ ବ୍ୟବହାର କରିଥିଲେ ।