ଭୁବନେଶ୍ୱର,୬।୬ : ଓଡ଼ିଶାର କ୍ରୀଡ଼ା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ସମ୍ବଲପୁର ଫୁଟବଲ ଏକାଡେମୀ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପରିଦର୍ଶନ କରିଛନ୍ତି। ସମ୍ବଲପୁର ଫୁଟବଲ ଏକାଡେମୀର ସୁଦୃଢ଼ ଯାତ୍ରାକୁ ଆହୁରି ବ୍ୟାପକ ତଥା ବିଶ୍ୱସ୍ତରୀୟ କରିବା ପାଇଁ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣର ମାନକୁ ପ୍ରଶଂସା କରିଛନ୍ତି। ୧୫ କୋଟି ଟଙ୍କାରେ ଆରମ୍ଭ ହୋଇଥିବା ଏକାଡେମୀ ପରିସରରେ ଆନ୍ତର୍ଜାତୀୟ ମାନର ୩ଟି FIFA ଷ୍ଟାଣ୍ଡାର୍ଡ ପୂର୍ଣ୍ଣ ଆକାରର ଫୁଟବଲ ପଡ଼ିଆ ଏବଂ ୨ଟି ଅତ୍ୟାଧୁନିକ ଫୁଟ୍ସାଲ ଗ୍ରାଉଣ୍ଡ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମଲେଶ୍ୱରୀ ସ୍ପୋର୍ଟିଂ କ୍ଲବ୍ର ଏକ ଶାଖା ଭାବେ ୨୦୦୭ ମସିହାରୁ ଆରମ୍ଭ ହୋଇଥିବା ଏହି ଏକାଡେମୀ ଆଜି ରାଜ୍ୟର କ୍ରୀଡ଼ା ପ୍ରତିଭା ମାନଙ୍କୁ ଜାତୀୟ ସ୍ତରରେ ପରିଚୟ ଦେବାରେ ସବୁଠାରୁ ବଡ଼ ମାଧ୍ୟମ ସାଜିଛି। ବିଗତ ୧୯ ବର୍ଷ ମଧ୍ୟରେ ଏହି ଏକାଡେମୀରୁ ଶହ ଶହ ପ୍ରତିଭାବାନ୍ ଫୁଟ୍ବଲ ଖେଳାଳୀ ସୃଷ୍ଟି ହୋଇଛନ୍ତି ଏବଂ ସେମାନେ ବିଭିନ୍ନ ବୟସ ବର୍ଗରେ ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ପ୍ରତିନିଧିତ୍ୱ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି।
ଫୁଟବଲ କ୍ରୀଡ଼ାର ବିକାଶ ପ୍ରତି ଏକାଡେମୀର ଏହି ଅବଦାନକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏକାଡେମୀ ଉପରେ ଆଉ ଏକ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ଏଣିକି ପ୍ରତିବର୍ଷ ଆୟୋଜିତ ହେଉଥିବା 'C.M. Cup' ଫୁଟବଲ୍ ଟୁର୍ଣ୍ଣାମେଣ୍ଟରୁ ତୃଣମୂଳ ସ୍ତରରେ ମନୋନୀତ ହେଉଥିବା ୧୪ ବର୍ଷରୁ କମ୍ ବୟସର ୩୦ ଜଣ ପ୍ରତିଭାବାନ ପିଲାଙ୍କୁ ଉଚ୍ଚକୋଟୀର ଆବାସିକ ତାଲିମ ଦେବାର ଦାୟିତ୍ୱ ଏହି ଏକାଡେମୀକୁ ଦିଆଯାଇଛି। ତାଲିମ ଗ୍ରହଣ କରୁଥିବା ଏହି ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ନିକଟସ୍ଥ ଶିକ୍ଷାନୁଷ୍ଠାନ ମାନଙ୍କରେ ଗୁଣାତ୍ମକ ଶିକ୍ଷା ଗ୍ରହଣର ସମ୍ପୂର୍ଣ୍ଣ ବ୍ୟବସ୍ଥା ମଧ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଓ ଉପଯୁକ୍ତ ପ୍ରଶିକ୍ଷଣ ଜରିଆରେ ସମ୍ବଲପୁର ଫୁଟବଲ ଏକାଡେମୀ ଆଗାମୀ ଦିନରେ ଓଡ଼ିଶା ପାଇଁ କ୍ରୀଡ଼ା କ୍ଷେତ୍ରରେ ଆହୁରି ଅନେକ ଗୌରବ ଓ ସଫଳତା ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ ଆଶା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରାଜ୍ୟସଭା ସାଂସଦ ମନମୋହନ ସାମଲ, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାଏକ, ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ପ୍ରମୁଖ ଉପସ୍ଥିତ ଥିଲେ।
ଆହୁରି ପଢନ୍ତୁ : ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ : କୁଆପଥର ବର୍ଷା ସହ ପବନ, ଗଛ ପଡି ଗାଡି ଚୁରମାର