ନୂଆଦିଲ୍ଲୀ ୨୫/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର  ଓଡିଶା ପର୍ବଠାରେ ଓଡ଼ିଆ ଚା ପିଇଛନ୍ତି । ପ୍ରଧାନମନ୍ତ୍ରୀ ବିଭିନ୍ନ ଷ୍ଟଲ୍‌ ବୁଲି ଦେଖିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ଦେଖି ଷ୍ଟଲ୍‌ ମାଲିକମାନେ  ଖୁସି ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ  ସହ ଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନ ଏବଂ ରେଳ, ଆଇଟି ମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ । ପ୍ରଧାନମନ୍ତ୍ରୀ ମୋଦି ବଲାଙ୍ଗିରର  ରବି ଚା ଏବଂ କଫି ଷ୍ଟଲ୍‌କୁ ଯାଇ ଚା  ପିଇଥିଲେ । ଷ୍ଟଲ୍‌ର ମାଲିକ ସୋମନାଥ  ସାହୁ ପ୍ରଧାନମନ୍ତ୍ରୀ ଓ ମନ୍ତ୍ରୀମାନଙ୍କୁ  ତିନୋଟି ମାଟି ପାତ୍ରରେ ଆମ୍ବକଷିଆ ଚା  ପିଇବାକୁ ଦେଇଥିଲେ । ପ୍ରଧାନମନ୍ତ୍ରୀ ଓ  ଅନ୍ୟ ଦୁଇ ମନ୍ତ୍ରୀ ସେଠାରେ କିଛି ସମୟ  ଛିଡା ହୋଇ ଚା ପିଇଥିଲେ । 


ପ୍ରଧାନମନ୍ତ୍ରୀ  ହିନ୍ଦୀରେ କହିଥିଲେ ‘ଚା ବହୁତ ବଢିଆ,  ୟେ ସେ ଚାଏ କଭି ମୈନେ ପିଆ ନହିଁ  ଥା ।' ଏଥିରେ ସୋମନାଥ ସାହୁ ବହୁତ ଖୁସି ହୋଇଥିଲେ । ପରେ ସେମାନେ  ସଭା ସ୍ଥଳକୁ ଯାଇଥିଲେ । ସଭା ସ୍ଥଳରେ  ପହଁଞ୍ଚିବା ପରେ ପ୍ରବାସୀ ଓଡିଆମାନେ  ପ୍ରଧାନମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସ୍ୱାଗତ କରିଥିଲେ ।  କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ ମୋଦି  ଓ ଅନ୍ୟ ମନ୍ତ୍ରୀମାନେ ପ୍ରଦୀପ ପ୍ରଜ୍ୱଳନ  କରି ମହାପ୍ରଭୁ ଜଗନ୍ନାଥଙ୍କୁ ନମସ୍କାର  କରିଥିଲେ । ଏହାପରେ ଓଡିଶାର  କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ  ପରିବେଷଣ କରିଥିଲେ । ଏଥିରେ ଥିଲା ସମ୍ବଲପୁରୀ, ଓଡିଶୀ ଓ ଛଉ ନୃତ୍ୟ।  କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ  ରଙ୍ଗବତୀ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ  ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲିଖିତ ‘ସୌଗନ୍ଧ  ମୁଝେ ଇସି ମିଟିକି...’ ଗୀତ ଉପରେ  ଆଧାରିତ ନୃତ୍ୟ ପରିବେଷଣ କରିଥିଲେ ।