ଫିରିଙ୍ଗିଆ,୮/୨ : ଗ୍ରାହକଙ୍କଠାରୁ ଫାଇନାନ୍ସ ଟଙ୍କା ଆଦାୟ କରି ଆତ୍ମସାତ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଲବାଣୀଠାରେ ଥିବା ଶ୍ରୀରାମ ଫାଇନାନ୍ସ ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନୀର ପୂର୍ବତନ ବ୍ରାଞ୍ଚ ମ୍ୟାନେଜରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫିରିଙ୍ଗିଆ ପୁଲିସ I ଗିରଫ ଜିଏମଙ୍କ ଦେବାଶିଷ ମହାନ୍ତି ହୋଇଥିଲାବେଳେ ତାଙ୍କ ଘର କଟକ ସିଡିଏ ଅଞ୍ଚଳରେ ଓ ସେ ଭୁବନେଶ୍ୱର ତମାଣ୍ଡୋ ଅଞ୍ଚଳରେ ଘରଭଡ଼ା ନେଇ ରହୁଥିବା ଜଣାପଡ଼ିଛି I ସୂଚନା ଅନୁସାରେ, ଅଭିଯୁକ୍ତ ଦେବାଶିଷ ୨୦୧୮ମସିହାରେ ଫୁଲବାଣୀରେ ଥିବା ଶ୍ରୀରାମ ଫାଇନାନ୍ସ ନାମକ ଏକ ବେସରକାରୀ ବ୍ୟାଙ୍କରେ ଜିଏମ ଭାବରେ କାର୍ଯ୍ୟରତ ଥିବା ସମୟରେ ଫିରିଙ୍ଗିଆ ଥାନା ଅଧୀନରେ ଥିବା କାଶିନି ପଦର ଗାଁର ଭାସ୍କର ଚନ୍ଦ୍ର ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କ ବୋଲେରୋ ଗାଡ଼ିର ଫାଇନାନ୍ସ ଟଙ୍କା ସେଟେଲ ମେଣ୍ଟ କରିବା ପାଇଁ ପ୍ରାୟ ଦେଢ଼ ଲକ୍ଷ୍ୟ ଟଙ୍କା ନେଇ ବ୍ୟାଙ୍କ ଖାତାରେ ଜମା ନ କରି ନିଜେ ଆତ୍ମସାତ କରି ଫେରାର ହୋଇଯାଇଥିଲେ I
କିଛିଦିନ ପରେ ସମ୍ପୃକ୍ତ ଫାଇନାନ୍ସ କମ୍ପାନୀ ତରଫରୁ କୋର୍ଟରୁ ଗାଡ଼ି ମାଲିକ ଭାସ୍କରଚନ୍ଦ୍ର ପୃଷ୍ଟିଙ୍କ ପାଖକୁ ଏକ ନୋଟିସ୍ ଆସିବାରୁ ଭାସ୍କର ତାଙ୍କର ଦେଢ଼ ଲକ୍ଷ୍ୟ ଟଙ୍କା ଜିଏମ ଜଣକ ଆତ୍ମସାତ କରିଥିବା ଜାଣିବାକୁ ପାଇଥିଲେ I ପରେ ଭାସ୍କର ପୃଷ୍ଟି ଫିରିଙ୍ଗିଆ ଥାନାରେ ସମ୍ପୃକ୍ତ ଜିଏମଙ୍କ ନାଁରେ ଏକ ଲିଖିତ ଏତଲା ଦେଇଥିଲେ I ତେବେ ଏତଲା ଆଧାରରେ ଫିରିଙ୍ଗିଆ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା I ସେହି ଦିନଠାରୁ ଅଭିଯୁକ୍ତ ଜିଏମ ଜଣଙ୍କ ଫେରାର ଥିବାବେଳେ ଗତ ଶନିବାର କନ୍ଧମାଳ ଏସପି ହରିଶ ବିଶିଙ୍କ ନିର୍ଦେଶକ୍ରମେ ଏସଡିପିଓ ଶୁଭ୍ରଜିତ ବିଶ୍ୱାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଏଏସଆଇ ପ୍ରିୟରଂଜନ ନାଏକଙ୍କ ନେତୃତ୍ୱରେ ଏକ ଟିମ୍ ଖୋର୍ଦ୍ଧା ଜିଲ୍ଲା ତମାଣ୍ଡୋ ପୁଲିସ ସହଯୋଗରେ ପାତ୍ରପଡାଠାରେ ଥିବା ଭିଟୁ ମଲ ପଛପଟ ଅଞ୍ଚଳରେ ଏକ ଭଡା ଘରେ ଆତ୍ମ ଗୋପନ କରିଥିବା ଅଭିଯୁକ୍ତ ଜିଏମଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା I
ଅଭିଯୁକ୍ତଙ୍କ ନାଁରେ ଓଡିଶାର ବିଭିନ୍ନ ଥାନା ସହ କନ୍ଧମାଳ ଜିଲ୍ଲାର ଫୁଲବାଣୀ ଆଦର୍ଶ ଥାନାରେ ମଧ୍ୟ ଏଭଳି ଫାଇନାନ୍ସ ନାଁରେ ଅର୍ଥ ଆତ୍ମସାତର ଅଭିଯୋଗ ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବାବେଳେ ରବିବାର ତାଙ୍କୁ ଫିରିଙ୍ଗିଆ ପୁଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ମୁରଲୁଧର ସାହୁ I