ଭଦ୍ରକ, ୨୬/୧୦: ପାଣିକୋଇଲି ଅଞ୍ଚଳରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲେ ଗୋରକ୍ଷକ । ୧୬ ନମ୍ବର ଜାତୀୟ ରାଜପଥ ଭଦ୍ରକ ବିଷ୍ଣୁପୁର ଛକରେ ଜବତ ହେଲା ୨ ଟି ଗୋରୁ ବୋଝେଇ ଟ୍ରକ୍ । ଜବତ ଟ୍ରକ୍ରୁ ୧୦୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛି ।
ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତି ୩ ଟାରେ ଗୋରକ୍ଷକ ମାନେ ଉକ୍ତ ଟ୍ରକ୍କୁ ଅଟକାଇଥିଲେ । ଗାଡ଼ି ଉପରେ ଚଢ଼ି ଅତି ଅମାନୁଷିକ ଭାବେ ଗୋରୁ ଚାଲାଣ ହେଉଥିବା ନେଇ ଜାଣିବାକୁ ପାଇଥିଲେ । ସେଠାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଗୋ-ରକ୍ଷକଙ୍କ ବିରୋଧ ବେଳେ ଉଭୟ ଗାଡିର ଚାଳକ ଓ କର୍ମଚାରୀ ଖସି ପଳାଇ ଥିଲେ । ଏସମ୍ପର୍କରେ ଖବର ପାଇ ରାତ୍ରି ପାଟ୍ରୋଲିଂ ପୁଲିସ ପହଞ୍ଚି ଉଦ୍ଧାର ଗୋରୁଙ୍କୁ ମଇତା ପୁର ନିକଟ ରୁଦ୍ରାଶ୍ରମ ଗୋଶାଳାକୁ ନେବା ସହ ୨ଟି ଟ୍ରକ୍କୁ ଧାମନଗର ଥାନାକୁ ନେଇଛି । ଏହି ଗୋରୁ ପାଣିକୋଇଲି ଅଞ୍ଚଳରୁ ପଶ୍ଚିମବଙ୍ଗ ଅଞ୍ଚଳକୁ ଯାଉଥିବା ଜଣାପଡ଼ିଛି । ବାରମ୍ବାର ଗୋରୁ ଗାଡ଼ିକୁ ଗୋରକ୍ଷକ ମାନେ ଜବତ କରୁଛନ୍ତି ।