ମାୟାମୀ,୦୫/୦୭: ଚଳିତ ବିଶ୍ୱକପ୍ରେ ପ୍ରଥମ ଦଳ ଭାବେ ମରକ୍କୋ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି । ଶନିବାର ଅନୁଷ୍ଠିତ ରାଉଣ୍ଡ ୧୬ ମୁକାବିଲାରେ ଦଳ ୩-୦ ଗୋଲ୍ରେ ଆୟୋଜକ କାନାଡ଼ାକୁ ପରାସ୍ତ କରିଥିଲା । ମ୍ୟାଚର ପ୍ରଥମାର୍ଦ୍ଧରେ କାନାଡ଼ାର ଆଧିପତ୍ୟ ରହିଥିଲା । ହେଲେ ଦ୍ୱିତୀୟାର୍ଦ୍ଧରେ ମରକ୍କୋ ଶୃଙ୍ଖଳିତ ପ୍ରଦର୍ଶନ କରି କାନାଡ଼ାକୁ ଅଟକାଇବାରେ ସଫଳ ହୋଇଥିଲା । ଏଥିସହ ୩ଟି ଗୋଲ୍ ଦେଇ ବିଜୟ ହାସଲ କରିଥିଲା । ଆଜେଡିନ ଉନାହି ଯଥାକ୍ରମେ ୫୦ ଓ ୮୨ତମ ମିନିଟ୍ରେ ୨ଟି ଗୋଲ୍ ଦେଇଥିଲେ । ସେହିପରି ସୁଫିଆନ ରହିମି ୯୦+୮ ତମ ମିନିଟ୍ରେ ତୃତୀୟ ଗୋଲ୍ ସ୍କୋର କରିଥିଲେ ।
କାନାଡ଼ା ପ୍ରଥମ ଆୟୋଜକ ଦଳ ଭାବେ ବିଶ୍ୱକପ୍ରୁ ବିଦାୟ ନେଇଥିଲା । ମରକ୍କୋ କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛି । ୨୦୨୨ କତାର ବିଶ୍ୱକପ୍ରେ ଦଳ ସେମି ଫାଇନାଲ୍ରେ ଫ୍ରାନ୍ସ ଠାରୁ ପରାଜିତ ହୋଇଥିଲା । ଏହାପରେ ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମୁକାବିଲାରେ କ୍ରୋଏସିଆ ଠାରୁ ପରାଜିତ ହୋଇଥିଲା ।
ଅଧିକ ପଢ଼ନ୍ତୁ :- ଦ୍ବିତୀୟ ଟି-୨୦ : ଭାରତକୁ ୪ ଓ୍ବିକେଟରେ ହରାଇଲା ଇଂଲଣ୍ଡ
ମରକ୍କୋ ମୋଟ୍ ୭ଥର ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିଛି ଓ ଦ୍ୱିତୀୟ ଥର କ୍ୱାର୍ଟରରେ ପ୍ରବେଶ କରିଛି । ୧୯୭୦ରେ ଦଳ ପ୍ରଥମ ଥର ପାଇଁ ବିଶ୍ୱକପ୍ ଖେଳିଥିଲା ଓ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଇଥିଲା । ଏହାପରେ ଦଳ ୧୯୮୬ ବିଶ୍ୱକପ୍ରେ ପ୍ରଥମ କରି ନକ୍ ଆଉଟ୍ରେ ପ୍ରବେଶ କରିଥିଲା । ୧୯୯୪, ୧୯୯୮ ଓ ୧୦୧୮ ବିଶ୍ୱକପ୍ରେ ମରକ୍କୋ ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେବା ପରେ ୨୦୨୨ ବିଶ୍ୱକପ୍ରେ ଚତୁର୍ଥ ସ୍ଥାନ ଦଖଲ କରିଥିଲା ।