ନୂଆଦିଲ୍ଲୀ : ରବିବାର ସକାଳେ ରୁଷର ରାଜଧାନୀ ମସ୍କୋରେ ଆରମ୍ଭ ହୋଇ ଯାଇଥିଲା ୟୁକ୍ରେନର ଡ୍ରୋନ୍ ଆକ୍ରମଣ। ଏଥିରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ରୁଷରେ ଥିବା ଭାରତୀୟ ଦୂତାବାସ ଏହା ସ୍ପଷ୍ଟ କରିଛି। ଦୂତାବାସ ଏକ ସରକାରୀ ବିବୃତ୍ତିରେ କହିଛି ଯେ, ମସ୍କୋ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ସମସ୍ତ ଆହତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦୂତାବାସ ଅଧିକାରୀମାନେ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଆହତ ଶ୍ରମିକମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।
ସୋସିଆଲ ମିଡିଆରେ ଜାରି ଏକ ବିବୃତ୍ତିରେ ଦୂତାବାସ କହିଛି, ଆଜି ସକାଳେ ମସ୍କୋ ଅଞ୍ଚଳରେ ଡ୍ରୋନ୍ ଆକ୍ରମଣରେ ଜଣେ ଭାରତୀୟ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଦୂତାବାସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ହସ୍ପିଟାଲରେ ଆହତମାନଙ୍କୁ ଭେଟିଛନ୍ତି। ଉକ୍ତ ଦୁଃଖଦ ଘଟଣାରେ ଆମେ ଗଭୀର ସମବେଦନା ପ୍ରକାଶ କରୁଛୁ ଏବଂ କମ୍ପାନୀ ପରିଚାଳନା ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରଭାବିତ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେଉଛୁ।
ଅନ୍ୟପଟେ, ରୁଷିଆ ଅଧିକାରୀଙ୍କ ଅନୁସାରେ, ରାତିସାରା ହୋଇଥିବା ଆକ୍ରମଣରେ ଅତି କମରେ ତିନି ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୧୨ରୁ ଅଧିକ ଆହତ ହୋଇଛନ୍ତି। ମସ୍କୋର ମେୟର ସର୍ଗେଇ ସୋବୟାନିନ୍ କହିଛନ୍ତି ଯେ, ଆକ୍ରମଣରେ ମସ୍କୋର ତୈଳ ବିଶୋଧନାଗାରର କୌଣସି କ୍ଷତି ହୋଇ ନାହିଁ, ହେଲେ ତିନୋଟି ଆବାସିକ ଘର କ୍ଷତିଗ୍ରସ୍ତ ହୋଇଛି। ସେ ଆହୁରି କହିଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ ୧୨୦ରୁ ଅଧିକ ଡ୍ରୋନକୁ ଗୁଳି କରି ଖସାଇ ଦିଆ ଯାଇଛି। ରୁଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି ଯେ, ପୂରା ଦେଶରେ , ଯେଉଁଥିରେ ମସ୍କୋ ଅଞ୍ଚଳ ମଧ୍ୟ ସାମିଲ ଅଛି, ସାରାରାତି ଓ ସକାଳ ଯାଏ ମୋଟ ୫୫୬ଟି ୟୁକ୍ରେନୀୟ ଡ୍ରୋନ୍ ନଷ୍ଟ କରାଯାଇଛି।
ଅନ୍ୟପଟେ ୟୁକ୍ରେନୀୟ ରାଷ୍ଟ୍ରପତି ଜେଲେନସ୍କି ମସ୍କୋ ଅଞ୍ଚଳରେ ଆକ୍ରମଣକୁ ଯଥାର୍ଥ ଦର୍ଶାଇ ଏହା ରୁଷ ଆକ୍ରମଣର ପ୍ରତିଶୋଧ ବୋଲି କହିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ସେ ଲେଖିଛନ୍ତି, ରୁଷ ଯୁଦ୍ଧକୁ ବୃଦ୍ଧି କରିବା ଏବଂ ଆମ ସହରଗୁଡ଼ିକ ଉପରେ ଆକ୍ରମଣର ଜବାବରେ ଆମର କାର୍ଯ୍ୟ ସମ୍ପୂର୍ଣ୍ଣ ଯଥାର୍ଥ। ଏଥର ୟୁକ୍ରେନର ଦୂରଗାମୀ ଡ୍ରୋନ ମସ୍କୋ ଅଞ୍ଚଳରେ ପହଞ୍ଚିଛି। ଆମେ ସ୍ପଷ୍ଟ ଭାବରେ ରୁଷକୁ ତାର ଯୁଦ୍ଧ ବନ୍ଦ କରିବାକୁ କହୁଛୁ।
ଆହୁରି ମଧ୍ୟ ପଢନ୍ତୁ : ୟୁଏଇ ଉପରେ ଡ୍ରୋନ୍ ଆକ୍ରମଣ ପରେ ଲାଗିଲା ଭୀଷଣ ନିଆଁ, ପରମାଣୁ ପ୍ଲାଣ୍ଟକୁ ଟାର୍ଗେଟ