ଭୁବନେଶ୍ଵର, ୯/୬ : ପାଖେଇ ଆସିଲାଣି ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା। ଦେଶ ବିଦେଶରୁ ଛୁଟିଲେଣି ଶ୍ରଦ୍ଧାଳୁ। ଭୁବନେଶ୍ଵର-ପୁରୀରେ ଏବେଠାରୁ ସବୁ ହୋଟେଲ୍ ବୁକ୍। ମୋଟାମୋଟି ଭାବେ କହିବାକୁ ଗଲେ ସୁରକ୍ଷା ଦୃଷ୍ଟିରୁ ଏବେ ସବୁଠୁ ସମ୍ଵେଦନଶୀଳ ସ୍ଥାନ ହୋଟେଲ୍। ହେଲେ ହୋଟେଲ୍‌ରେ କିଏ ରହୁଛି? କ’ଣ କରୁଛି? ସେ ବିଷୟରେ ପୁଲିସ୍‌ ପାଖରେ ଖବର ନାହିଁ କି ନିଘା ନାହିଁ। ତେଣୁ ଅପରାଧୀଙ୍କ ପାଇଁ ଏବେ ସୁରକ୍ଷିତ ସ୍ଥାନ ହୋଟେଲ୍। ଏଠାରେ ରହି ଅପରାଧ ଘଟାଇ ଫେରାର୍ ହୋଇଗଲେ କାହାକୁ ବି କିଛି ଖବର ମିଳିବନି। କାରଣ ଏମାନଙ୍କ ଖବର ରଖୁଥିବା ‘ସରାଇ’ ଆପ୍‌ ଏବେ ବନ୍ଦ। ଅପରାଧୀଙ୍କ ଗତିବିଧି ନେଇ ଅନ୍ଧାରରେ ପୁଲିସ। ସୁରକ୍ଷା ନେଇ ପଡ଼ିଲାଣି ଭାଳେଣି।

‘ସରାଇ’ ଆପ୍‌ ଆସିବା ପୂର୍ବରୁ ନିୟମ ଥିଲା, ହୋଟେଲ୍‌ରେ ଯେଉଁମାନେ ଆସି ରହିବେ ସେମାନଙ୍କ ତଥ୍ୟ ପ୍ରତିଦିନ ସ୍ଥାନୀୟ ଥାନାରେ ଦେବାକୁ ହେବ। ଏହି ନିୟମ କିଛି ହୋଟେଲ୍‌ ମାନୁଥିଲେ । ଆଉ କିଛି ଅମାନିଆ ମନଇଚ୍ଛା ବେପାର କରୁଥିଲେ । ଆଉ କେହିକେହି ୧୦ରୁ ୧୫ ଦିନରେ ଥରେ ଯାଇ ଥାନାରେ ତଥ୍ୟ ଦେଉଥିଲେ । ଏସବୁକୁ ଦୃଷ୍ଟିରେ ରଖି ପୂର୍ବତନ ଡିସିପି ଉମା ଶଙ୍କର ଦାସ ସରାଇ ଆପ୍‌ ତିଆରି କରିବାକୁ ଜଣେ ବ୍ୟକ୍ତିଙ୍କୁ କହିଥିଲେ । ସେ ବ୍ୟକ୍ତି ଜଣଙ୍କ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏହି ଆପ୍‌ ଡେଭଲପ୍‌ କରିଥିଲେ । ଏହି ଆପ୍‌ ପୁଲିସ୍‌ ଓ ହୋଟେଲ୍‌ ପାଇଁ ଅନେକ ଫାଇଦା ଦେଉଥିଲା । ହୋଟେଲ୍‌କୁ ଆସୁଥିବା ସବୁ ଲୋକଙ୍କ ତଥ୍ୟ ହୋଟେଲ୍‌ କର୍ତ୍ତୃପକ୍ଷ ଆପ୍‌ରେ ଅପ୍‌ଲୋଡ୍‌ କରୁଥିଲେ । ଫଳରେ ଯାଞ୍ଚ କରିବାକୁ ପୁଲିସକୁ ସହଜ ହେଉଥିଲା । ଏହି ଆପ୍‌ ଡିସିପିଙ୍କ ବଦଳି ହେବାର କିଛିଦିନ ପର୍ଯ୍ୟନ୍ତ ଠିକ୍‌ଠାକ୍‌ ଚାଲିଥିଲା । କିନ୍ତୁ ଏବେ ତାହା ସମ୍ପୂର୍ଣ୍ଣ ଅଚଳ। ରକ୍ଷଣାବେକ୍ଷଣ ପାଇଁ ହେଉଥିବା ଖର୍ଚ୍ଚ ନ ମିଳିବାରୁ ଆପ୍ ଏବେ ବନ୍ଦ ପଡ଼ିଛି। ଏବେ କେଉଁ ହୋଟେଲ୍‌ରେ କିଏ ରହୁଛି ? ସେମାନେ ଅପରାଧୀ ନା ଆଉ କିଏ? ସେ ବିଷୟରେ କାହା ପାଖରେ କିଛି ଖବର ନାହିଁ । ଯଦି କେହି ଅପରାଧୀ ଅଘଟଣ ଘଟାଇ ଚାଲିଯିବ ପୁଲିସ୍‌ କେବଳ ଅନ୍ଧାରରେ ବାଡ଼ି ବୁଲାଇବା ସାର ହେବ।

କେବଳ ଯେ, ସରାଇ ଆପ୍‌ କାମ କରୁନି ତା’ ନୁହେଁ । ମହିଳାଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ‘ମୋ ସାଥୀ’ ଆପ୍‌ ଏବେ ଅଚଳ। ଟୁଇନ୍‌ ସିଟିରେ ରହୁଥିବା ମହିଳାମାନେ ଏହି ଆପ୍‌ ନିଜ ସ୍ମାର୍ଟ ଫୋନ୍‌ରେ ଡାଉନଲୋଡ୍‌ କରିଥିଲେ। ଅସୁବିଧାରେ ପଡ଼ୁଥିବା ମହିଳାମାନେ ସ୍ମାର୍ଟ ଫୋନ୍‌ର ପାୱାର ବଟନ୍‌ ୫ ଥର ପ୍ରେସ୍‌ କରିବା ଦ୍ୱାରା ତୁରନ୍ତ ପୁଲିସ୍‌ ସେବା ପାଉଥିଲେ । ‘ମୋ ସାଥୀ’ ଆପ୍‌ ବେଶ୍‌ କିଛିଦିନ ଭଲରେ ଚାଲିଲା । କିନ୍ତୁ ଏହି ଆପ୍‌ ପାଇଁ ଯୋଜନା କରିଥିବା କମିଶନରଙ୍କ ବଦଳି ପରେ ଆପ୍‌ର ଭାଗ୍ୟ ବଦଳିଗଲା। ଏବେ ଏହା ଗୁଗୁଲରୁ ବି ନିଖୋଜ । ଖାଲି ସେତିକି ନୁହେଁ, ଅପରାଧୀଙ୍କ ବିଷୟରେ ତଥ୍ୟ ରଖୁଥିବା ‘କୁଣ୍ଡଳି’ ଆପ୍‌ ବି ବନ୍ଦ। ପୂର୍ବରୁ କମିଶନରେଟ୍‌ ପୁଲିସ୍‌ ତିଆରି କରିଥିବା ଏଭଳି କିଛି ଆପ୍‌ ଏବେ ପ୍ଲେ-ଷ୍ଟୋର୍‌ରୁ ଉଭାନ। 

ତେବେ ଏହି ସବୁ ଆପ୍ ବନ୍ଦ ହେବା ପଛର ମୁଖ୍ୟ କାରଣ ହେଲା ଅର୍ଥାଭାବ। ଯେଉଁ ଅଧିକାରୀ ଆପ୍‌ ପାଇଁ ପ୍ରସ୍ତାବ ଦେଇ ତାକୁ ତିଆରି କରନ୍ତି, ସେ ଯେଉଁ ପର୍ଯ୍ୟନ୍ତ ସେହି ପଦରେ ରୁହନ୍ତି, ତା’ର ରକ୍ଷଣାବେକ୍ଷଣ ପାଇଁ ଅର୍ଥ ଯୋଗାଇ ଦିଅନ୍ତି । ତାଙ୍କ ବଦଳି ପରେ ଅନ୍ୟ ଅଧିକାରୀ ସେଥିରେ ମୁଣ୍ଡ ନ ଖେଳାଇ ନିଜେ କ’ଣ କରିବେ ସେଥିରେ ଲାଗି ପଡ଼ନ୍ତି। ତେଣୁ ତିଆରି ହୋଇଥିବା ଆପ୍‌ କିଛିଦିନ ପରେ ଆପେ ଆପେ ବନ୍ଦ ହୋଇଯାଏ ।