ନୂଆଦିଲ୍ଲୀ ୦୯/୦୬: ଗୋଟିଏ ଆମ୍ବ ଗଛ ଯେଉଁଥିରେ ଫଳିଛି ଏକାଧିକ ଭେରାଇଟିର ଆମ୍ବ। ଏମିତି କି ବିଶ୍ବର ସବୁ ବଡ, ଦାମୀ, ଓଜନଦାର ଓ ସ୍ବାଦରେ ସବୁ ଭଲ, ଛୋଟ ଅଙ୍ଗୁରୁଦାନ ଭଳି ଆମ୍ବ ରହିଛି। ଯାହାକୁ କରି ଦେଖାଇଛନ୍ତି ମଧ୍ୟପ୍ରଦେଶର କୃଷକ ବାଳକୃଷ୍ଣ ବିଶ୍ବକର୍ମା। ତାଙ୍କ ସଫଳତାକୁ ନେଇ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି।
ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ପମାରିୟା ଗାଁର ବାସିନ୍ଦା ଶିକ୍ଷକ ଓ କୃଷକ ବାଳକୃଷ୍ଣ ବିଶ୍ବକର୍ମା ସମଗ୍ର ଅଞ୍ଚଳର ଚାଷୀଙ୍କ ପାଇଁ ରେଲ୍ ମଡେଲ ହୋଇଛନ୍ତି। ସେ ନିଜ ବଗିଚାରେ ଜାପାନର ପ୍ରସିଦ୍ଧ ଓ ବିଶ୍ବର ସବୁଠୁ ମହଙ୍ଗା କିସମର ଆମ୍ବ ମିୟାଜାକି ଫଳାଇଛନ୍ତି। ଅନ୍ତର୍ଜାତୀୟ ବଜାରରେ କିଲେ ପିଛା ଲକ୍ଷାଧିକ ଟଙ୍କାରେ ବିକ୍ରି ହେଉଥିବା ଏହି ଆମ୍ବ ମଧ୍ୟପ୍ରଦେଶର ଛୋଟ ଗାଁରେ ଫଳିବା ସମଗ୍ର ଅଞ୍ଚଳ ପାଇଁ ବନ ଉପଲବ୍ଧି ହୋଇଛି। ବାଳକୃଷ୍ଣଙ୍କ ବଗିଚା ଏବେ ଦୁର୍ଲଭ ଆମ୍ବ କିସମର ଗଡ଼ ପାଲଟିଛି। ଦୂରଦୂରାନ୍ତରୁ ଲୋକେ ଏହାକୁ ଦେଖିବାକୁ ଆସୁଛନ୍ତି। ବିଶ୍ବର ଅନ୍ୟତମ ସବୁଠୁ ଓଜନଦାର ବ୍ରୁନେଇ କିଙ୍ଗ ଆମ୍ବ ସବୁରି ଆକର୍ଷଣର କେନ୍ଦ୍ର ହୋଇଛି। ଏହାର ଓଜନ ୬ କିଲୋରୁ ଅଧିକ।
ଅଧିକ ପଢ଼ନ୍ତୁ :- ୨୦୩୦ ସୁଦ୍ଧା ୧୩୦ କୋଟି ଲୋକଙ୍କ ପାଣି ଶୋଷିଦେବ ଏଆଇ, UN ରିପୋର୍ଟରୁ ବଡ଼ ଖୁଲାସା
ସେହିପରି ବିଶ୍ବର ସବୁଠୁ ଛୋଟ୍ ଅଙ୍ଗୁରଦାନା ଆମ୍ବ ମଦ୍ୟ ବଗିଚାର ଶୋଭା ବଢ଼ାଉଛି। ବାଳକୃଷ୍ଣ ଗ୍ରାଫ୍ଟିଙ୍ଗ ଟେକ୍ନୋଲୋଜି ଜରିଆରେ ଏହି ସଫଳତା ଲାଭ କରିଛନ୍ତି। ଏହି ଟେକ୍ନୋଲୋଜି ଉପଯୋଗ କରି ସେ ଗୋଟିଏ ଆମ୍ବ ଗଛର ଭିନ୍ନ ଭିନ୍ନ ଶାଖାରେ ବିଭିନ୍ନ ସ୍ବାଦ ଓ ପ୍ରଜାତିର ୩୫ ପ୍ରକାରର ଆମ୍ବ ଫଳାଇଛନ୍ତି। ଏହା କୃଷି ବୈଜ୍ଞାନିକଙ୍କ ପାଇଁ କୌତୁହଳର ବିଷୟ ହୋଇଛି। ଏହା ପୂର୍ବରୁ ବାଳକୃଷ୍ଣ ସ୍ଥାନୀୟ ଅଞ୍ଚଳରେ ଅଁଳାର ଉନ୍ନତ ଚାଷର ସଫଳ ପ୍ରୟୋଗ କରିଛନ୍ତି। ତାଙ୍କଠୁ ପ୍ରେରିତ ହୋଇ ଏ ଅଞ୍ଚଳର ଅନେକ ଚାଷୀ ନିଜର ଆୟ ବଢ଼ାଇଛନ୍ତି।