ନୂଆଦିଲ୍ଲୀ, ୯/୬ : ଏବେ ଏଆଇ ନଥିଲେ କିଛି ହେଉନି। ଫଟୋ, ଭିଡିଓ ଏଡିଟ୍ କରିବା ଠୁ ନେଇ ଅଫିସ୍ କାମ ଯାଏଁ ଲୋଡା ପଡୁଛି ଚାଟ୍ ଜିପିଟି। ନିସଙ୍ଗ ଜୀବନର ସାଥୀ ହେବାକୁ ଏବେ ଖୋଜା ପଡ଼ିଲାଣି ମେସିନ୍। ତେବେ ଜାଣିଛନ୍ତି କି ? ସବୁ କାମକୁ ସହଜ କରୁଥିବା ଏଆଇର ଅସଲ ସତ ? ୟୁଏନ୍ ରିପୋର୍ଟରୁ ସାଙ୍ଘାତିକ ଖୁଲାସା। ଏହି ସ୍ପିଡ୍ରେ କାମ କଲେ ୨୦୩୦ ସୁଦ୍ଧା ୧୩୦ କୋଟି ଲୋକଙ୍କ ବରାବର ପାଣି ଶୋଷିଦେବ ଏଆଇ। ତେବେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ? କେମିତି ପାଣି ପିଇବ ନିର୍ଜୀବ ମେସିନ୍ ? ଏହାର ଉତ୍ତର ଜାଣିବା ପାଇଁ ପଢନ୍ତୁ ଖବର...
ବଡ଼ ବଡ଼ ମେସିନ୍ ଥଣ୍ଡା ରଖିବା ପାଇଁ ଅଧିକ ମାତ୍ରାରେ ପାଣି ଆବଶ୍ୟକ ହୁଏ। ଏଥିପାଇଁ ବିଶେଷଜ୍ଞ ଏବେ ଏଆଇର ହିଡେନ୍ କଷ୍ଟ ଉପରେ ଚର୍ଚ୍ଚା କରୁଛନ୍ତି। ଏଆଇର ବହୁଳ ବ୍ୟବହାର ଦ୍ଵାରା କାମ ଯେତିକି ସହଜ ହେଉଛି, ଜଳ, ବିଦ୍ୟୁତ୍ ଉପରେ ସେତିକି ଚାପ ପଡୁଛି। ଏହାର ସମାଧାନ ନହେଲେ ମାନବ ଜଗତ ପାଇଁ ଆଗାମୀ ଦିନରେ ଏକ ବଡ଼ ସମସ୍ୟା ହୋଇ ଉଭା ହେବ। ଅନେକ ଲୋକ ଭାବନ୍ତି ଏଆଇ କେବଳ ଇଣ୍ଟରନେଟ୍ ଦ୍ଵାରା ଚାଲୁଥିବା ଏକ ସପ୍ଟଓୟାର। ଏଥିପାଇଁ ପାଣି ଦରକାର ହୁଏ ନାହିଁ। ହେଲେ ବାସ୍ତବ ଚିତ୍ର ଅଲଗା। ଏଆଇ କାମ କରିବାକୁ ହେଲେ ଡାଟା ସେଣ୍ଟର ବ୍ୟବହାର ହୁଏ। ଏଥିରେ ଲକ୍ଷ ଲକ୍ଷ ସର୍ଭର ଲଗାତର ଚାଲେ। ଅତ୍ୟଧିକ ଚାପ ଯୋଗୁଁ ସର୍ଭର ଗରମ ହୋଇଯାଏ। ଏହାକୁ ଥଣ୍ଡା ରଖିବା ପାଇଁ କୁଲିଂ ସିଷ୍ଟମ ଦରକାର ପଡେ। ଯେଉଁଥିପାଇଁ ପାଣି ଦରକାର ହୁଏ। ତେଣୁ ଯେତେ ଅଧିକ ଏଆଇ ବ୍ୟବହାର ବଢିବ ସେତେ ଅଧିକ ଡାଟା ସେଣ୍ଟର ତିଆରି ହେବ।
ୟୁଏନର ରିପୋର୍ଟ ଅନୁସାରେ, ୨୦୩୦ ସୁଦ୍ଧା ଡାଟା ସେଣ୍ଟର ଗୁଡ଼ିକ ୯.୩ ଟ୍ରିଲିୟନ ଲିଟର ପାଣି ବ୍ୟବହାର କରିବେ। ଯାହାକି ଆଫ୍ରିକାର ୧୩୦ କୋଟି ଲୋକଙ୍କ ବାର୍ଷିକ ବ୍ୟବହାର ସହ ସମାନ। ଏକ ସାମାନ୍ୟ ଏଆଇ ଟେକ୍ସଟ ପ୍ରମ୍ପଟ ଏକ ସମସ୍ୟାର ସମାଧାନ ପାଇଁ ପ୍ରାୟ ୨୯ ମିଲିଲିଟର ପାଣି ବ୍ୟବହାର କରେ। ଏହା ଶୁଣିବା ପାଇଁ କମ୍ ଲାଗୁଥାଇପାରେ। ହେଲେ ପ୍ରତିଦିନ ଏଭଳି କୋଟି କୋଟି ପ୍ରମ୍ପଟ କାମ କରୁଛି। ତେବେ ଏଆଇ କେବଳ ଟେକ୍ସଟ ନୁହେଁ, ଫଟୋ ଭିଡିଓ ଉପରେ ମଧ୍ୟ କାମ କରୁଛି। ଏଆଇ ଗୋଟିଏ ଭିଡିଓ ତିଆରି ପାଇଁ ଖୁବ୍ ଅଧିକ ପାଣିର ବ୍ୟବହାର କରୁଛି। ଖାଲି ଜଳ ନୁହେଁ ୨୦୩୦ ସୁଦ୍ଧା ବୈଶ୍ଵିକ ଡାଟା ସେଣ୍ଟର ପ୍ରାୟ ୯୪୫ ଟେରାୱାଟ ବିଜୁଳି ବ୍ୟବହାର କରିବ ବୋଲି ଅନୁମାନ କରାଯାଉଛି।
ଆହୁରି ପଢନ୍ତୁ- TMC: 'ମୋ ମୁଣ୍ଡ କଟିଯିବ ପଛେ'...ମମତାଙ୍କ ସହ ବିଦ୍ରୋହକୁ ନେଇ କାକୋଳି ଘୋଷଙ୍କ ବଡ଼ ବୟାନ
କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଲକ୍ଷାଧିକ ଏରିଅର୍? ସାମ୍ନାକୁ ଆସିଲା ବଡ଼ ହିସାବ!